ଦାଦନ ଯନ୍ତ୍ରଣା: ଆନ୍ଧ୍ରରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ

Sep 10, 2026 - 20:51
ଦାଦନ ଯନ୍ତ୍ରଣା: ଆନ୍ଧ୍ରରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ

ଥୁଆମୂଳ ରାମପୁର, ୧୦ା୯(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ଦାଦନ ଯନ୍ତ୍ରଣାର ଆଉ ଏକ ଚିତ୍ର ସାମ୍ନାକୁ ଆସିଛି। ଦାଦନ ଖଟିବାକୁ ଆନ୍ଧ୍ରପ୍ରଦେଶ ଯାଇଥିବା ଜଣେ ଯୁବକଙ୍କ ମୃତ୍ୟୁ ପରେ ଆମ୍ବୁଲାନ୍ସ ଯୋଗେ ମୃତଦେହ ଗାଁକୁ ଅଣାଯାଉଥିଲା। ହେଲେ ଘାଟିରାସ୍ତାରେ ଆମ୍ବୁଲାନ୍ସ ଫସିରହିବାରୁ ଶେଷରେ ପରିବାର ଲୋକେ ମୃତଦେହ ଖଟିଆରେ ବୋହି ଗାଁକୁ ଆଣିଥିଲେ।

ମିଳିଥିବା ସୂଚନା ମୁତାବକ, କେରପାଇ ଗ୍ରାମପଞ୍ଚାୟତ ଶୁଙ୍ଗେରଗଡ଼ ଗ୍ରାମର ବାଲସିଂ ମାଝୀ (୩୬) ପରିବାର ପ୍ରତିପୋଷଣ ପାଇଁ ଦାଦନ ଖଟିବାକୁ ଆନ୍ଧ୍ରପ୍ରଦେଶର ଗୁଡ଼ିୱାଡ଼ା ଅଞ୍ଚଳକୁ ଯାଇଥିଲେ। ସେଠାରେ ସେ ଏକ ମାଛ ଫାର୍ମରେ କାମ କରୁଥିଲେ। ଗତ ୮ ତାରିଖରେ ମାଛମାନଙ୍କୁ ଦାନା ଦେବା ପାଇଁ ଡଙ୍ଗାରେ ଯାଉଥିବା ସମୟରେ ହଠାତ୍‌ ଡଙ୍ଗାଟି ବୁଡ଼ିଯାଇଥିଲା। ସହଯୋଗୀ ଶ୍ରମିକ ପହଁରି କୂଳକୁ ଆସିଥିବା ବେଳେ ବାଲସିଂ ପାଣିରେ ବୁଡ଼ି ପ୍ରାଣ ହରାଇଥିଲେ।

ଗୁଡ଼ିୱାଡ଼ା ସରକାରୀ ମେଡିକାଲରେ ପୋଷ୍ଟମୋର୍ଟମ ପରେ ଗୁରୁବାର ଏକ ଆମ୍ବୁଲାନ୍ସ ଯୋଗେ ମୃତଦେହ ଗାଁକୁ ଅଣାଯାଉଥିଲା। ମାତ୍ର ସେର୍କାପାଇ ଗ୍ରାମର ଜାମ ଘାଟି ଦେଇ ଶୁଙ୍ଗେରଗଡ଼ ଯାଇଥିବା ରାସ୍ତା ଅତ୍ୟନ୍ତ ବିପଦସଙ୍କୁଳ ହୋଇଥିବାରୁ ଗାଁଠାରୁ ପ୍ରାୟ ୨ କି.ମି. ପୂର୍ବରୁ ଆମ୍ବୁଲାନ୍ସର ଆଗ ବାମପଟ ଟାୟାର ଫାଟିଯାଇଥିଲା। ରାସ୍ତାର ଦୁରବସ୍ଥା ହେତୁ ଗାଡ଼ି ଆଉ ଆଗକୁ ଯାଇପାରି ନ ଥିଲା। ଶେଷରେ ବାଧ୍ୟହୋଇ ପରିବାର ଲୋକେ ଓ ଗ୍ରାମବାସୀ ମୃତଦେହକୁ ଖଟିଆରେ ବୋହି ୨ କି.ମି. ଘାଟି ରାସ୍ତା ଅତିକ୍ରମ କରି ଗାଁକୁ ନେଇଥିଲେ। ତୁରନ୍ତ ମୃତକଙ୍କ ପରିବାରକୁ କ୍ଷତିପୂରଣ ଓ ଆର୍ଥିକ ସହାୟତା ଯୋଗାଇଦେବା ସହ ଅଞ୍ଚଳର ମୌଳିକ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ସାଧାରଣରେ ଦାବି ହେଉଛି।


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।