ଦୀପାବଳିରେ କୁଡୁମି ସମାଜର ଗୋଠ ପୂଜା, ଧିଙ୍ଗୁଆନ ପର୍ବ

Nov 08, 2026 - 20:00
ଦୀପାବଳିରେ କୁଡୁମି ସମାଜର ଗୋଠ ପୂଜା, ଧିଙ୍ଗୁଆନ ପର୍ବ

କାଳିଆପାଣି,୮।୧୧: ଦୀପାବଳି ଅବସରରେ କୁଡୁମି ସମାଜର ଗୋଠପୂଜା ଏବଂ ଧିଙ୍ଗୁଆନ ପର୍ବ ରବିବାର ଅନୁଷ୍ଠିତ ହୋଇଯାଇଛି । କୁଡୁମି ସମାଜ ନିଜ ପାରମ୍ପରିକ ରୀତି ନୀତିକୁ ବିଶ୍ୱାସ କରୁଥିବା ବେଳେ ପ୍ରକୃତି ପୂଜକ ଅଟନ୍ତି l ଚାଷ କାର୍ଯ୍ୟରେ ସହଯୋଗ କରୁଥୁବା ଘରୋଇ ପଶୁଙ୍କ ଏହି ପର୍ବ ପାଳନ କରି ଉତ୍ସର୍ଗ କରିଥାନ୍ତି । ଖାସ କରି ଦୀପାବଳି ପୂର୍ବ ଦିନ ସକାଳ ସମୟରେ, ‘ବାଗାଲ’(ପଶୁପାଳକ)ମାନେ ଗୋରୁଙ୍କୁ ନିକଟସ୍ଥ ପୋଖରୀ, ନଦୀ କିମ୍ବା ଅନ୍ୟ କୌଣସି ଜଳାଶୟକୁ ନେଇ ଭଲ ଭାବେ ଗାଧୋଇ ଦିଅନ୍ତି।

ପଶୁଙ୍କୁ ଗାଧୋଇବା ପରେ, ପୁରି ତାଙ୍କୁ ଗୁହାଳକୁ ଫେରାଇ ଅଣାଯାଏ। ଯଦି ବାଗାଲ ଉପସ୍ଥିତ ନ ଥାନ୍ତି, ତେବେ ପରିବାରର ବୟସ୍କ ପୁରୁଷ ସଦସ୍ୟ ଏହି କାର୍ଯ୍ୟ କରିଥାନ୍ତି। ପରେ ଗୋରଙ୍କୁ ପର୍ଯ୍ୟାପ୍ତ ପରିମାଣର ଖାଦ୍ୟ, ବିଶେଷ କରି ଘାସ ଖାଇବାକୁ ଦିଆଯାଇଥାଏ। ସନ୍ଧ୍ୟା ପୂର୍ବରୁ ଗାଁମୁଣ୍ଡ ଗାଈଗୋଠରେ ଗ୍ରାମ ମୁଖିଆ ଗ୍ରାମଦେବୀଙ୍କୁ ରୀତି ନୀତି ଅନୁଯାୟୀ ପୂଜାର୍ଚ୍ଚନା କରିଥାନ୍ତି। ଏହି ଅବସରରେ ଭୋଜି ଭାତର ମଧ୍ୟ ଆୟୋଜନ ହୋଇଥାଏ।

ସେହିପରି ସା ସମୟରେ, ଗୁହାଳ ସମେତ ଘରର ସମସ୍ତ କୋଠରୀର ଦ୍ୱାର ଦୁଇ ପାର୍ଶ୍ୱରେ ଘାସ ମୁଠା ରଖାଯାଏ ଏବଂ ଶାଳ ପତ୍ର ଉପରେ ଚାଉଳ ଗୁଣ୍ଡରେ ତିଆରି ‘ଦୀପ’ ଜଳାଯାଏ। ରାତ୍ରିରେ ଗ୍ରାମର ପ୍ରତି ପରିବାର ପକ୍ଷରୁ ଜଣେ ଧିଙ୍ଗୁଆନରେ ସାମିଲ ହୋଇ ଥାନ୍ତି। ଏପରିକି କୁଡୁମି ସମାଜ ଲୋକେ ପାରିବାରିକ ଭୋଜନ କରି ଭାଇ ଚାରାର ଉଦାହରଣ ସୃଷ୍ଟି କରିଥାନ୍ତି।


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।