ଦୀପାବଳିରେ ଗଡ଼ିଲା ମୁଣ୍ଡ, ପେସାଦାର ଅପରାଧୀ ସନ୍ତୋଷଙ୍କୁ ଗାଁ ଦାଣ୍ଡରେ ଗୋଡ଼ାଇ ଗୋଡ଼ାଇ ହାଣି ହତ୍ୟା
ବ୍ରହ୍ମପୁର,୮ା୧୧(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁରରେ ଏବେ ପର୍ବପର୍ବାଣିରେ ଗଡୁଛି ମୁଣ୍ଡ। ଗତବର୍ଷ କୁମାର ପୂର୍ଣ୍ଣିମାରେ ଭାଜପା ନେତା ତଥା ଆଇନଜୀବୀ ପୀତବାସ ପଣ୍ଡାଙ୍କୁ ହତ୍ୟା କରାଯାଇଥିଲା। ଚଳିତ ବର୍ଷ ଦୀପାବଳିରେ ବି ନିମଖଣ୍ଡି ଥାନା ଅନ୍ତର୍ଗତ ଯୋଗିଆପଲ୍ଲୀରେ ସନ୍ତୋଷ ପାତ୍ର(୩୫)ଙ୍କୁ ଦୁର୍ବୃତ୍ତମାନେ ଗୋଡ଼ାଇ ଗୋଡ଼ଇ ଖଣ୍ଡାରେ ହାଣି ହତ୍ୟା କରିଛନ୍ତି। ଘଟଣାକୁ ନେଇ ଗାଁ ’ରେ ଚାଞ୍ଚଲ୍ୟ ଖେଳିଯାଇଛି। ପୋଲିସ ସେଠାରେ ପହଞ୍ଚି ତଦନ୍ତ କରୁଛି। ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧନୀ କୁକୁରର ସହାୟତା ନିଆଯାଇଛି। ସନ୍ତୋଷଙ୍କ ନାମରେ ହତ୍ୟା, ଡକାୟତି, ଦାଦବଟି ମାଗିବା ଭଳି ଏକାଧିକ ସଙ୍ଗୀନ ମାମଲା ରହିଛି।
ଘଟଣାରୁ ପ୍ରକାଶ ଯେ, ଯୋଗିଆପଲ୍ଲୀରେ କୋଠିଶାଳ ଯାତ୍ରା ଚାଲିଛି। ଜଣେ ଯୁବତୀଙ୍କୁ ପ୍ରେମ ସମ୍ପର୍କକୁ ନେଇ ଶନିବାର ସନ୍ଧ୍ୟାରେ ସନ୍ତୋଷଙ୍କ ସହ ଅନ୍ୟ ଗୋଷ୍ଠୀର ଯୁବକ ସହ ଝଗଡ଼ା ହୋଇଥିଲା। ଆଜି ସକାଳେ ସନ୍ତୋଷ ପୁଣିଥରେ ଝଗଡା ପାଇଁ ଯାଇଥିବା ବେଳେ ଅନ୍ୟ ଗୋଷ୍ଠୀର ଯୁବକମାନେ ତାଙ୍କୁ ସାଙ୍ଗବଦ୍ଧ ଭାବେ ଅତି ନିର୍ମମ ଭାବେ ଗାଁ ଦାଣ୍ଡରେ ହାଣିଛନ୍ତି। ସନ୍ତୋଷ ସହ ତାଙ୍କ ବାପା ମଧ୍ୟ ସେଠାକୁ ଯାଇଥିବା ବେଳେ ତାଙ୍କୁ ମଧ୍ୟ ଆକ୍ରମଣ କରାଯାଇଛି। ସନ୍ତୋଷଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ବାପା ଆହତ ହୋଇ ଏବେ ଏମକେସିଜି ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି। ଉକ୍ତ ଗ୍ରାମର ହିଁ କିଛି ଯୁବକ ହତ୍ୟା କରିଥିବା ପୋଲିସ ତଦନ୍ତରେ ଜଣାପଡିଛି। ପର୍ବ ପର୍ବାଣୀର ସୁଯୋଗ ନେଇ ମୁଣ୍ଡ ଗଡାଉଛନ୍ତି ଅପରାଧୀ। ଗାଁରେ ସନ୍ତୋଷଙ୍କ ଖାତିର ଥିବାବେଳେ ଗତକାଲି ତାଙ୍କ ପରିବାର ଲୋକଙ୍କୁ ଅସଦାଚରଣ ହୋଇଥିଲା। ଏହି କଥା ସେ ପଚାରିବାକୁ ଯାଇଥିବାବେଳେ କିଛି ଯୁବକ ଖଣ୍ଡା ଚୋଟ ପକାଇଛନ୍ତି। ତାଙ୍କର କିଛି ରାଜନୈତିକ ଓ ବ୍ୟବସାୟିକ ଲୋକଙ୍କ ସହ ଶତ୍ରୁତା ଥିବା ଜଣାପଡ଼ିଛି। କାହାର ଇସାରାରେ ହତ୍ୟା ହୋଇଛି ପୋଲିସ ଏବେ ସେ ଦିଗରେ ତଦନ୍ତ କରୁଥିବା କହିଛି। ଅନ୍ୟପଟେ ଆହତଙ୍କ ବୟାନ ଆଧାରରେ ଅଭିଯୁକ୍ତମାନେ ଚି଼ହ୍ନଟ ହୋଇଛନ୍ତି। ଘଟଣା ପରେ ସେମାନେ ଫେରାର ହୋଇଯାଇଥିବା ବେଳେ ସେମାନଙ୍କୁ ଧରିବା ପାଇଁ ଏକ ଟିମ୍ ଗଠନ ହୋଇଥିବା ପୋଲିସ କହିଛି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।