ଜିଲାସ୍ତରୀୟ ପିଏମ୍‌ଶ୍ରୀ କୁଇଜ୍‌ ପ୍ରତିଯୋଗିତା, ପୁରସ୍କୃତ ହେଲେ କୃତୀ ପ୍ରତିଯୋଗୀ

Nov 08, 2026 - 18:13
ଜିଲାସ୍ତରୀୟ ପିଏମ୍‌ଶ୍ରୀ କୁଇଜ୍‌ ପ୍ରତିଯୋଗିତା, ପୁରସ୍କୃତ ହେଲେ କୃତୀ ପ୍ରତିଯୋଗୀ

ବଲାଙ୍ଗୀର: ୮।୧୧(ସୁନିଲ କୁମାର ମହାନ୍ତି): ଛାତ୍ରୀଛାତ୍ରଙ୍କ ଜ୍ଞାନ, ମେଧା, ଉପସ୍ଥିତ ବୁଦ୍ଧି ଓ ପ୍ରତିଯୋଗିତାମୂଳକ ମନୋଭାବର ବିକାଶ ଲକ୍ଷ୍ୟରେ ଜିଲାସ୍ତରୀୟ ପିଏମ୍‌ଶୀ କୁଇଜ ପ୍ରତିଯୋଗିତା ୨୦୨୬ ବଲାଙ୍ଗୀରସ୍ଥିତ ଆର୍‌ଜି ହିନ୍ଦୀ ଉଚ୍ଚ ବିଦ୍ୟାଳୟରେ ଆୟୋଜିତ ହୋଇଯାଇଛି। ପ୍ରତିଯୋଗିତାରେ ଜିଲାର ବିଭିନ୍ନ ବ୍ଲକରୁ ଆସିଥିବା ଛାତ୍ରୀଛାତ୍ରମାନେ କନିଷ୍ଠ ଏବଂ ବରିଷ୍ଠ ବର୍ଗରେ ଅଂଶଗ୍ରହଣ କରି ନିଜ ଜ୍ଞାନ ଓ ଦକ୍ଷତା ପ୍ରଦର୍ଶନ କରିଥିଲେ।

ଇତିହାସ, ଭୂଗୋଳ, ବିଜ୍ଞାନ, ଗଣିତ, ସାଧାରଣ ଜ୍ଞାନ, ସାମ୍ପ୍ରତିକ ଘଟଣାବଳୀ ଓ ଓଡ଼ିଶାର କଳା-ସଂସ୍କୃତି ଆଦି ବିଷୟକୁ ନେଇ ପ୍ରଶ୍ନୋତ୍ତର ପର୍ଯ୍ୟାୟ ଆୟୋଜିତ ହୋଇଥିଲା। ପ୍ରତିଯୋଗୀମାନେ ଉତ୍ସାହ ଓ ଆତ୍ମବିଶ୍ୱାସର ସହିତ ପ୍ରଶ୍ନର ଉତ୍ତର ଦେଇଥିଲେ। ଏହା ଏକ ଜ୍ଞାନପୂର୍ଣ୍ଣ ଓ ଉତ୍ସାହଜନକ ପରିବେଶ ସୃଷ୍ଟି କରିଥିଲା। ଏହି ଅବସରରେ ଜିଲା ଶିକ୍ଷା ଅଧିକାରୀ ସୁଧାଂଶୁ ଶେଖର ମିଶ୍ର ସଭାପତିତ୍ୱ କରିଥିବା ବେଳେ ଅତିରିକ୍ତ ଜିଲାପାଳ ପବିତ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।

ଜିଲା ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ତରଣୀ ସୁନା ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ। ଅନ୍ୟତମ ମଞ୍ଚାସୀନ ଅତିଥି ଭାବେ ଅତିରିକ୍ତ ଜିଲା ଶିକ୍ଷା ଅଧିକାରୀ ପ୍ରବୀର କୁମାର ପଣ୍ଡା, ରୀନା କୁମାରୀ ବେହେରା, ସେବାଶ୍ରୀ ଭୋଇ ଯୋଗ ଦେଇଥିଲେ। ଅତିଥିମାନେ ବକ୍ତବ୍ୟରେ କୁଇଜ ପ୍ରତିଯୋଗିତା ମାଧ୍ୟମରେ ଛାତ୍ରୀଛାତ୍ରଙ୍କ ଜ୍ଞାନ ଏବଂ ଆତ୍ମବିଶ୍ୱାସ ବୃଦ୍ଧିରେ ସହାୟକ ହୋଇଥାଏ ବୋଲି ମତପ୍ରକାଶ କରିଥିଲେ।

ଶିକ୍ଷା କେବଳ ପାଠ୍ୟପୁସ୍ତକ ମଧ୍ୟରେ ସୀମିତ ନ ରହି ବିଭିନ୍ନ ଜ୍ଞାନମୂଳକ କାର୍ଯ୍ୟକ୍ରମ ମାଧ୍ୟମରେ ସମୃଦ୍ଧ ହେବା ଆବଶ୍ୟକ ବୋଲି ସେମାନେ ମତ ଦେଇଥିଲେ। କାର୍ଯ୍ୟକ୍ରମର ଶେଷ ପର୍ଯ୍ୟାୟରେ କନିଷ୍ଠ ଓ ବରିଷ୍ଠ ବର୍ଗର ବିଜୟୀ ପ୍ରତିଯୋଗୀଙ୍କୁ ଅତିଥିଙ୍କ ଦ୍ୱାରା ଟ୍ରଫି, ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ବିଜୟୀ ପ୍ରତିଯୋଗୀଙ୍କୁ ଅତିଥିମାନେ ଅଭିନନ୍ଦନ ଜଣାଇବା ସହ ଭବିଷ୍ୟତରେ ଆହୁରି ସଫଳତା ହାସଲ କରିବାକୁ ପ୍ରେରଣା ଦେଇଥିଲେ l


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।