ନନା-ଜେନାଙ୍କ ପତିଆରା ଲଢ଼େଇ: ଭାଜପାରେ ଶୀତଳ ଯୁଦ୍ଧ
ବାଲେଶ୍ୱର,୩୦ା୧୦(ମୃତ୍ୟୁଞ୍ଜୟ ପଟ୍ଟନାୟକ):ପୂର୍ବତନ ଏମ୍ପି ରବୀନ୍ଦ୍ର କୁମାର ଜେନା କିଛି ମାସ ପୂର୍ବରୁ ବିଜେଡି ଛାଡ଼ି ଭାଜପାରେ ଯୋଗଦେବା ପରେ ବାଲେଶ୍ୱର ଭାଜପାରେ ଶୀତଳ ଯୁଦ୍ଧ ତୀବ୍ର ହୋଇଛି। ଦଳର ବରିଷ୍ଠ ନେତା ତଥା ବର୍ତ୍ତମାନର ଏମ୍ପି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ (ନନା) ଏବଂ ରବୀନ୍ଦ୍ର ଜେନାଙ୍କ ମଧ୍ୟରେ ସାଙ୍ଗଠନିକ ପତିଆରାକୁ ନେଇ ପ୍ରତି ନିର୍ବାଚନମଣ୍ଡଳୀରେ ଟକ୍କର ଚାଲିଛି। ସିମୁଳିଆ ବିଧାୟକ ପଦ୍ମଲୋଚନ ପଣ୍ଡା ନନାଙ୍କ ସମର୍ଥକ ଭାବେ ଗତ ନିର୍ବାଚନରେ ଭାଜପା ଟିକେଟରୁ ବିଜୟୀ ହୋଇଥିଲେ। ମାତ୍ର ରବୀନ୍ଦ୍ର ମିଶିବା ପରେ ତାଙ୍କ ସମର୍ଥକ ବିଜେଡିର ପୂର୍ବତନ ନେତା ଶଶୀ ସାହୁ ଓ ତାଙ୍କ ସ୍ତ୍ରୀ ସୁବାସିନୀ ସାହୁ ଭାଜପାରେ ମିଶିଛନ୍ତି। ଏବେ ବିଭିନ୍ନ କାର୍ଯ୍ୟକ୍ରମରେ ଶଶୀ ସାହୁଙ୍କ ସମର୍ଥକ ଅଧିକ ସକ୍ରିୟ ଦେଖାଯାଉଛନ୍ତି।
ସେହିପରି ନୀଳଗିରିରେ ସନ୍ତୋଷ ଖଟୁଆ ରବୀନ୍ଦ୍ରଙ୍କ ପରୋକ୍ଷ ଇଙ୍ଗିତରେ ବିଜେଡିରୁ ଭାଜପାକୁ ଯାଇ ଟିକେଟ ପାଇ ବିଧାୟକ ହୋଇଥିଲେ ବୋଲି ଚର୍ଚ୍ଚା ହେଉଥିଲା। ନିର୍ବାଚନ ସମୟରେ ବିକଳ୍ପ ନ ଥିବାରୁ ନନା ତାଙ୍କୁ ସମର୍ଥନ କରିଥିଲେ। ଏବେ ନନା ନିଜ ବ୍ୟକ୍ତିଗତ ସହାୟକ ଚନ୍ଦ୍ରବିନ୍ଦୁ ଦାସଙ୍କୁ ବିଭିନ୍ନ ସଭାକୁ ପଠାଇ ନିଜ ପତିଆରା ବଢ଼ାଇବାକୁ ଚେଷ୍ଟା କରୁଛନ୍ତି ବୋଲି ତାଙ୍କ ସମର୍ଥକ କହୁଛନ୍ତି। ଅପରପକ୍ଷରେ ରବୀନ୍ଦ୍ର ଆସିବା ପରେ ବିଧାୟକ ଖଟୁଆଙ୍କ ଗୋଷ୍ଠୀ ଅଧିକ ଶକ୍ତିଶାଳୀ ହୋଇଛନ୍ତି। ରେମୁଣାରେ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ ଉଭୟ ନେତାଙ୍କଠାରୁ ସମଦୂରତା ରକ୍ଷା କରୁଥିବା ଭଳି ସାଧାରଣରେ ମତ ଉଠୁଛି। ଏହା ମଧ୍ୟ କୁହାଯାଉଛି, ରବୀନ୍ଦ୍ର ଭାଜପାର କେତେଜଣ ଅସନ୍ତୁଷ୍ଟ ନେତାଙ୍କୁ ନିଜ ସପକ୍ଷରେ ନେଇ ସମର୍ଥନ ବଢ଼ାଉଛନ୍ତି। ବାଲେଶ୍ୱର ସଦର ନିର୍ବାଚନମଣ୍ଡଳୀର ବିଧାୟକ ମାନସ ଦତ୍ତ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁଗତ ଭାବେ ଜଣାଶୁଣା। ଭାଜପା ରାଜ୍ୟ ରାଜନୀତିରେ ଧର୍ମେନ୍ଦ୍ର ଏବଂ ଏମ୍ପି ପ୍ରତାପ ଷଡ଼ଙ୍ଗୀଙ୍କ ମଧ୍ୟରେ ଥିବା ସମ୍ପର୍କ ବିଷୟରେ ସ୍ଥାନୀୟ ରାଜନୈତିକ ଲୋକେ ଚର୍ଚ୍ଚା କରନ୍ତି। ବିଧାୟକ ଦତ୍ତ ଏବଂ ଏମ୍ପି ଷଡ଼ଙ୍ଗୀଙ୍କ ମଧ୍ୟରେ ସମ୍ପର୍କ କିଭଳି ଥିବ ତାହା ମଧ୍ୟ ଆଲୋଚନାର ବିଷୟ ପାଲଟିଛି। ଏଭଳି ପରିସ୍ଥିତିରେ ରବୀନ୍ଦ୍ରଙ୍କ ଭାଜପାରେ ମିଶିବା ଘଟଣା ବିଧାୟକ ଦତ୍ତଙ୍କ ପାଇଁ ଆଗାମୀ ଦିନରେ ଅନେକ ନୂଆ ରାଜନୈତିକ ସମ୍ଭାବନା ସୃଷ୍ଟି କରୁଥିବା କୁହାଯାଉଛି। ରବୀନ୍ଦ୍ର ପରିସ୍ଥିତିକୁ ଦେଖି ଏଠାରେ ନିଜ ଗୋଷ୍ଠୀକୁ ମଜଭୁତ କରୁଛନ୍ତି। ବସ୍ତାରେ ରବୀନ୍ଦ୍ରଙ୍କ ସ୍ତ୍ରୀ ସୁବାସିନୀ ଜେନା ବିଧାୟିକା ଅଛନ୍ତି। ରାଜ୍ୟ ସଭା ନିର୍ବାଚନରେ କ୍ରସ୍ଭୋଟିଂ ପାଇଁ ସେ ବିଜେଡିରୁ ନିଲମ୍ବିତ ହେବା ପରେ ଏବେ ଭାଜପା ଟିକେଟ ଆଶାରେ ଅଛନ୍ତି ବୋଲି ଶାସକ ଦଳର ଗୋଟିଏ ଗୋଷ୍ଠୀ କହୁଛନ୍ତି। ଏହା ସଫଳ ହେଲେ ନନାଙ୍କ ସମର୍ଥକ ରବୀନ୍ଦ୍ର ଅଣ୍ଡିଆଙ୍କୁ ନିରାଶ ହେବାକୁ ପଡିପାରେ। ସେ ଏବେ ବନ୍ୟା ରିଲିଫ କାର୍ଯ୍ୟକ୍ରମରେ ନନାଙ୍କୁ ନେଇ ସମର୍ଥନ ଜୁଟାଉଥିବା ଦେଖାଯାଉଛି। ଜଳେଶ୍ୱରରେ ଭାଜପା ବିଧାୟକ ପ୍ରାର୍ଥୀ ବ୍ରଜ ପ୍ରଧାନ ରବୀନ୍ଦ୍ରଙ୍କ ଜଣେ ଦୃଢ ସମର୍ଥକ ଥିଲେ। ଟିକେଟ ନ ମିଳିବାରୁ ଭାଜପାରେ ଯୋଗଦେଇ ଅଳ୍ପ ଭୋଟରେ ହାରିଥିଲେ। ରବୀନ୍ଦ୍ର ଭାଜପାରେ ଯୋଗଦେବା ପରେ ତାଙ୍କ ସମର୍ଥକ ଉତ୍ସାହିତ ଅଛନ୍ତି। ଏଭଳି ଏପଟସେପଟ ବେଳେ ଜଳେଶ୍ୱର ନିର୍ବାଚନମଣ୍ଡଳୀରେ ସିପ୍ରା ବାଜପେୟୀ ନନାଙ୍କ ସହ ରହି ଭାବମୂର୍ତ୍ତି ବଢ଼ାଇବାକୁ ଉଦ୍ୟମ କରୁଛନ୍ତି। ଏମ୍ପି ଥିବା ବେଳେ ଭୋଗରାଇରେ ରବୀନ୍ଦ୍ରଙ୍କ ଲୋକପ୍ରିୟତା ଶୀର୍ଷରେ ଥିଲା। ଗତ ନିର୍ବାଚନରେ ତାଙ୍କ ସମର୍ଥକ ବିଜେଡି ପ୍ରାର୍ଥୀଙ୍କୁ ଜିତାଇବାରେ ଭୂମିକା ନେଇଥିଲେ। ଏବେ ସେମାନେ ଭାଜପାରେ ମିଶିଛନ୍ତି। ଏଠାରେ ଆଶିଷ ପାତ୍ର ଓ ଅଂଶୁମାନ ମହାନ୍ତିଙ୍କ ଭୂମିକାକୁ ନେଇ ମଧ୍ୟ ଚର୍ଚ୍ଚା ଚାଲିଛି। ଜିଲା ସଭାପତି ଈଶ୍ୱର ବେହେରାଙ୍କ ଘର ସୋର ନିର୍ବାଚନ ମଣ୍ଡଳୀରେ। ସେ ନନାଙ୍କ ଅନୁଗତ ବୋଲି କୁହାଯାଏ। ହେଲେ ପୂର୍ବତନ ବିଧାୟକ ପର୍ଶୁରାମ ଧଡ଼ା ବିଜେଡିରେ ଥିବା ବେଳେ ଜେନାଙ୍କ ନିକଟତର ଥିଲେ ଏବଂ ଏବେ ୨୦୨୯ ପାଇଁ ଜେନାଙ୍କ ସମର୍ଥନରେ ଟିକେଟ ଆଶା ରଖିଛନ୍ତି। ରାଜନୈତିକ ବିଶ୍ଳେଷକଙ୍କ ମତରେ ୨୦୨୯ ଏମ୍ପି ଟିକେଟ ପାଇଁ ଉଭୟ ନେତା ଦିଲ୍ଲୀ ଦୌଡ ଆରମ୍ଭ କରିଛନ୍ତି। ରବୀନ୍ଦ୍ର ଦିଲୀପ ରାୟଙ୍କ ସହ ଅଗଷ୍ଟ ୬ରେ ଅମିତ ଶାହାଙ୍କୁ ଭେଟିବା ପରେ ନନା ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟି ୩ କୋଟି ୧୦ଲକ୍ଷ ସ୍ବାସ୍ଥ୍ୟ ଅନୁଦାନ ଆଣି ଜବାବ ଦେଇଛନ୍ତି। ତେବେ ଭାଜପାରେ ନନା ଓ ଜେନାଙ୍କ ଏହି ଛକାପଞ୍ଝା ଖେଳ ଆଗାମୀ ଦିନରେ କାହାକୁ ଅଧିକ ଆଗୁଆ ରଖିବ ଏବଂ ନିର୍ବାଚନ ପୂର୍ବରୁ ରାଜ୍ୟ ଓ କେନ୍ଦ୍ର ନେତୃମଣ୍ଡଳ ଜିଲାର ନେତୃତ୍ୱ କାହା ହାତକୁ ଦେବେ ତାହା ସମ୍ପର୍କରେ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହେଲାଣି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।