ନାଗାଲାଣ୍ଡରେ ମଦମୃତ୍ୟୁ: ୨ ଦିନରେ ଗଲାଣି ୧୯ଜଣଙ୍କ ଜୀବନ

Sep 26, 2026 - 23:06
ନାଗାଲାଣ୍ଡରେ ମଦମୃତ୍ୟୁ: ୨ ଦିନରେ ଗଲାଣି ୧୯ଜଣଙ୍କ ଜୀବନ

କୋହିମା,୨୬ା୯; ନାଗାଲାଣ୍ଡରେ ବିଷାକ୍ତ ମଦ ପିଇ ୨ ଦିନରେ ୧୯ଜଣ ପ୍ରାଣ ହରାଇଛନ୍ତି। ମୃତ୍ୟୁର କାରଣ ଏବଂ ରାଜ୍ୟରେ ମଦ ଅପମିଶ୍ରଣର ଯୋଗାଣ ଶୃଙ୍ଖଳକୁ ଠାବ କରିବା ପାଇଁ ପୋଲିସ ଏକ ସ୍ବତନ୍ତ୍ର ତଦନ୍ତକାରୀ ଟିମ୍‌ (ଏସ୍‌ଆଇଟି) ଗଠନ କରିଛି। ନାଗାଲାଣ୍ଡରେ ୧୯୯୦ର ମଦ ଉତ୍ପାଦନ, ବିକ୍ରି ଓ ରଖିବା ନିଷେଧ ଆଇନ କାର୍ଯ୍ୟକାରୀ ହୋଇଥିବାବେଳେ ସେଠାରେ ଚୋରାରେ ମଦ କାରବାର ଚାଲିଛି ଓ ଅପମିଶ୍ରିତ ମଦ ପିଇ ଲୋକଙ୍କ ଜୀବନ ଯାଉଛି।

ମୋକକଚୁଙ୍ଗ୍‌ ଜିଲାରେ ୮ ଜଣ ଏବଂ ଟୁଏନସାଙ୍ଗ ଜିଲାରେ ୧୧ ଜଣ ମଦ ପିଇ ପ୍ରାଣ ହରାଇଥିବା ପୋଲିସ କହିଛି। ମୃତ୍ୟୁର କାରଣ ଜାଣିବା ପାଇଁ ପୋଲିସ ନମୁନା ସଂଗ୍ରହ କରି ଫୋରେନ୍‌ସିକ୍‌ ପରୀକ୍ଷା ନିମନ୍ତେ ଗୁଆହାଟୀ ପଠାଇଛି। ମଦମୃତ୍ୟୁ ଘଟଣା ପରେ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୧୯ ଜଣଙ୍କୁ ଗିରଫ କରିବା ସହ ୩,୦୦୦ ବୋତଲ ମଦ ଜବତ କରିଛି।

ଚିହ୍ନଟ ହୋଇ ନ ଥିବା କିମ୍ବା ଲେବଲ ଲାଗି ନ ଥିବା ସନ୍ଦେହଜନକ ନକଲି ମଦ ପିଇବାଠାରୁ ଦୂରେଇ ରହିବାକୁ ପୋଲିସ ଜନସାଧାରଣଙ୍କୁ ପରାମର୍ଶ ଦେଇଛି। କୌଣସି ବ୍ୟକ୍ତି ମଦ ପିଇବା ପରେ ତାଙ୍କଠାରେ ମୁଣ୍ଡ ବୁଲାଇବା, ଝାପ୍ସା ଦେଖାଯିବା, ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କରିବା ବା ଚେତା ହରାଇବା ଭଳି ଲକ୍ଷଣ ଦେଖାଦେଲେ ତୁରନ୍ତ ହସ୍ପିଟାଲ ନେବାକୁ କୁହାଯାଇଛି।


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।