ନିତ୍ୟା ରମଣ ହେଲେ ଲସ୍‌ ଆଞ୍ଜେଲସ୍‌ର ମେୟର, ଟ୍ରମ୍ପ କହିଲେ ଲଜ୍ଜାଜନକ….

Nov 06, 2026 - 09:16
ନିତ୍ୟା ରମଣ ହେଲେ ଲସ୍‌ ଆଞ୍ଜେଲସ୍‌ର ମେୟର, ଟ୍ରମ୍ପ କହିଲେ ଲଜ୍ଜାଜନକ….

ୱାଶିଂଟନ୍‌,୬।୧୧: ଆମେରିକାରେ ମଧ୍ୟବର୍ତ୍ତିକାଳୀନ ନିର୍ବାଚନରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ରିପବ୍ଲିକାନ୍‌ ପାର୍ଟିକୁ ବଡ଼ ଝଟକା ଲାଗିଛି । ଲସ୍‌ ଆଞ୍ଜେଲସ୍‌ ଓ ୱାଶିଂଟନ୍‌ ଡିସିର ମେୟର ନିର୍ବାଚନରେ ମଧ୍ୟ ଦଳକୁ ପରାଜୟର ସାମ୍ନା କରିବାକୁ ପଡ଼ିଛି । ଲସ୍‌ ଆଞ୍ଜେଲସ୍‌ରେ ଭାରତରେ ଜନ୍ମିତ ନିତ୍ୟା ରମନ୍‌ ମେୟର ନିର୍ବାଚିତ ହୋଇଛନ୍ତି । ଏହି ନିର୍ବାଚନୀ ଫଳାଫଳ ଉପରେ ପ୍ରତିକ୍ରିୟା ଦେଇ ଟ୍ରମ୍ପ ଡେମୋକ୍ରାଟିକ୍‌ ସୋସିଆଲିଷ୍ଟଙ୍କ ବିଜୟକୁ ନେଇ କଟାକ୍ଷ କରିଛନ୍ତି।

ହ୍ୱାଇଟ୍‌ ହାଉସ୍‌ରେ ଗଣମାଧ୍ୟମକୁ ସମ୍ବୋଧନ କରି ଟ୍ରମ୍ପ କହିଛନ୍ତି, ଲୋକେ ଯେତେବେଳେ ଅସନ୍ତୁଷ୍ଟ ହେବେ, ସେତେବେଳେ ପରିବର୍ତ୍ତନ ଆସିବ। କିନ୍ତୁ ଅନେକ ସମୟରେ ଏହି ପରିବର୍ତ୍ତନ ଏତେ ବିଳମ୍ବରେ ଆସେ ଯେ, ସେତେବେଳକୁ ସହର, ଦେଶ କିମ୍ବା ରାଜ୍ୟର ସ୍ଥିତି ଏତେ ଖରାପ ହୋଇଯାଇଥାଏ ଯେ ତାହାକୁ ପୁଣି ଠିକ୍‌ କରିବା ସମ୍ଭବ ହୁଏନାହିଁ।

ଲସ୍‌ ଆଞ୍ଜେଲସ୍‌ ନିର୍ବାଚନ ସମ୍ପର୍କରେ ଟ୍ରମ୍ପ କହିଛନ୍ତି, ଏହା ଅତ୍ୟନ୍ତ ଲଜ୍ଜାଜନକ ଘଟଣା। ସେ ଆଶା କରିଥିଲେ ଯେ ସ୍ପେନ୍ସର ପ୍ରାଟ୍‌ ଫାଇନାଲ୍‌ ପର୍ଯ୍ୟାୟରେ ପହଞ୍ଚିବେ। ତାଙ୍କ ମତରେ ଅନ୍ୟମାନେ ମଧ୍ୟ ସେହି ଆଶା ରଖିଥିଲେ। ଆମେରିକାର ନିର୍ବାଚନ ବ୍ୟବସ୍ଥା ଅତ୍ୟନ୍ତ ଅସାଧୁ ବୋଲି ଅଭିଯୋଗ କରି ଟ୍ରମ୍ପ କହିଛନ୍ତି, ଏହାର ପରିଣାମ ଭବିଷ୍ୟତରେ ଏକ ବଡ଼ ବିପର୍ଯ୍ୟୟ ହୋଇପାରେ। ଏହା ସହ ନ୍ୟୁୟର୍କର ଜଣେ ବ୍ୟକ୍ତିଙ୍କ ସହ ତାଙ୍କର ଭଲ ସମ୍ପର୍କ ରହିଥିବା ଏବଂ ତାଙ୍କ ସହ କାମ ଚାଲିଥିବା ଟ୍ରମ୍ପ କହିଛନ୍ତି । ନ୍ୟୁୟର୍କର ଉନ୍ନତି ହେଉ ବୋଲି ସେ ଆଶା କରୁଥିବା ମଧ୍ୟ ପ୍ରକାଶ କରିଛନ୍ତି। ଲସ୍‌ ଆଞ୍ଜେଲସ୍‌ର ନୂଆ ମେୟର ଭାବେ ନିର୍ବାଚିତ ହେବା ପରେ ନିତ୍ୟା ରମନ୍‌ ସୋସିଆଲ୍‌ ମିଡିଆରେ ଏକ ଭିଡିଓ ସେୟାର କରି ଖୁସି ପ୍ରକାଶ କରିଛନ୍ତି । ସେ ଲେଖିଛନ୍ତି, ଲସ୍‌ ଆଞ୍ଜେଲସ୍‌ର ଆଗାମୀ ମେୟର ହେବା ତାଙ୍କ ପାଇଁ ଏକ ବଡ଼ ସମ୍ମାନ। ସେ ବର୍ତ୍ତମାନର ମେୟର ବାସ୍‌ଙ୍କ ସହ କଥା ହୋଇ ତାଙ୍କ ନେତୃତ୍ୱ ଓ ଦୀର୍ଘଦିନର ସେବା ପାଇଁ କୃତଜ୍ଞତା ଜଣାଇଛନ୍ତି।

ଏହି ସହର ଓ ଏହାର ଲୋକଙ୍କ ଉପରେ ତାଙ୍କର ଭରସା ରହିଛି ବୋଲି ନିତ୍ୟା କହିଛନ୍ତି । ଆଗାମୀ ଦିନରେ ଅନେକ ଆହ୍ୱାନ ରହିଥିବା ସହ ପରିବର୍ତ୍ତନ ଆଣିବାକୁ ସମୟ ଲାଗିବ। କିନ୍ତୁ ସମସ୍ତେ ମିଶି ସହର ପାଇଁ ଏକ ଉତ୍ତମ ଭବିଷ୍ୟତ ଗଢ଼ିପାରିବେ ବୋଲି ସେ ଆଶା ପ୍ରକାଶ କରିଛନ୍ତି।

 

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।