ପରକୀୟା ପ୍ରୀତିରୁ ମହାଭାରତ: ୨ ପରିବାର ମଧ୍ୟରେ ଖଣ୍ଡଯୁଦ୍ଧ, ୬ ଆହତ; ୫ ଗିରଫ ହୋଇ ଜେଲ୍‌ରେ

Oct 06, 2026 - 22:48
ପରକୀୟା ପ୍ରୀତିରୁ ମହାଭାରତ: ୨ ପରିବାର ମଧ୍ୟରେ ଖଣ୍ଡଯୁଦ୍ଧ, ୬ ଆହତ; ୫ ଗିରଫ ହୋଇ ଜେଲ୍‌ରେ

ଦିଗପହଣ୍ଡି/ଚିକିଟି,୬|୧୦(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ ରାମଚନ୍ଦ୍ରପୁର ଗ୍ରାମରେ ପାରିବାରିକ ହିଂସାକୁ ନେଇ ଦୁଇ ପରିବାର ମଧ୍ୟରେ ଘଟିଛି ରକ୍ତାକ୍ତ ସଂଘର୍ଷ। ପରକୀୟା ପ୍ରୀତିକୁ ନେଇ ଆକ୍ରମଣ ଓ ପ୍ରତିଆକ୍ରମଣରେ ଉଭୟ ପରିବାରର ୬ ଜଣ ଆହତ ହୋଇଥିବା ବେଳେ ୨ ଜଣ ମହିଳାଙ୍କ ସମେତ ୩ ଜଣ ଗୁରୁତର ହୋଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ସୋମବାର ରାତି ପ୍ରାୟ ୯:୩୦ ମିନିଟ୍‌ରେ ପରକୀୟା ପ୍ରୀତିକୁ ନେଇ ଗ୍ରାମର ଦୁଇ ପରିବାର ମଧ୍ୟରେ ବାକ୍‌ଯୁଦ୍ଧରୁ ସଂଘର୍ଷ ଉଗ୍ର ରୂପ ନେଇଥିଲା। ଏଥିରେ ଗ୍ରାମର ସୁକାନ୍ତି ସେଠୀ, ସବିତା ସେଠୀ ଏବଂ ସୂର୍ଯ୍ୟ ସେଠୀ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ (MKCG) ଭର୍ତ୍ତି କରାଯାଇଛି, ଯେଉଁଠାରେ ସେମାନଙ୍କ ଚିକିତ୍ସା ଜାରି ରହିଛି।

ଘଟଣାକୁ ନେଇ ଉଭୟ ପକ୍ଷରୁ କେ.ନୂଆଗାଁ ଥାନାରେ ଏତଲା ଦିଆଯାଇଥିଲା। ଏତଲା ଆଧାରରେ ଆଇଆଇସି ବିଶ୍ୱଜିତ ନାୟକ ଥାନା ମାମଲା ନଂ. ୨୨୧/୨୬ ଏବଂ ୨୨୨/୨୬ ଅନୁଯାୟୀ ୨ଟି ପୃଥକ୍ ମକଦ୍ଦମା ରୁଜୁ କରିଛନ୍ତି। ପୁଲିସ ଗୋଟିଏ ଗୋଷ୍ଠୀର ହାଡ଼ି ସେଠୀ, ସିମାଞ୍ଚଳ ସେଠୀ, ସୂର୍ଯ୍ୟ ସେଠୀ ଏବଂ ଅପର ଗୋଷ୍ଠୀର ବୁଡ଼ୁ ସେଠୀ ଓ ସନ୍ତୋଷ ସେଠୀଙ୍କୁ ଗିରଫ କରି ପାତ୍ରପୁର କୋର୍ଟ ଚାଲାଣ କରିଛି।

କୋର୍ଟରେ ଅଭିଯୁକ୍ତମାନଙ୍କ ଜାମିନ ଆବେଦନ ଖାରଜ ହୋଇଯିବାରୁ ସମସ୍ତ ୫ ଜଣଙ୍କୁ ବ୍ରହ୍ମପୁର ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି। ପୁଲିସ ଆକ୍ରମଣରେ ବ୍ୟବହୃତ ଗୋଟିଏ କାତି ଓ ଛୁରୀ ଜବତ କରି ଘଟଣାର ଅଧିକ ତଦନ୍ତ ଜାରି ରଖିଛି।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।