ପାକିସ୍ତାନୀ ସେନାର ଅତ୍ୟାଚାର: ପ୍ରଦର୍ଶନକାରୀଙ୍କ ଉପରକୁ ଡ୍ରୋନରୁ ଗୁଳିଚାଳନା, ୩ ମୃତ

Nov 05, 2026 - 17:50
ପାକିସ୍ତାନୀ ସେନାର ଅତ୍ୟାଚାର: ପ୍ରଦର୍ଶନକାରୀଙ୍କ ଉପରକୁ ଡ୍ରୋନରୁ ଗୁଳିଚାଳନା, ୩ ମୃତ

ଇସଲାମାବାଦ,୫।୧୧: ପାକିସ୍ତାନ ଅଧିକୃତ କଶ୍ମୀରରେ, ପାକିସ୍ତାନୀ ସେନା ସ୍ଥାନୀୟ ଜନସାଧାରଣଙ୍କ ଉପରେ କ୍ରମାଗତ ଭାବେ ଅତ୍ୟାଚାର ଚଳାଇଛି। ଗୁରୁବାର ସକାଳ ୫ଟା ସମୟରେ, ଡ୍ରୋନଗୁଡ଼ିକ ହଠାତ ଲୋକଙ୍କ ଘର ଉପରକୁ ଗୁଳିଚାଳନା କରିଥିଲେ। ଏହି ଆକ୍ରମଣରେ ଅନେକ ବ୍ୟକ୍ତି ଆହତ ହୋଇଥିବା ଖବର ମିଳିଛି; ବର୍ତ୍ତମାନର ସୂଚନା ଅନୁଯାୟୀ, ପ୍ରାୟ ୧୮ ଜଣ ଲୋକ ଆହତ ହୋଇଛନ୍ତି। ଏହି ସମୟରେ, ସୋସିଆଲ ମିଡିଆରେ ଏହି ଘଟଣା ସହ ଜଡ଼ିତ ବିଭିନ୍ନ ଭିଡିଓ ପ୍ରସାରିତ ହେଉଛି। ଏହି ଘଟଣା ରାୱାଲାକୋଟର ‘ଉମର ଫାରୁକ ଚୌକ’ ଠାରେ ଘଟିଛି। ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁଯାୟୀ, ପାକିସ୍ତାନୀ ସେନା ଜାଣିଶୁଣି ଘରଗୁଡ଼ିକ ଏବଂ ନିରସ୍ତ୍ର ସାଧାରଣ ନାଗରିକଙ୍କୁ ଟାର୍ଗେଟ କରୁଛି। ଜୁନ ୨୦୨୬ରେ ମଧ୍ୟ ପାକିସ୍ତାନୀ ସେନା ପକ୍ଷରୁ ଏଭଳି ଏକ ଆକ୍ରମଣ କରାଯାଇଥିଲା, ଯେଉଁଥିରେ ପ୍ରାୟ ୧୫୩ ଜଣ ଲୋକଙ୍କ ମୃତ୍ୟୁ ଘଟିଥିଲା।
ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଅନେକ ଭିଡିଓରେ ଘରଗୁଡ଼ିକ ଜଳୁଥିବାର ଦୃଶ୍ୟ ଦେଖିବାକୁ ମିଳୁଛି। ଏହି ଅଞ୍ଚଳର ଲୋକମାନେ କହିଛନ୍ତି ଯେ, ପାକିସ୍ତାନୀ ସେନା ପ୍ରକାରାନ୍ତରେ ସେମାନଙ୍କ ପାଇଁ ଏକ ‘ମୃତ୍ୟୁ ପରୱାନା’ (death warrant) ଜାରି କରିଛି। ଅନ୍ୟ କିଛି ଭିଡିଓରେ ଗୁଳିବର୍ଷଣର ଶବ୍ଦ ଶୁଣିବାକୁ ମିଳୁଛି; ପ୍ରଦର୍ଶନକାରୀଙ୍କ ଅଭିଯୋଗ ଅନୁଯାୟୀ, ପାକିସ୍ତାନୀ ସେନା ସାଧାରଣ ଜନତା ଏବଂ ପିଲାମାନଙ୍କ ଉପରକୁ ଗୁଳି ଚଳାଇଛି। ତଥାପି, ଲୋକମାନେ ଦୃଢ଼ତାର ସହ କହିଛନ୍ତି ଯେ ସେମାନେ ଆସିମ ମୁନିରଙ୍କ ସେନା ବିରୋଧରେ ଅଟଳ ରହିବେ ଏବଂ ଯେକୌଣସି ମୂଲ୍ୟ ଦେବାକୁ ପଡ଼ିଲେ ମଧ୍ୟ ପଛଘୁଞ୍ଚା ଦେବେ ନାହିଁ।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ରାୱାଲାକୋଟରେ ସରକାରଙ୍କ ଦ୍ୱାରା ଯୋଗାଇ ଦିଆଯାଉଥିବା ମୋବାଇଲ ଏବଂ ଇଣ୍ଟରନେଟ ସେବା ବନ୍ଦ କରିଦିଆଯାଇଛି। ଲୋକଙ୍କ ମଧ୍ୟରେ ବ୍ୟାପକ ଆତଙ୍କ ଦେଖାଦେଇଛି ଏବଂ ଅନେକ ଲୋକ ପ୍ରତିବାଦ କରିବା ପାଇଁ ରାସ୍ତାକୁ ଓହ୍ଲାଇ ଆସିଛନ୍ତି। ପାକିସ୍ତାନ ଅଧିକୃତ କଶ୍ମୀର (PoK) ରେ ଦେଖାଦେଇଥିବା ଏହି ଆନ୍ଦୋଳନ, ସ୍ଥାନୀୟ ଜନସାଧାରଣ ଏବଂ ପାକିସ୍ତାନ ମଧ୍ୟରେ ଥିବା ସମ୍ପର୍କକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉଠାଇଛି। ପ୍ରଦର୍ଶନକାରୀମାନେ କେବଳ ଶସ୍ତା ବିଦ୍ୟୁତ ଏବଂ ଅଟା ଦାବି କରୁନାହାନ୍ତି; ବରଂ ସେମାନେ ବିଧାନସଭାରେ ପ୍ରତିନିଧିତ୍ୱ, ସ୍ଥାନୀୟ ସମ୍ବଳ ଉପରେ ନିୟନ୍ତ୍ରଣ ଏବଂ ପ୍ରଶାସନିକ ସ୍ବାୟତ୍ତତା ପାଇଁ ଦାବି କରୁଛନ୍ତି।

Dharitri – Odisha’s No.1, Most Trusted Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।