ପୂର୍ବଶତ୍ରୁତାରୁ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ: ଧରାପଡ଼ି ଜେଲ ଗଲେ ୪ ଅଭିଯୁକ୍ତ
ଦିଗପହଣ୍ଡି,୨୬।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ରବିବାର କୁମାର ପୂର୍ଣ୍ଣମୀ ସାରେ କାଳୁ ଗୌଡ଼(୪୧) ନାମକ ଜଣେ ଯୁବକଙ୍କୁ ୧୦ରୁ ଉଦ୍ଧର୍ବ ବ୍ୟକ୍ତି ସଂଘବଦ୍ଧ ଭାବେ ଆକ୍ରମଣ କରି ଗାଁ ଛକରେ ହତ୍ୟା ଉଦ୍ୟମ କରିଥିଲେ।
ଏହି ଘଟଣାରେ ସମ୍ପୃକ୍ତ ୪ ଅଭିଯୁକ୍ତଙ୍କୁ ତଦନ୍ତକାରୀ ଅଧିକାରୀ ତଥା କେ.ନୂଆଗାଁ ଆଇଆଇସି ବିଶ୍ୱଜିତ ନାୟକ ସୋମବାର ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଅଭିଯୁକ୍ତମାନେ ହେଲେ ସହଦେବ ଟିକରପଡ଼ା ଗ୍ରାମର ବିଶନାଥ ଗୌଡ଼(୩୨), ପଞ୍ଚା ଓରଫ ପଞ୍ଚାନନ ଗୌଡ଼(୬୫), ଟୁକୁନା ଗୌଡ଼(୩୬) ଏବଂ ସୀମାଞ୍ଚଳ ଗୌଡ଼(୪୨)। ଏନେଇ ଥାନାରେ ଏକ ମାମଲା (ନଂ.୨୫୫/୨୬) ରୁଜୁ ହୋଇଛି।
ଅନ୍ୟପକ୍ଷେ ଅଭିଯୁକ୍ତଙ୍କ ଜାମିନ ଆବେଦନ ଖାରଜ ହେବାରୁ ସମସ୍ତ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ସବ୍ ଜେଲ ହାଜତକୁ ପଠାଇ ଦିଆଯାଇଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି କାଳୁଙ୍କୁ ହତ୍ୟା କରିବା ପାଇଁ ଅଭିଯୁକ୍ତମାନେ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ।
ସୂଚନା ଯୋଗ୍ୟ, ସାରେ କାଳୁ ତାଙ୍କ ଭଣଜା ରାମକୃଷ୍ଣ ଗୌଡ଼ଙ୍କ ବାଇକରେ ବସି ଗାଁ ଛକରେ ଥିବା ଜମିକୁ ପାଳ ଗୋଛା ଆଣିବାକୁ ଯାଇଥିଲେ। ରାମକୃଷ୍ଣ ତାଙ୍କୁ ସେଠାରେ ବାଇକରୁ ଓହ୍ଲାଇ ସଉଦା ଆଣିବାକୁ ଭୀଷ୍ମଗିରି ଗ୍ରାମକୁ ଯାଇଥିଲେ।
ସେତିକିବେଳେ ପୂର୍ବ ଯୋଜନା ମୁତାବକ, ସେଠାରେ ଛକି ରହିଥିବା ଗାଁର ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀର ୧୦ରୁ ଊଦ୍ଧର୍ବ ବ୍ୟକ୍ତି ତାଙ୍କୁ ଚାରିପଟୁ ଘେରି ଯାଇ ଖଣ୍ଡା, କାତି ଓ ଠେଙ୍ଗାରେ ଆକ୍ରମଣ କରିଥିଲେ। ଭଣଜା ରାମକୃଷ୍ଣ ବାଇକରେ ଗାଁକୁ ଫେରୁଥିବା ବେଳେ ଘଟଣା ଦେଖି ମାମଁୁଙ୍କୁ ଉଦ୍ଧାର ପାଇଁ ଯିବାରୁ ତାଙ୍କୁ ମଧ୍ୟ ସେମାନେ ମାରିବା ପାଇଁ ଗୋଡାଇଥିଲେ। ଫଳରେ ସେ ପ୍ରାଣ ବିକଳରେ ଦୌଡ଼ି ତାଙ୍କ ବଡ଼ ମାମୁଁ ବିଜୟଙ୍କୁ ଫୋନରେ ଘଟଣା ସମ୍ପର୍କରେ କହିଥିଲେ। ବିଜୟ ପହଞ୍ଚିବାରୁ ତାଙ୍କୁ ମଧ୍ୟ ଜୀବନରେ ମାରିଦେବାକୁ ଧମକ ଦେଇ ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଏତଲାରେ ଉଲ୍ଲେଖ ରହିଛି।
ତଦନ୍ତକାରୀ ଅଧିକାରୀ ଆଇଆଇସି ବ୍ରହ୍ମପୁର ବଡ ଡାକ୍ତରଖାନାରେ କାଳୁଙ୍କ ଜମାନବନ୍ଦୀ ରେକର୍ଡ କରିବା ପାଇଁ ବ୍ରହ୍ମପୁର ଉପଜିଲାପାଳଙ୍କୁ ଚିଠି କରିବା ସହ ଘଟଣାସ୍ଥଳକୁ ସାଇଣ୍ଟିଫିକ୍ ଟିମ୍ ପଠାଇବା ପାଇଁ ବ୍ରହ୍ମପୁର ଏସ୍ପିଙ୍କୁ ଅନୁରୋଧ କରିଥିବା ଜଣାପଡିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।