ପୃଥିବୀର ପ୍ରତିରକ୍ଷା ପ୍ରାଚୀର ଭେଦକଲେ ‘କିଲର ଇଲେକ୍ଟ୍ରୋନ୍’
ଟୋକିଓ, ୮ା୧୧
ବିଜ୍ଞାନ ଜଗତରେ ଏକ ଚମକାଇଲା ଭଳି ତଥ୍ୟ ସାମ୍ନାକୁ ଆସିଛି। ପୃଥିବୀର ଅଭେଦ୍ୟ ଦୁର୍ଗ କୁହାଯାଉଥିବା ପ୍ରାକୃତିକ ବିକିରଣ ପ୍ରାଚୀର ବା ରେଡିଏଶନ ବ୍ୟାରିଅର ଶକ୍ତିଶାଳୀ ସୌରଝଡ଼ ଯୋଗୁ ଭାଙ୍ଗିଯାଇଛି। ଫଳରେ ପୃଥିବୀ ଚାରିପଟେ ଥିବା ମହାକାଶ ଅଞ୍ଚଳରେ ଅତ୍ୟନ୍ତ ବିପଜ୍ଜନକ ‘କିଲର ଇଲେକ୍ଟ୍ରୋନ୍’ ସଂଖ୍ୟା ପ୍ରାୟ ୫,୦୦୦ ଗୁଣ ବୃଦ୍ଧି ପାଇଛି, ଯାହା ବୈଜ୍ଞାନିକମାନଙ୍କ ଚିନ୍ତା ବଢ଼ାଇ ଦେଇଛି।
ଏହି ଗବେଷଣା ତଥ୍ୟ ପ୍ରସିଦ୍ଧ ବିଜ୍ଞାନ ପତ୍ରିକା ‘ଜିଓଫିଜିକାଲ ରିସର୍ଚ୍ଚ ଲେଟର୍ସ’ରେ ପ୍ରକାଶିତ ହୋଇଛି। ଗବେଷଣା ତଥ୍ୟ ଅନୁଯାୟୀ, ୨୦୨୪ ମେ’ରେ ଆସିଥିବା ଏକ ଶକ୍ତିଶାଳୀ ‘ଜି୫’ ଶ୍ରେଣୀର ସୌରଝଡ଼ ଯୋଗୁ ଏହି ସ୍ଥିତି ସୃଷ୍ଟି ହୋଇଛି। ପୃଥିବୀର ଚୁମ୍ବକୀୟ କ୍ଷେତ୍ର ଦ୍ୱାରା ଆବଦ୍ଧ ଦୁଇଟି ବଳୟକୁ ‘ଭାନ୍ ଆଲେନ୍ ରେଡିଏଶନ ବେଲ୍ଟ’ କୁହାଯାଏ। ଏହାର ଭିତର ବଳୟଟି ପୃଥିବୀକୁ ମହାକାଶର ବିପଜ୍ଜନକ ରଶ୍ମିରୁ ରକ୍ଷା କରିଥାଏ। ଦୀର୍ଘ ଦଶନ୍ଧି ଧରି ବୈଜ୍ଞାନିକମାନେ ବିଶ୍ୱାସ କରୁଥିଲେ ଯେ, ଏହି ଭିତର ବଳୟକୁ ଭେଦକରି କୌଣସି ଉଚ୍ଚଶକ୍ତିସମ୍ପନ୍ନ ଇଲେକ୍ଟ୍ରୋନ୍ ପୃଥିବୀ ନିକଟକୁ ଆସିପାରିବ ନାହିଁ। ମାତ୍ର ଜାପାନର ‘ଆରାସେ’ ସାଟେଲାଇଟ୍ ଦ୍ୱାରା ସଂଗୃହୀତ ତଥ୍ୟ ଏହି ପୁରୁଣା ଧାରଣାକୁ ଭୁଲ୍ ପ୍ରମାଣିତ କରିଛି।
ଜାପାନର ନାଗୋୟା ବିଶ୍ୱବିଦ୍ୟାଳୟର ମହାକାଶ ଭୌତିକବିଜ୍ଞାନୀ ୟୋଶିଜୁମି ମିୟୋଶିଙ୍କ ନେତୃତ୍ୱରେ ହୋଇଥିବା ଏହି ଅଧ୍ୟୟନରୁ ଜଣାପଡ଼ିଛି, ସୌରଝଡ଼ ଯୋଗୁ ପୃଥିବୀ ଚାରିପଟେ ଥିବା ପ୍ଲାଜ୍ମାସ୍ଫିୟରରେ ଥଣ୍ଡା ପ୍ଲାଜ୍ମାର ପରିମାଣ ହ୍ରାସ ପାଇଥିଲା। ଫଳରେ ସୃଷ୍ଟିହୋଇଥିବା ଏକ ବିଶେଷ ବିଦ୍ୟତ୍ ଚୁମ୍ବକୀୟ ତରଙ୍ଗ ଯୋଗୁ ଇଲେକ୍ଟ୍ରୋନ୍ଗୁଡ଼ିକର ଗତି ବେଗ ଅତ୍ୟଧିକ ବୃଦ୍ଧି ପାଇ ଆଲୋକର ଗତି ସହ ସମାନ ହୋଇଯାଇଥିଲା।
ଏହି କିଲର ଇଲେକ୍ଟ୍ରୋନ୍ଗୁଡ଼ିକ ଏତେ ଶକ୍ତିଶାଳୀ ଯେ ସେଗୁଡ଼ିକ କୃତ୍ରିମ ଉପଗ୍ରହର ସୁରକ୍ଷା କବଚକୁ ଭେଦକରି ଏହାର ବୈଦ୍ୟୁତିକ ସରଞ୍ଜାମକୁ ନଷ୍ଟ କରିଦେଇପାରନ୍ତି। ଏହାସହ ମହାକାଶଚାରୀଙ୍କ ପାଇଁ ମଧ୍ୟ ଏହା ଗମ୍ଭୀର ବିକିରଣ ବିପଦ ସୃଷ୍ଟି କରିଥାଏ। ଅଧ୍ୟୟନ ମୁତାବକ, ୨୦୨୪ ମେ’ ମାସର ଏହି ପ୍ରଭାବ କିଛିଦିନର ନ ଥିଲା, ବରଂ ସେହି ବର୍ଷ ଅକ୍ଟୋବର ୨୦୨୪ ପର୍ଯ୍ୟନ୍ତ ଏହାର ପ୍ରଭାବ ଦେଖିବାକୁ ମିଳିଥିଲା, ଯେତେବେଳେ କି ଆଉ ଏକ ସୌରଝଡ଼ ଏହି ଅଞ୍ଚଳକୁ ପ୍ରଭାବିତ କରିଥିଲା।
ଏହି ଆବିଷ୍କାର ଆଗାମୀ ଦିନରେ ମହାକାଶ ପାଣିପାଗର ପୂର୍ବାନୁମାନ କରିବା ଏବଂ ମହାକାଶଯାନ ଓ ମହାକାଶଚାରୀଙ୍କୁ ସୁରକ୍ଷିତ ରଖିବା ପାଇଁ ନୂତନ କୌଶଳ ପ୍ରସ୍ତୁତ କରିବାରେ ବୈଜ୍ଞାନିକମାନଙ୍କୁ ସାହାଯ୍ୟ କରିବ।
Dharitri – Odisha’s No.1, Most Trusted Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।