ନକଲି ସୁନା ଦେଇ ୪ ଲକ୍ଷ ଟଙ୍କା ଲୁଟ୍‌, ୪ ଅଭିଯୁକ୍ତଙ୍କୁ ଗିରଫ କରି…

Nov 08, 2026 - 15:43
ନକଲି ସୁନା ଦେଇ ୪ ଲକ୍ଷ ଟଙ୍କା ଲୁଟ୍‌, ୪ ଅଭିଯୁକ୍ତଙ୍କୁ ଗିରଫ କରି…

ଭବାନୀପାଟଣା,୮ା୧୧(ଉତ୍ତମ କୁମାର ଦାଶ): ବିକ୍ରି କରିବା ବାହାନାରେ ନକଲି ସୁନା ଦେଇ ଜଣେ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଲୁଟି ନେବା ଅଭିଯୋଗରେ ରବିବାର ଭବାନୀପାଟଣା ସଦର ଥାନା ପୋଲିସ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଜିଲାର ବିଜେପୁର ଥାନା କମଲେଇ ଗାଁର ଚମରା ନାଏକ (୪୬), ରଙ୍ଗୀଗୁଡ଼ାର ଭକ୍ତି ହରିଜନ (୩୦), ନର୍ଲା ଥାନା ଘଣ୍ଟାମାଳ ଗାଁର ମନୋଜ ସୁନାନୀ (୪୧) ଏବଂ ସଦର ଥାନା ବୋରଭାଟା ଗାଁର ନରେନ୍ଦ୍ର ଗୌଡ଼।
ଘଟଣାରୁ ପ୍ରକାଶ ଯେ, ଗତ ୫.୧୧.୨୦୨୬ ସକାଳେ ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଅଟାଙ୍ଗଗୁଡା ଗ୍ରାମ ନିକଟସ୍ଥ ଏକ ନିଛାଟିଆ ସ୍ଥାନକୁ ଅଭିଯୁକ୍ତମାନେ ଗୋଲାମୁଣ୍ଡା ଥାନା ଫୁଣ୍ଡା ଗାଁର ଚକ୍ରଧର ହରପାଲଙ୍କୁ ସୁନା ବିକ୍ରି କରିବା ବାହାନାରେ ଡକାଇଥିଲେ। ସେଠାରେ ଚକ୍ରଧରଙ୍କୁ ନକଲି ସୁନା ଦେଇ ପ୍ରତାରଣା କରିବା ସହ ତାଙ୍କଠାରୁ ଜୋର ଜବରଦସ୍ତ ୪ ଲକ୍ଷ ଟଙ୍କା ଛଡ଼ାଇ ନେଇଥିଲେ। ଏ ନେଇ ଚକ୍ରଧରଙ୍କ ସଦର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ଏକ ମାମଲା ନଂ ୪୭୩/୨୦୨୬) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।
ସଦର ଥାନା ଏସଆଇ ଶିବଶଙ୍କର ମହାନ୍ତିଙ୍କ ନେତୃତ୍ୱରେ ଏହି ତଦନ୍ତ କରାଯାଇ ୪ ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହ ସେମାନଙ୍କ ନିକଟରୁ ନଗଦ ୨,୬୯,୬୦୦ ଟଙ୍କା ଏବଂ ଅପରାଧରେ ବ୍ୟବହୃତ ଏକ ମାରୁତି ସୁଜୁକି ଇକୋ ଗାଡ଼ି (CG-04-HP-9940) ଜବତ କରାଯାଇଛି। ପୋଲିସର ସୂଚନା ଅନୁଯାୟୀ, ଗିରଫ ଅଭିଯୁକ୍ତମାନେ ପୂର୍ବରୁ ଭବାନୀପାଟଣା ଟାଉନ ଥାନା ମାମଲା ନଂ (୧୨୭/୨୦୨୬)ରେ ମଧ୍ୟ ସମ୍ପୃକ୍ତ ଥିଲେ। ଅନ୍ୟପକ୍ଷରେ,ଏଭଳି ସନ୍ଦେହଜନକ ସୁନା କାରବାର ଠାରୁ ଦୂରେଇ ରହିବାକୁ ଏବଂ ସୂଚନା ମିଳିଲେ ତୁରନ୍ତ ନିକଟସ୍ଥ ଥାନାକୁ ଜଣାଇବା ପାଇଁ ସଦର ଥାନା ଆଇଆଇସି ଚିତ୍ତରଞ୍ଜନ ପ୍ରଧାନୀ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।