ପୃଥିବୀ ଭୂଗର୍ଭରେ ରହିଛି ବିପୁଳ ଜଳରାଶି, ୨,୯୦୦ କିମି ଗଭୀରରେ ବଡ଼ ରହସ୍ୟ

Sep 18, 2026 - 10:29
ପୃଥିବୀ ଭୂଗର୍ଭରେ ରହିଛି ବିପୁଳ ଜଳରାଶି, ୨,୯୦୦ କିମି ଗଭୀରରେ ବଡ଼ ରହସ୍ୟ

ଲଣ୍ଡନ,୧୮ା୯: ‘ଜଳ ହିଁ ଜୀବନ’। ପୃଥିବୀରେ ସମସ୍ତ ଜୀବଜଗତର ସୃଷ୍ଟି ଓ ସ୍ଥିତି ପାଇଁ ଜଳର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କେବଳ ଭୂପୃଷ୍ଠରେ ନୁହେଁ, ପୃଥିବୀର ଭୂଗର୍ଭୀୟ ସ୍ତର (ମ୍ୟାଣ୍ଟଲ)ର ଧୀର ଗତିଶୀଳତା, ପଥରଗୁଡ଼ିକର ପୁନଃଚକ୍ରଣ ଏବଂ ପୃଥିବୀର ଜଳବାୟୁ ନିୟନ୍ତ୍ରଣରେ ମଧ୍ୟ ଭୂଗର୍ଭ ଜଳ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ତେବେ ପୃଥିବୀର ଗଭୀର ମ୍ୟାଣ୍ଟଲ ସ୍ତରରେ ଜଳ କେଉଁଠାରେ ଏବଂ କିପରି ସଞ୍ଚିତ ହୋଇରହିଛି, ତାହା ଦୀର୍ଘ ଦିନରୁ ଗବେଷକମାନଙ୍କ ପାଇଁ ଏକ ରହସ୍ୟ ହୋଇରହିଥିଲା। ସମ୍ପ୍ରତି ବିଜ୍ଞାନ ପତ୍ରିକା ‘ନେଚର ଜିଓସାଇନ୍ସ’ରେ ପ୍ରକାଶିତ ଏକ ନୂତନ ଗବେଷଣାରୁ ଜଣାପଡ଼ିଛି ଯେ, ଭୂପୃଷ୍ଠରୁ ପ୍ରାୟ ୬୬୦ ରୁ ୨,୯୦୦ କିଲୋମିଟର ଗଭୀରତାରେ ମ୍ୟାଣ୍ଟଲ ଏବଂ ତରଳ କୋର୍‌ର ସୀମାନ୍ତରେ ବିପୁଳ ପରିମାଣର ଜଳ ସଞ୍ଚିତ ହୋଇ ରହିଥାଇପାରେ।
ପୃଥିବୀର ଗଭୀର ଭୂଗର୍ଭର ମ୍ୟାଣ୍ଟଲ ସ୍ତରରେ ଥିବା ବ୍ରିଜ୍‌ମାନାଇଟ୍‌ ଓ ଫେରୋପେରିକ୍ଲେଜ ଭଳି ମୁଖ୍ୟ ଖଣିଜଗୁଡ଼ିକ ସାଧାରଣତଃ ଶୁଷ୍କ ହୋଇଥାନ୍ତି। ଏହି ଗଭୀରତାରେ ଅତ୍ୟଧିକ ତାପମାତ୍ରା ଓ ଚାପ ହେତୁ ସାଧାରଣ ଜଳଧାରୀ ଖଣିଜ ସ୍ଥିର ରହିପାରନ୍ତି ନାହିଁ। ଏହାକୁ ଆଧାରକରି ଗବେଷକମାନେ ‘ଲାଜର-ହେଟେଡ ଡାଏମଣ୍ଡ ଆନଭିଲ ସେଲ୍‌’ ଯନ୍ତ୍ର ସାହାଯ୍ୟରେ ଅତି ଉଚ୍ଚ ତାପମାତ୍ରା ଓ ଚାପ ସୃଷ୍ଟି କରି ପରୀକ୍ଷା କରିଥିଲେ। ଏହି ପରୀକ୍ଷଣରୁ ଦୁଇଟି ପୂର୍ବରୁ ଅଜଣା ଥିବା ଆଇରନ ଅକ୍ସିହାଇଡ୍ରୋକ୍ସାଇଡ ଖଣିଜ ଚିହ୍ନଟ ହୋଇଛି, ଯାହା ଅତ୍ୟଧିକ ଚାପ ଓ ତାପମାତ୍ରାରେ ମଧ୍ୟ ନିଜ ଭିତରେ ବିପୁଳ ପରିମାଣର ଜଳ ଧାରଣ କରି ରଖିବାରେ ସକ୍ଷମ।
ୟୁକେର ଲିଡ୍ସ ବିଶ୍ୱବିଦ୍ୟାଳୟର ଭୂ-ବିଜ୍ଞାନୀ ଆଲ୍‌ଫ୍ରେଡ୍‌ ୱିଲସନ୍‌ଙ୍କ କହିବା ଅନୁଯାୟୀ, ଏହି ନୂତନ ଖଣିଜଗୁଡ଼ିକ ଅତ୍ୟନ୍ତ ଘନ ଏବଂ ସ୍ଥାୟୀ। ପୃଥିବୀର ଭୂଗର୍ଭ କୌଣସି ବିଶାଳ ଭୂଗର୍ଭସ୍ଥ ମହାସାଗର ନୁହେଁ; ବରଂ ଏଠାରେ ଜଳ ଖଣିଜ ପଦାର୍ଥ ସହ ମିଶି ରହିଥାଏ। ପୃଥିବୀର ପ୍ରାରମ୍ଭିକ ଅବସ୍ଥାରେ ସୃଷ୍ଟ ମ୍ୟାଗ୍‌ମା ସମୁଦ୍ର ଶୀତଳ ହେବା ସମୟରେ ଏହି ଜଳଧାରୀ ଖଣିଜଗୁଡ଼ିକ ସୃଷ୍ଟି ହୋଇ କୋର୍‌-ମ୍ୟାଣ୍ଟଲ ସୀମା ଆଡ଼କୁ ଖସିଯାଇଥିବା ଅନୁମାନ କରାଯାଉଛି। ପରବର୍ତ୍ତୀ ସମୟରେ ମ୍ୟାଣ୍ଟଲ୍‌ର ଗତିଶୀଳତା ଯୋଗୁ ଏହି ଖଣିଜ ଉପରକୁ ଆସିବା ବେଳେ ଚାପ କମିଯିବାରୁ ଜଳ ନିର୍ଗତ ହୋଇ ଆଗ୍ନେୟଗିରି ଉଦ୍‌ଗୀରଣ ଜରିଆରେ ପୁନର୍ବାର ଭୂପୃଷ୍ଠକୁ ଫେରିଆସିଥାଏ।
ଜର୍ମାନୀର ବାୟରୁଥ ବିଶ୍ୱବିଦ୍ୟାଳୟର ଖଣିଜ ପଦାର୍ଥ ବିଜ୍ଞାନୀ ଲିଓନିଡ୍‌ ଡୁବ୍ରୋଭିନ୍ସକିଙ୍କ ମତରେ, ଅତି କମ୍‌ ପରିମାଣର ହାଇଡ୍ରୋଜେନ ମଧ୍ୟ ଏହି ଆଇରନ କମ୍ପାଉଣ୍ଡଗୁଡ଼ିକୁ ସ୍ଥାୟୀ କରିବା ପାଇଁ ଯଥେଷ୍ଟ। ଏହି ଆବିଷ୍କାର ପୃଥିବୀ କିପରି ଜଳ ଧାରଣ ଓ ସଂରକ୍ଷଣ କରିରଖିଛି, ସେହି ପ୍ରଶ୍ନର ଉତ୍ତର ଖୋଜିବାରେ ଏକ ବଡ଼ ସଫଳତା ପ୍ରଦାନ କରିଛି।

 

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।