ପୃଥୁଙ୍କ ଗାଈ, ଅଶୋକଙ୍କ ସିଂହ
ପ୍ରାୟ ଏକ ହଜାର ବର୍ଷ ପୂର୍ବେ ରାଜଶେଖର ‘କାବ୍ୟମୀମାଂସା’ ରଚନା କରିଥିଲେ। ସେତେବେଳେ ଆର୍ଯ୍ୟାବର୍ତ୍ତ ହିମାଳୟଠାରୁ ବିନ୍ଧ୍ୟ ପର୍ବତମାଳା ପର୍ଯ୍ୟନ୍ତ ବିସ୍ତୃତ ଥିଲା। ପୂର୍ବ ଓ ପଶ୍ଚିମ ଦିଗରେ ଏହା ବଙ୍ଗୋପସାଗର ଏବଂ ଗୁଜରାଟର ସମୁଦ୍ର ଦ୍ୱାରା ସୀମାବଦ୍ଧ ଥିଲା। ଦକ୍ଷିଣ ଭାରତର ଅଞ୍ଚଳଗୁଡ଼ିକ ବିଷୟରେ ସେ ଅଳ୍ପ ଉଲ୍ଲେଖ କରିଥିଲେ। ତାଙ୍କ ଦୃଷ୍ଟିରେ ଆର୍ଯ୍ୟାବର୍ତ୍ତର ମଧ୍ୟଭାଗ ‘ଅନ୍ତର୍ବେଦୀ’ ମୁଖ୍ୟତଃ ଗଙ୍ଗା ଏବଂ ଯମୁନା ମଧ୍ୟରେ ରହିଥିଲା ଏବଂ ଯାହାର ମଧ୍ୟରେଖା କାନ୍ୟକୁବ୍ଜ (ଆଧୁନିକ କାନପୁର) ଦେଇ ଯାଉଥିଲା। ଏହାର ପୂର୍ବରେ ବାରାଣସୀ, ପଶ୍ଚିମରେ ଦ୍ୱାରକା, ଦକ୍ଷିଣରେ ନର୍ମଦା କୂଳରେ ମହିଷ୍ମତୀ ଏବଂ ଉତ୍ତରରେ ଥିଲା ପୃଥୁଦକ (ହରିୟାଣାର ସମତଳ ଭୂମି)। ବେଦରେ ବର୍ଣ୍ଣିତ ରାଜା ‘ପୃଥୁ’ଙ୍କ ନାମାନୁସାରେ ଏହା ପୃଥୁଦକ ହୋଇଛି। ପରବର୍ତ୍ତୀ ସମୟରେ ତାଙ୍କ କାହାଣୀ ପୁରାଣଗୁଡ଼ିକରେ ବିସ୍ତୃତ ଭାବରେ ବର୍ଣ୍ଣନା କରାଯାଇଛି। ସେଥିରେ ପୃଥୁଙ୍କୁ ପୃଥିବୀକୁ ଜଙ୍ଗଲମୁକ୍ତ କରିବା, ଭୂମିକୁ ସମତଳ କରିବା ଏବଂ କୃଷିକାର୍ଯ୍ୟ ଆରମ୍ଭ କରିବାର ଶ୍ରେୟ ଦିଆଯାଇଛି। ଏହି କାହାଣୀ ରାଜା ବେଣଙ୍କଠାରୁ ଆରମ୍ଭ ହୁଏ, ଯିଏ ପୃଥିବୀକୁ ଲୁଟ୍ କରିଥିଲେ ଏବଂ ଧରିତ୍ରୀ ମାତା କାନ୍ଦି କାନ୍ଦି ଦେବତାମାନଙ୍କ ସାହାଯ୍ୟ ଭିକ୍ଷା କରିଥିଲେ। ଋଷିମାନେ ମଧ୍ୟ ସମାନ ଭାବରେ କ୍ରୋଧିତ ହୋଇ ମନ୍ତ୍ର ଏବଂ ଦୂବଘାସରୁ ଏକ ଅସ୍ତ୍ର ପ୍ରସ୍ତୁତ କରି ବେଣଙ୍କୁୁ ବଧ କରିଥିଲେ। ଏହାପରେ ସେମାନେ ତାଙ୍କ ମୃତଦେହକୁ ମନ୍ଥନ କରିଥିଲେ ଏବଂ ସେଥିରୁ ଦୁଇଜଣ ବ୍ୟକ୍ତି ପ୍ରକଟ ହୋଇଥିଲେ। ପ୍ରଥମ ଜଣକ ଥିଲେ ଆଦିବାସୀ ପୁରୁଷ ନିଷାଦ। ସେ ଏକ ଜଙ୍ଗଲରେ ବସବାସ କରିବାକୁ ଚାଲିଗଲେ। ଦ୍ୱିତୀୟ ଜଣକ ଥିଲେ ପୃଥୁ। ସେ ଥିଲେ ଜଣେ ଆଦର୍ଶ ରାଜା ଏବଂ ଦେବତାମାନେ ତାଙ୍କୁ ଏକ ଧନୁ ପ୍ରଦାନ କରିଥିଲେ। ଧନୁଟି ଥିଲା ସନ୍ତୁଳନର ପ୍ରତୀକ। ତାହା ଅତ୍ୟଧିକ ଟାଣ କିମ୍ବା ଅତ୍ୟଧିକ ଢିଲା ନ ହେଲେ ହେଁ ଉପଯୋଗୀ ଥିଲା।
ପୃଥୁ ମାନବଜାତିକୁ ଆହାର ଯୋଗାଇବା ନିମନ୍ତେ ପୃଥିବୀକୁ ଆଦେଶ ଦେଇଥିଲେ। ପୃଥିବୀ ଏକ ଗାଈ ରୂପ ଧାରଣ କରି ଧାଇଁଲା। ପୃଥୁ ଧନୁ ଧରି ତାକୁ ଗୋଡ଼ାଇଲେ। ପୃଥିବୀ ବୁଲିପଡ଼ି କହିଲା, ଯଦି ତୁମେ ମତେ ବଧ କରିବ, ତେବେ ସମସ୍ତ ଜୀବନ ଶେଷ ହୋଇଯିବ। ଏହା ଅପେକ୍ଷା ଭଲ ହେବ ତୁମେ ମୋ’ଠାରୁ କ୍ଷୀର ଦୋହନ କର। ପୃଥିବୀ ରୂପୀ ଗାଈର ଏହି ଦୋହନ ପ୍ରକ୍ରିୟା ହିଁ କୃଷି କାର୍ଯ୍ୟର ପ୍ରତୀକ। ରାଜା ଗାଈର ରକ୍ଷକ। ପୃଥିବୀ ହେଉଛି ଗୋ-ମାତା ଏବଂ ଫସଲ ଗୋ-ମାତାର କ୍ଷୀର ସଦୃଶ। ଏସବୁ କେବଳ ପ୍ରତୀକ। ଏହାକୁ ଏବେ ଯେଉଁମାନେ ଆକ୍ଷରିକ ଭାବେ ଗ୍ରହଣ କରୁଛନ୍ତି, ସେମାନେ ଏହାର ବାର୍ତ୍ତାକୁ ଭୁଲ୍ ଅର୍ଥରେ ବୁଝାଇବାକୁ ଚାହାନ୍ତି।
ପୃଥୁଙ୍କର ଏହି କଥା ଏକ ପରିବେଶ ସମ୍ବନ୍ଧୀୟ କାହାଣୀ। ହେଲେ ଧର୍ମୀୟ ନେତାମାନେ ଏହାକୁ ଅଣଦେଖା କରୁଛନ୍ତିି। ସେମାନେ ଧର୍ମ ଏବଂ ରାଜଧର୍ମ ବିଷୟରେ କହୁଛନ୍ତି ସତ, କିନ୍ତୁ ଶାସନ କ୍ଷେତ୍ରରେ ପରିବେଶଗତ ସନ୍ତୁଳନ ରକ୍ଷା କରିବା ଦାୟିତ୍ୱକୁ ଭୁଲିଯାଉଛନ୍ତି। ଏକ ମହାନ୍ ଭାରତ ଗଢ଼ିବା ନାମରେ ଭାରତର ପରିଭାଷା ବଦଳିଯିବା ସହ ଧର୍ମର ସଂଜ୍ଞା ମଧ୍ୟ ପରିବର୍ତ୍ତନ ହେବାରେ ଲାଗିଛି। ଧର୍ମକୁ ବିକାଶ ସହିତ ସମାନ କରାଯାଉଛି, ଯାହା ଜଙ୍ଗଲ ଏବଂ ନଦୀଗୁଡ଼ିକର ବିନାଶ କରୁଛି। ପ୍ରକୃତ ଗାଈକୁ ଭାବପ୍ରବଣତା ସହିତ ପୂଜା କରାଯାଉଥିବା ବେଳେ ପୃଥିବୀ ରୂପୀ ଗାଈରୁ ଖଣିଜ ପଦାର୍ଥ ଓ କାଠ ପାଇଁ ଲୁଟ୍ କରାଯାଉଛି। ତାହାର ବାୟୁ ଏବଂ ଜଳକୁ ବିଷାକ୍ତ କରାଯାଉଛି। ସେ କାନ୍ଦୁଛି ଏବଂ ତାକୁ ରକ୍ଷା କରିବା ପାଇଁ ସନ୍ତୁଳିତ ଧନୁ ଧରିଥିବା କୌଣସି ପୃଥୁ ନାହାନ୍ତି।
ନିଷାଦଙ୍କୁ ମଧ୍ୟ ଭୁଲିଯାଇଛୁ। ସେ ପୃଥୁଙ୍କ ପରି ଏକା ଉତ୍ସରୁ ଜନ୍ମ। ସେ ଥିଲେ ବନବାସୀ, ଅର୍ଥାତ୍ ଜଙ୍ଗଲରେ ବାସ କରୁଥିବା ମଣିଷ। ବୈଦିକ ବିଚାରରେ ପୃଥିବୀକୁ ଧ୍ୱଂସ ନ କରି ତା’ ସହିତ ବଞ୍ଚତ୍ବା ପାଇଁ ଦୁଇଟି ମାର୍ଗ ଦିଆଯାଇଥିଲା। ଜଙ୍ଗଲ ସହିତ ଜଡ଼ିତ ହୋଇ ନିଷାଦଙ୍କ କାର୍ଯ୍ୟ କରିବା ଏବଂ କ୍ଷେତରେ ପୃଥୁୁଙ୍କ କୃଷିକାର୍ଯ୍ୟ କରିବା। କିନ୍ତୁ କୃଷି ପାଇଁ ସମ୍ମାନର ଆବଶ୍ୟକତା ଥିଲା। ରାଜାଙ୍କୁ ଜଣେ ଗୋପାଳ ହେବାକୁ ପଡ଼ୁଥିଲା। ଫସଲ ଥିଲା କ୍ଷୀର, ଯାହା କୌଣସି ଲୁଟ୍ର ସମ୍ପତ୍ତି ନୁହେଁ।
ପ୍ରାୟ ୧୭୦୦ ବର୍ଷ ପୂର୍ବେ କବି କାଳିଦାସଙ୍କ କଥା ଆସେ। ସେ ‘ରଘୁବଂଶମ୍’ ମହାକାବ୍ୟରେ ରଘୁଙ୍କ ପିତା ରାଜା ଦିଲୀପଙ୍କ ବିଷୟରେ ଲେଖିଛନ୍ତି। ଦିଲୀପ ପ୍ରାୟଶ୍ଚିତ୍ତ ସ୍ବରୂପ ଦିବ୍ୟ ଗାଈ ନନ୍ଦିନୀଙ୍କ ସେବା କରୁଥିଲେ। ଦିନେ ଗୋଟିଏ ସିଂହ ନନ୍ଦିନୀଙ୍କୁ ଆକ୍ରମଣ କଲା ଏବଂ ଦିଲୀପ ନନ୍ଦିନୀଙ୍କ ପରିବର୍ତ୍ତେ ନିଜ ଶରୀର ସିଂହକୁ ଉତ୍ସର୍ଗ କରିବାକୁ ପ୍ରସ୍ତୁତ ଥିଲେ। ଏହି ଆତ୍ମତ୍ୟାଗ ପାଇଁ ତାଙ୍କୁ ପ୍ରଶଂସା କରାଯାଏ। ହେଲେ ଜଙ୍ଗଲ ଯଦି ଅକ୍ଷୁଣ୍ଣ ରହିଥା’ନ୍ତା, ତେବେ ସିଂହ ଗାଈକୁ ଖାଇବାକୁ ଆସିନଥାନ୍ତା- ଏ କଥା କାଳିଦାସ ଚତୁରତାର ସହ ନ କହି ଛାଡ଼ିଦେଇଛନ୍ତି। ହରିଣ ଅଭାବ ଓ ନିଜ ବାସସ୍ଥଳୀ ହରାଇବା ପରେ ସିଂହ ଜନବସତିର ପ୍ରାନ୍ତରେ ଥିବା ଗୃହପାଳିତ ପଶୁଙ୍କୁ ଶିକାର କରିବାକୁ ବାଧ୍ୟ ହୋଇଥିଲା। ଏଠାରେ ରାଜାଙ୍କ ବୀରତ୍ୱ ସେହି ପରିବେଶ ସମ୍ବନ୍ଧୀୟ ଅପରାଧ ଉପରେ ଆଧାରିତ, ଯାହା ସେ କରିଥିଲେ।
ରାଜା ଦିଲୀପ ନନ୍ଦିନୀକୁ ଯେଉଁ ସିଂହ କବଳରୁ ରକ୍ଷା କରୁଛନ୍ତି, ସେହି ସିଂହଟି ପ୍ରକୃତରେ କିଏ? କାଳିଦାସ ବୋଧହୁଏ ଅଶୋକଙ୍କ ଶାସନର ପ୍ରାୟ ୫ ଶତାବ୍ଦୀ ପରେ ଏହା ଲେଖିଥିଲେ। ସେତେବେଳେ ଅଶୋକଙ୍କ ସିଂହ ସାମ୍ରାଜ୍ୟବାଦୀ ଶକ୍ତିର ପ୍ରତୀକ ଭାବେ ସମଗ୍ର ଉପମହାଦେଶରେ ସ୍ତମ୍ଭଗୁଡ଼ିକ ଉପରେ ରହୁଥିଲା। ମୌର୍ଯ୍ୟ ସାମ୍ରାଜ୍ୟର ପ୍ରତୀକ ଥିଲା ଅଶୋକଙ୍କ ସିଂହ ଏବଂ ତାଙ୍କ ସାମ୍ରାଜ୍ୟ କାନ୍ଦାହାରରୁ କଳିଙ୍ଗ ପର୍ଯ୍ୟନ୍ତ ଧର୍ମପ୍ରଚାର କରୁଥିଲା। ଗୁପ୍ତ ଯୁଗର ଦରବାରରେ ଥିବା ସଂସ୍କୃତ କବି କାଳିଦାସ ବୌଦ୍ଧ ସାମ୍ରାଜ୍ୟବାଦୀ ସମୟକୁ ଧାରଣ କରି ଆଗକୁ ବଢ଼ିସାରିଥିବା ଏକ ପରମ୍ପରା ଉପରେ ଲେଖିବା ସମୟରେ ସିଂହକୁ ଏକ ବିପଦ ଭାବରେ ଉପସ୍ଥାପନ କରିଥିଲେ। ଜଣେ ପ୍ରକୃତ ଧାର୍ମିକ ରାଜା ସିଂହକୁ ସାମ୍ନା କରି ପ୍ରାଣ ଦେବାକୁ ପ୍ରସ୍ତୁତ ହେବା କଥା ଏକ ସାଧାରଣ ହିଂସ୍ର ପଶୁଠାରୁ କିଛି ଅଧିକ ମନେହୁଏ। କାଳିଦାସ ବୋଧହୁଏ ମୌର୍ଯ୍ୟ ଶାସନ ସମୟର ସିଂହକୁ ଉପହାସ କରୁଥିଲେ। ସେ ଦର୍ଶାଇବାକୁ ଚାହୁଁଥିଲେ ଯେ, ଯେଉଁ ସାମ୍ରାଜ୍ୟବାଦୀ ପଶୁ(ସିଂହ) ନିଜକୁ ଧର୍ମର ପ୍ରତୀକ ବୋଲି ଦାବି କରୁଥିଲା, ସେ ପ୍ରକୃତରେ ଗାଈକୁ ଖାଇବାକୁ ଚାହଁୁଥିଲା, ଯାହାକୁ ରକ୍ଷା କରିବା ତା’ର ଦାୟିତ୍ୱ।
ସାମ୍ରାଜ୍ୟ ବିସ୍ତାର, ଅଭିବୃଦ୍ଧି ଏବଂ ନିଜର ପତାକା ଉଡ଼ାଇବା ପାଇଁ ଜଙ୍ଗଲ ସଫା କରିବା ଦ୍ୱାରା ଗଁା ସୀମାରେ ଭୋକିଲା ସିଂହମାନେ ଦେଖାଯା’ନ୍ତି। ଯେଉଁ ଦୁନିଆରେ ଅହିଂସା ଏକ ଶାକାହାରୀ ଖାଦ୍ୟ ମଧ୍ୟରେ ସୀମିତ ହୋଇ ରହିଯାଇଛି, ସେଠାରେ ଆମକୁ ବିକାଶର ହିଂସା ବିଷୟରେ ମନେପକାଇଦେବାର ଆବଶ୍ୟକତା ରହିଛି। ଆର୍ଯ୍ୟାବର୍ତ୍ତର ସମ୍ପ୍ରସାରଣ କେବେ ବି ଜଙ୍ଗଲ ଏବଂ ସେଥିରେ ଥିବା ଜୀବଜନ୍ତୁଙ୍କୁ ନିଶ୍ଚିହ୍ନ କରି କେବଳ ଗାଈସଂଖ୍ୟା ବଢ଼ାଇବା ପାଇଁ ଉଦ୍ଦିଷ୍ଟ ନ ଥିଲା। ଆମେ ସିଂହକୁ ମହିମାମଣ୍ଡିତ କରିପାରିବା, ତାହାକୁ ଆମ ମୁଦ୍ରା ଏବଂ ରାଷ୍ଟ୍ରୀୟ ପ୍ରତୀକରେ ଖୋଦିତ କରିପାରିବା, କିନ୍ତୁ ଜଙ୍ଗଲ ବିନା ଏକ ଭୋକିଲା ସିଂହ ଶେଷରେ ଗାଈକୁ ଖାଇବାକୁ ହିଁ ଆସିବ। ତା’ପରେ କୌଣସି ରାଜା ଯେତେ ନାଟକୀୟ ଭାବରେ ନିଜ ଜୀବନକୁ ଗାଈ ପାଇଁ ଉତ୍ସର୍ଗ କରିବାକୁ ପ୍ରସ୍ତୁତ ହୁଅନ୍ତୁ ନା କାହିଁକି, ସେ ନିଜେ ଏହି ପରିସ୍ଥିତିକୁ ଆମନ୍ତ୍ରଣ କରିନାହାନ୍ତି ବୋଲି ଅଭିନୟ କରିପାରିବେ ନାହିଁ।
ଦେବଦତ୍ତ ପଟ୍ଟନାୟକ
-devduttofficial@gmail.com
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।