ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ ନେଇ ହଣାକଟା: ୫ ଆହତ, ଦମ୍ପତି ଗୁରୁତର

Oct 04, 2026 - 16:14
ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ ନେଇ ହଣାକଟା: ୫ ଆହତ, ଦମ୍ପତି ଗୁରୁତର

ଦିଗପହଣ୍ଡି,୪ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏରେଣ୍ଡ୍ରା ପଞ୍ଚାୟତ ଆମ୍ବଠା ଗ୍ରାମରେ ପୈତୃକ ସମ୍ପତ୍ତି ଭାଗ ବଣ୍ଟନକୁ କେନ୍ଦ୍ର କରି ରବିବାର ସକାଳେ ଦୁଇ ପରିବାର ମଧ୍ୟରେ ଆକ୍ରମଣ-ପ୍ରତି ଆକ୍ରମଣରେ ଉଭୟ ପରିବାରର ୫ ଜଣ ଆହତ ହୋଇଛନ୍ତି। ଆହତମାନେ ହେଲେ ଶିବ ନାହାକ(୪୦) ତାଙ୍କ ସ୍ତ୍ରୀ ସୁଲତା ନାହାକ(୩୫), ଟିକିନା ନାହାକ(୪୫), ବାବୁଲା ନାହାକ(୫୩) ଏବଂ ଭୋଳା ନାହାକ(୧୯)। ସମସ୍ତ ଆହତଙ୍କୁ ପ୍ରଥମେ ଆଡ଼ପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ଶିବ ନାହାକ ଏବଂ ସୁଲତା ନାହାକ ଦମ୍ପତିଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଏନେଇ ଉଭୟ ପକ୍ଷ ପାଟପୁର ଥାନାରେ ଏତଲା ଦେଇଛନ୍ତି। ଏତଲାକୁ ଭିତ୍ତିକରି ଆଇଆଇସି ଦୀପ୍ତି ରଞ୍ଜନ ବେହେରା ପୃଥକ୍‌ ମାମଲା ରୁଜୁ କରି ତଦନ୍ତ ଚଳାଇଛନ୍ତି। ଶିବ ଓ ବାବୁଲି ଦୁଇ ଭାଇ। ଉଭୟଙ୍କ ମଧ୍ୟରେ ପୈତୃକ ସମ୍ପତ୍ତି ଚାଷଜମି ଭାଗ ବଣ୍ଟନକୁ ନେଇ ଦୀର୍ଘଦିନ ହେଲା ବିବାଦ ଲାଗି ରହିଥିଲା। ଗାଁରେ କୁଳ ଭଦ୍ରଲୋକ ଓ ସମ୍ପର୍କୀୟଙ୍କ ଉପସ୍ଥିତିରେ ଅନେକଥର ସଭା କରାଯାଇଥିଲେ ମଧ୍ୟ ବିବାଦର ସମାଧାନ ହୋଇପାରି ନ ଥିଲା। ରବିବାର ସକାଳେ ବାବୁଲି ତାଙ୍କ ଘର କାମ କରୁଥିବା ବେଳେ ସାନଭାଇ ଶିବ ସେଠାରେ ପହଞ୍ଚି ତାଙ୍କୁ ଆପତ୍ତିଜନକ ଭାଷାରେ ଗାଳି କରିଥିଲେ। ସେ ପ୍ରତିବାଦ କରିବାରୁ ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଶିବ ଘରୁ ଏକ କୋଦାଳ ଆଣି ବଡ଼ଭାଇ ବାବୁଲାଙ୍କ ମୁଣ୍ଡକୁ ଆଘାତ କରିଥିଲେ। ପରେ ବାବୁଲା ଏବଂ ତାଙ୍କ ସମ୍ପର୍କୀୟମାନେ ବିଭିନ୍ନ ମାରଣାସ୍ତ୍ର ଧରି ଶିବ ଏବଂ ତାଙ୍କ ସ୍ତ୍ରୀ ସୁଲତାଙ୍କୁ ପ୍ରତି ଆକ୍ରମଣ କରିଥିଲେ। ଘଟଣା ପରେ ଦୁଇ ପରିବାର ମଧ୍ୟରେ ଚାପା ଉତ୍ତେଜନା ଲାଗି ରହିଥିଲେ ମଧ୍ୟ ପରିସ୍ଥିତି ନିୟନ୍ତ୍ରଣାଧୀନ ଥିବା ପୋଲିସ କହିଛି।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।