ପ୍ରଥମେ କାଟିଲେ, ପରେ ଯୋଡ଼ିଲେ
ଭବାନୀପାଟଣା,୧୦ା୧୦(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ଛାତ୍ରସଂସଦ ନିର୍ବାଚନ ପାଇଁ ଶୁକ୍ରବାର ନାମାଙ୍କନ ହୋଇଥିଲା।
ଏଥିରେ ବିଭିନ୍ନ ସଂଗଠନ ଯଥା ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି), ବିଜୁ ଛାତ୍ର ଜନତା ଦଳ (ବିସିଜେଡି) ଓ ଭାରତୀୟ ଜାତୀୟ ଛାତ୍ର ସଂଘ (ଏନ୍ଏସ୍ୟୁଆଇ) ସମେତ ସ୍ବାଧୀନ ପ୍ରାର୍ଥୀମାନେ ନାମାଙ୍କନ ଭରିଥିଲେ। ଏହା ପରେ ଦିନ ୨ଟାରୁ ୪ଟା ଯାଏ ପ୍ରାର୍ଥତ୍ପତ୍ର ଯାଞ୍ଚ ହୋଇଥିଲା। ସନ୍ଧ୍ୟା ୫ଟାରେ ବୈଧ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଥିଲା। ତେବେ କଂଗ୍ରେସ ସମର୍ଥିତ (ଏନ୍ଏସ୍ୟୁଆଇ)ର ସଭାନେତ୍ରୀ ପ୍ରାର୍ଥିନୀ ଅଭିପ୍ସା ଦାଶ, ଉପସଭାପତି ଅଭିଜିତ ଚୌଧୁରୀ ସମେତ ସ୍ବାଧୀନ ସଭାନେତ୍ରୀ ପ୍ରାର୍ଥିନୀ ଇନ୍ଦିରା ଶବରଙ୍କ ପ୍ରାର୍ଥତ୍ପତ୍ର ନାକଚ ହୋଇଥିବା ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରୁ ଜଣାପଡିଥିଲା। ଏହାକୁ ନେଇ ଛାତ୍ର ରାଜନୀତିରେ ଏକ ଭିନ୍ନ ବାତାବରଣ ସୃଷ୍ଟି ହୋଇଥିଲା।
ଉପସ୍ଥାନ କମ ଦର୍ଶାଇ ବିଶ୍ୱବିଦ୍ୟାଳୟର ସ୍କୁଟିନି କମିଟି ପକ୍ଷରୁ ଏନ୍ଏସ୍ୟୁଆଇର ପାର୍ଥିପତ୍ରଙ୍କ ନାକଚ କରାଯାଇଥିବାବେଳେ ଖୋଦ ପାର୍ଥିନୀ ଅଭିପ୍ସା ଦାଶ ଏଭଳି ନିଷ୍ପତ୍ତିକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଏହି ଅନିୟମିତତାକୁ ଚ୍ୟାଲେଞ୍ଜ କରି ସେ ସାରେ ବିଶ୍ୱ ବିଦ୍ୟାଳୟର କୁଳସଚିବଙ୍କ ପାଖରେ ଅଭିଯୋଗ କରିଥିଲେ। ତେବେ ଦିନକ ପରେ ଶନିବାର ବିଶ୍ୱବିଦ୍ୟାଳୟ ପକ୍ଷରୁ ଚୂଡାନ୍ତ ପ୍ରାର୍ଥୀ ତାଲିକାରେ ଉପରୋକ୍ତ ସମସ୍ତଙ୍କ ନାମ ପୁଣି ଥରେ ଯୋଡି ହୋଇଛି। ଏହି ଘଟଣାକୁ ନେଇ ବିଶ୍ୱବିଦ୍ୟାଳୟର ସ୍କୁଟିନି କମିଟି ଚର୍ଚ୍ଚାକୁ ଆସିଛି।
ଏ ନେଇ ବିଶ୍ୱବିଦ୍ୟାଳୟର କୁଳପତି ଡ଼. ପବନ ଅଗ୍ରୱାଲଙ୍କୁ ପଚାରିବାରୁ ନିର୍ବାଚନର ଏହା ଗୋଟିଏ ପ୍ରକ୍ରିୟା। ସ୍କୁଟିନି କମିଟି ଶୁକ୍ରବାର ସେମାନଙ୍କର ତାଲିକା ବାହାର କରିଥିଲା। ଏଥିରେ ଯେଉଁ ପ୍ରାର୍ଥୀଙ୍କର ନାମ ନ ଥିଲା ସେମାନେ ବିଶ୍ୱବିଦ୍ୟାଳୟର ଗ୍ରୀଭାନ୍ସ ସେଲରେ ଅଭିଯୋଗ କରିଥିଲେ। ପରେ ସେମାନଙ୍କ ଅଭିଯୋଗକୁ ଶୁଣି ବିଚାର କରି ଲଢ଼ିବାର ସୁଯୋଗ ଦିଆଯାଇଛି ବୋଲି କହିଥିଲେ। ପ୍ରକାଶ ଯେ, ଚଳିତବର୍ଷ ମା’ ମା’ମାଣିକେଶ୍ୱରୀ ବିଶ୍ୱ ବିଦ୍ୟାଳୟରେ ପ୍ରଥମଥର ପାଇଁ ଛାତ୍ରସଂସଦ ନିର୍ବାଚନ ହେଉଥିବାରୁ କାହା ସପକ୍ଷରେ ଛାତ୍ରୀଛାତ୍ରଙ୍କ ମତ ଯିବ ତାହା ଉପରେ ସମସ୍ତଙ୍କ ନଜର ରହିଛି। ତିନି ପ୍ରମୁଖ ଛାତ୍ର ସଂଗଠନ ଓ ସ୍ବାଧୀନ ପ୍ରାର୍ଥୀଙ୍କ ମଧ୍ୟରେ କଡ଼ା ଟକ୍କର ହେବା ଆଶା କରାଯାଉଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।