ପ୍ରଥମ ଟି-୨୦ ବଡ଼ ଓଲଟପାଲଟ! ସାମସନ OUT, ବୈଭବ IN: ଭାରତର ପ୍ଲେଇଂ ୧୧କୁ ନେଇ ହଇଚଇ
ନୂଆଦିଲ୍ଲୀ,୧୧।୯: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ ସେପ୍ଟେମ୍ବର ୧୩ ତାରିଖ ରବିବାର ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯିବ। ଏହି ମ୍ୟାଚରେ ଟିମ ଇଣ୍ଡିଆର ପ୍ଲେଇଂ ଇଲେଭେନ୍କୁ ନେଇ ଚର୍ଚ୍ଚା ବଢ଼ିଛି। ବିଶେଷକରି ବୈଭବ ସୂର୍ଯ୍ୟବଂଶୀ ଭାରତୀୟ ମାଟିରେ ପ୍ରଥମ ଥର ପାଇଁ ଅନ୍ତର୍ଜାତୀୟ ମ୍ୟାଚ ଖେଳିବାର ସୁଯୋଗ ପାଇପାରନ୍ତି।
ବୈଭବ ନିକଟରେ ଇଂଲଣ୍ଡ ବିପକ୍ଷରେ ନିଜର ଟି-୨୦ ଅନ୍ତର୍ଜାତୀୟ ଡେବ୍ୟୁ କରିଥିଲେ। ଅନ୍ୟପଟେ ସଞ୍ଜୁ ସାମସନ ଦଳରେ ଥିଲେ ମଧ୍ୟ ପ୍ରଥମ ମ୍ୟାଚରେ ତାଙ୍କୁ ସୁଯୋଗ ମିଳିବା କଷ୍ଟକର ଲାଗୁଛି। ଦୁଲୀପ ଟ୍ରଫି ଫାଇନାଲରେ ଦ୍ୱିଶତକ ହାସଲ କରିଥିବା ଇଶାନ କିଶନ ଉଇକେଟ୍କିପର୍ ଭାବେ ଖେଳିପାରନ୍ତି।
ପ୍ରଥମ ଟି-୨୦ରେ ବୈଭବ ସୂର୍ଯ୍ୟବଂଶୀ ଓ ଅଭିଷେକ ଶର୍ମା ଓପନିଂ କରିବାର ସମ୍ଭାବନା ଅଧିକ। ଉଭୟ ବିସ୍ଫୋରକ ବ୍ୟାଟର୍ ହୋଇଥିବାରୁ ଭାରତକୁ ଦ୍ରୁତ ଆରମ୍ଭ ଦେଇପାରନ୍ତି। ଟି-୨୦ ବ୍ୟାଟିଂ ରାଙ୍କିଙ୍ଗ୍ରେ ଅଭିଷେକ ଶର୍ମା ତୃତୀୟ ସ୍ଥାନରେ ଅଛନ୍ତି।
ତୃତୀୟ ନମ୍ବରରେ ଇଶାନ କିଶନ ଖେଳିପାରନ୍ତି। ସେ ଟି-୨୦ ବ୍ୟାଟିଂ ରାଙ୍କିଙ୍ଗ୍ରେ ଶୀର୍ଷ ସ୍ଥାନରେ ଥିବା ସହ ଅନେକ ଥର ଓପନିଂ ମଧ୍ୟ କରିଛନ୍ତି। କିନ୍ତୁ ବୈଭବଙ୍କୁ ଓପନିଂରେ ସୁଯୋଗ ଦେବା ପାଇଁ ଇଶାନଙ୍କୁ ନମ୍ବର-୩ରେ ଖେଳାଯାଇପାରେ। ଚତୁର୍ଥ ନମ୍ବରରେ ଅଧିନାୟକ ଶ୍ରେୟସ ଆୟର ଏବଂ ପଞ୍ଚମ ସ୍ଥାନରେ ଉପଅଧିନାୟକ ତିଲକ ବର୍ମା ଖେଳିପାରନ୍ତି।
ପ୍ରଥମ ଟି-୨୦ରେ ଟିମ ଇଣ୍ଡିଆ ୩ ଜଣ ଅଲରାଉଣ୍ଡରଙ୍କ ସହ ମଇଦାନକୁ ଓହ୍ଲାଇପାରେ। ଶିବମ ଦୁବେ, ଅକ୍ଷର ପଟେଲ ଓ ୱାଶିଂଟନ ସୁନ୍ଦରଙ୍କୁ ପ୍ଲେଇଂ ଇଲେଭେନ୍ରେ ସ୍ଥାନ ମିଳିପାରେ। ଏହା ସହ ପ୍ରମୁଖ ସ୍ପିନର୍ ଭାବେ ବରୁଣ ଚକ୍ରବର୍ତ୍ତୀ ଖେଳିବାର ସମ୍ଭାବନା ରହିଛି।
ଫାଷ୍ଟ ବୋଲିଂ ବିଭାଗରେ ଯଶପ୍ରୀତ ବୁମ୍ରା ଓ ଅର୍ଶଦୀପ ସିଂହ ଦାୟିତ୍ୱ ନେଇପାରନ୍ତି। ଆହତ ହେବା ପରେ ବୁମ୍ରାଙ୍କ ଫେରିବା ଭାରତୀୟ ବୋଲିଂ ଆକ୍ରମଣକୁ ଆହୁରି ଶକ୍ତିଶାଳୀ କରିବ।
ଭାରତର ସମ୍ଭାବ୍ୟ ପ୍ଲେଇଂ ଇଲେଭେନ୍
୧. ବୈଭବ ସୂର୍ଯ୍ୟବଂଶୀ
୨. ଅଭିଷେକ ଶର୍ମା
୩. ଇଶାନ କିଶନ (ଉଇକେଟ୍କିପର୍)
୪. ଶ୍ରେୟସ ଆୟର
୫. ତିଲକ ବର୍ମା
୬. ଶିବମ ଦୁବେ
୭. ଅକ୍ଷର ପଟେଲ
୮. ୱାଶିଂଟନ ସୁନ୍ଦର
୯. ବରୁଣ ଚକ୍ରବର୍ତ୍ତୀ
୧୦. ଯଶପ୍ରୀତ ବୁମ୍ରା
୧୧. ଅର୍ଶଦୀପ ସିଂହ
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।