ବଲିଉଡ୍ରେ ହଇଚଇ; ଅଭିନେତା ଟାଇଗର ଶ୍ରଫ୍ଙ୍କୁ ଗୁଳିମାଡ଼!
ନୂଆଦିଲ୍ଲୀ,୧୮।୧୦: ବଲିଉଡ୍ ଅଭିନେତା ଟାଇଗର ଶ୍ରଫ୍ଙ୍କୁ ଗୁଳିମାଡ଼ । ମୁମ୍ବାଇର ଜୁହୁର ପୁଷ୍ପା ପାର୍କ ଅଞ୍ଚଳରେ ଗୁଳିମାଡ଼ ହୋଇଥିବା ସୂଚନା ମିଳିଛି । ଏହି ଘଟଣାରେ ଟାଇଗର ଶ୍ରଫ୍ଙ୍କ ଡ୍ରାଇଭର ଏବଂ ଜଣେ ସ୍ଥାନୀୟ ଅଟୋ ରିକ୍ସା ଚାଳକ ମଧ୍ୟ ଆହତ ହୋଇଛନ୍ତି । ଘଟଣା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।
ରିପୋର୍ଟ ମୁତାବକ, ତିନି ଜଣ ଅଜ୍ଞାତ ବ୍ୟକ୍ତି ଏକ ମୋଟରସାଇକେଲରେ ଆସି ଗୁଳି ଚଳାଇଥିଲେ । ଆକ୍ରମଣ ପଛର କାରଣ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ । ଉଲ୍ଲେଖଯୋଗ୍ୟ ଯେ, ଗତ ବର୍ଷ ମଧ୍ୟ ଟାଇଗର ଶ୍ରଫ୍ଙ୍କୁ ଜୀବନରୁ ମାରିଦେବାକୁ ଧମକ ମିଳିଥିଲା।
ପ୍ରାରମ୍ଭିକ ସୂଚନାରେ ଟାଇଗର ଶ୍ରଫଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଥିବା ନେଇ ମୁମ୍ବାଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଏପରିକି ତାଙ୍କର କୌଣସି କ୍ଷତି ହୋଇନଥିବା ସୂଚନା ମିଳିଛି । ଅନ୍ୟପଟେ ଆହତ ହୋଇଥିବା ତାଙ୍କ ନିକଟତମ ବ୍ୟକ୍ତିଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଏହି ଘଟଣାର ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ଦେଖାଯାଉଛି ଯେ ଟାଇଗରଙ୍କ କାର୍ ତାଙ୍କ ବାସଭବନରୁ ବାହାରିବା ସମୟରେ ସେଠାରେ ପ୍ରଶଂସକଙ୍କ ଭିଡ଼ ଜମିଛି। ଏହାର କିଛି ସମୟ ପରେ ଗୁଳି ଫୁଟିବାର ଶବ୍ଦ ଶୁଣିବାକୁ ମିଳିଥିଲା, ଯାହା ଫଳରେ ସେଠାରେ ଦୌଡ଼ାଦୌଡ଼ି ଓ ଆତଙ୍କ ସୃଷ୍ଟି ହୋଇଥିଲା। ଘଟଣାରେ ଆହତ ହୋଇଥିବା ଲୋକଙ୍କ ଚିତ୍କାର ମଧ୍ୟ ଶୁଣାଯାଉଛି। ଗୁଳିମାଡ଼ର କାରଣ ଏବଂ ଏଥିରେ କିଏ ସମ୍ପୃକ୍ତ, ସେନେଇ ପୋଲିସ ଛାନ୍ଭିନ୍ ଜାରି ରଖିଛି । ଏହି ଆକ୍ରମଣ ଖବର ଚଳଚ୍ଚିତ୍ର ଜଗତରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।