ବାତ୍ୟା ଆଶଙ୍କାରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ: ୨୪ ତାରିଖ ପରୀକ୍ଷା ସ୍ଥଗିତ

Sep 22, 2026 - 15:44
ବାତ୍ୟା ଆଶଙ୍କାରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ: ୨୪ ତାରିଖ ପରୀକ୍ଷା ସ୍ଥଗିତ

ଭଞ୍ଜନଗର,୨୨।୯ (ବାବୁଲା ପ୍ରଧାନ): ସମ୍ଭାବ୍ୟ ବାତ୍ୟା ଓ ପ୍ରବଳ ବର୍ଷାକୁ ନେଇ ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ଆରମ୍ଭ ହୋଇଛି। ଉପଜିଲାପାଳ ଉମାଶଙ୍କର ବେହେରା ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ସହ ଏନେଇ ବାରମ୍ବାର ଆଲୋଚନା କରି ସ୍ଥିତିର ସମୀକ୍ଷା କରୁଥିବାବେଳେ ଆବଶ୍ୟକ ପଦକ୍ଷେପ ନେବାକୁ ମଧ୍ୟ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଉଛନ୍ତି। ବାତ୍ୟା ଆଶଙ୍କାକୁ ଦୃଷ୍ଟିରେ ରଖି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ଆସନ୍ତା ୨୪ ତାରିଖରେ ହେବାକୁ ଥିବା ଯୁକ୍ତ ୩ ଦ୍ୱିତୀୟ ସେମିଷ୍ଟର ପରୀକ୍ଷା ସ୍ଥଗିତ ରଖାଯାଇଛି। ୨୫ ତାରିଖ ପରୀକ୍ଷା ସ୍ବାଭାବିକ ଭାବେ ହେବ।
ଅପରପକ୍ଷେ ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ପକ୍ଷରୁ ଜିଲା ପ୍ରଶାସନର ନିର୍ଦ୍ଦେଶକ୍ରମେ
କଳିଙ୍ଗା ଘାଟି ରାସ୍ତା ସୋମବାରଠାରୁ ବନ୍ଦ ରଖାଯାଇଛି। ଏହି ସମୟରେ ଗାଡି ଗୁଡିକ ଚକାପାଦ ରାସ୍ତା ଦେଇ ଯାତାୟତ କରିବ। ଏହିଭଳି ପରିସ୍ଥିତିରେ ଆଜି ବ୍ଲକ ସମ୍ମିଳନୀ କକ୍ଷରେ ବିଡିଓ ଭାରତୀ ଦେବୀଙ୍କ ଅଧକ୍ଷତାରେ ମଧ୍ୟ ସମୀକ୍ଷା ହୋଇଥିଲା। ଏଥିରେ ଅତିରିକ୍ତ ତହସିଲଦାର ଅବିନାଶ ମହାର, ଦମକଳ କେନ୍ଦ୍ର ଅଧିକାରୀ, ପୋଲିସ ପ୍ରମୁଖ ବିଭାଗର ଅଧିକାରୀମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

ଅନ୍ୟପକ୍ଷରେ ସମ୍ଭାବ୍ୟ ବାତ୍ୟାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଭୟ ଓ ଆଶଙ୍କା ବଢ଼ିଛି। ବିଭିନ୍ନ ସମସ୍ୟା ନେଇ ଲୋକେ ଅଭିଯୋଗ ଓ ସହାୟତା ପାଇଁ ଜଳସମ୍ପଦ ବିଭାଗ ଅଧିକ୍ଷଣ ଯନ୍ତ୍ରୀଙ୍କ ସହଯୋଗ ଲୋଡୁଥିବା ବେଳେ ଅଧିକ୍ଷଣ ଯନ୍ତ୍ରୀଙ୍କୁ ଭେଟି ପାରୁନାହାନ୍ତି। ଲୋକେ ଫୋନରେ ଅଧିକାରୀଙ୍କ ନିକଟରେ ଗୁହାରି କରିବାକୁ ଚାହୁଁଥିବା ବେଳେ ସମ୍ପୃକ୍ତ ଅଧିକାରୀ ଫୋନ ଉଠାଉ ନାହାନ୍ତି। ଏନେଇ ଆମ ପ୍ରତିନିଧି ମଧ୍ୟ ମତାମତ ନେବାପାଇଁ ଚାହିଁଥିଲେ କିନ୍ତୁ ସେ ଅଧିକ୍ଷଣ ଯନ୍ତ୍ରୀ ଫୋନ ନ ଉଠାଇବାରୁ ତାଙ୍କର ମତାମତ ନିଆଯାଇ ପାରିନାହିଁ।

ଅନ୍ୟପଟେ ଆଜି ଠାରୁ ଜିଲାର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଗଲାଣି। ଜିଲ୍ଲାରେ ପ୍ରବଳ ବର୍ଷା, ଜଳବନ୍ଦୀ ପରିସ୍ଥିତି ଓ ଯାତାୟାତରେ ସମ୍ଭାବ୍ୟ ବାଧାକୁ ଦୃଷ୍ଟିରେ ରଖି ଛାତ୍ରୀଛାତ୍ର ଓ କର୍ମଚାରୀଙ୍କ ସୁରକ୍ଷା ନିମନ୍ତେ ଜିଲାର ସମସ୍ତ ଡିଗ୍ରୀ କଲେଜ, ବୈଷୟିକ ଶିକ୍ଷାନୁଷ୍ଠାନ ଏବଂ ବିଶ୍ୱବିଦ୍ୟାଳୟର ଅଧୀନସ୍ଥ ବିଭାଗଗୁଡ଼ିକୁ ୨୩ ସେପ୍ଟେମ୍ବର ୨୦୨୬ ଦିନ ବନ୍ଦ ରଖିବାକୁ ଜିଲାପାଳ ତଥା ଜିଲା ମାଜିଷ୍ଟ୍ରେଟ, ଗଞ୍ଜାମଙ୍କ ପକ୍ଷରୁ ଆଜି ଆଦେଶ ଜାରି କରାଯାଇଛି। ଦୁର୍ବିପାକ ପରିଚାଳନା ଆଇନ, ୨୦୦୫ର ଧାରା ୩୪ ଅନୁଯାୟୀ ପ୍ରଦତ୍ତ କ୍ଷମତା ବଳରେ ଏହି ଆଦେଶ ଜାରି ହୋଇଛି। ସମ୍ପୃକ୍ତ ସମସ୍ତ ଶିକ୍ଷାନୁଷ୍ଠାନର ମୁଖ୍ୟମାନେ ଆଦେଶର ନିଷ୍ଠାପୂର୍ବକ ପାଳନ ସହ ଛାତ୍ରୀଛାତ୍ର ଓ କର୍ମଚାରୀଙ୍କ ସୁରକ୍ଷା ଓ କଲ୍ୟାଣ ନିମନ୍ତେ ଆବଶ୍ୟକ ସମସ୍ତ ପ୍ରତିଷେଧମୂଳକ ପଦକ୍ଷେପ ଗ୍ରହଣ କରିବେ।

ଲୋକଙ୍କ ସୁଵିଧା ପାଇଁ ଉପଖଣ୍ଡ ପ୍ରଶାସନ ପକ୍ଷରୁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲାଯାଇଛି। ଏନେଇ ଫୋନ୍ ନମ୍ବର ଜାରୀ କରାଯାଇଛି । ଅନ୍ୟପଟେ ଜଳସମ୍ପଦ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ସଞ୍ଜୟ ପ୍ରଧାନ, ନିର୍ବାହୀ ଯନ୍ତ୍ରୀ ସନ୍ତୋଷ କୁମାର ପାତ୍ର, ଏସଡି ଓ ପ୍ରହଲ୍ଲାଦ ପଣ୍ତା ପ୍ରମୁଖ ସମ୍ଭାବ୍ୟ ବନ୍ୟା ଅଞ୍ଚଳ ବୁଲି ସ୍ଥିତି ଅନୁଧ୍ୟାନ କରୁଛନ୍ତି। ଜନସାଧାରଣ ସୁରକ୍ଷା ପାଇଁ ସବୁ ପ୍ରକାର ଆଗୁଆ ପଦକ୍ଷେପ ନିଆଯାଇଛି।

 

Dharitri – Odisha’s No.1 Odia Daily

 


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।