ବିନା ଛାତ୍ରରେ ଚାଲିଛି ବିଦ୍ୟାଳୟ: ସ୍କୁଲ ଜଗି ରହିଛନ୍ତି ଭାରପ୍ରାପ୍ତ ହେଡ୍ ପଣ୍ଡିତ
ବଲାଙ୍ଗୀର,୨ା୧୦(ବୀରେନ୍ଦ୍ର କୁମାର ଝାଙ୍କର):ବଲାଙ୍ଗୀର ସହର ମୁଖ୍ୟରାସ୍ତା ପାର୍ଶ୍ୱରେ ଥିବା ବିଦ୍ୟାଭୂଷଣ ସଂସ୍କୃତ ପ୍ରଥମା-ମଧ୍ୟମା ବିଦ୍ୟାଳୟରେ ୬ଷ୍ଠରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି। ଏକଦା ଏହି ବିଦ୍ୟାଳୟରେ ୧୦୦ରୁ ଊର୍ଦ୍ଧ୍ୱ ପିଲା ପଢ଼ୁଥିବାବେଳେ ଧୀରେ ଧୀରେ ପିଲାଙ୍କ ସଂଖ୍ୟାରେ ହ୍ରାସ ପାଇ ୪ବର୍ଷ ତଳେ ୧୨ ଥିଲା। ହେଲେ ଚଳିିତ ଶିକ୍ଷାବର୍ଷ(୨୦୨୬-୨୭)ରେ ସ୍କୁଲରେ ଜଣେ ବି ପିଲାଙ୍କ ନାମଲେଖା ହୋଇପାରି ନାହିଁ। ଶିକ୍ଷକ ନ ଥିବାରୁ ଛାତ୍ରୀଛାତ୍ରମାନେ ନାମ ଲେଖାଇ ନ ଥିବା ଜଣାପଡ଼ିଛି। ଗତ ୨ବର୍ଷ ହେଲା ଏହି ସ୍କୁଲରେ ଏଭଳି ସମସ୍ୟା ଲାଗି ରହିଛି। ଏଠାରେ ବ୍ୟାକରଣ ଓ ଦର୍ଶନ, ସଂସ୍କୃତ ସାହିତ୍ୟ, ଆୟୁର୍ବେଦ ଓ ଯୋଗ, ଓଡ଼ିଆ ମାତୃଭାଷା, ଗଣିତ, ସାଧାରଣ ବିଜ୍ଞାନ, ସାମାଜିକ ବିଜ୍ଞାନ, ଇଂଲିଶ ଏଭଳି ୮ଟି ବିଷୟ ବିଭାଗରେ ୫ଜଣ ଶିକ୍ଷକ ରହିବା କଥା। ହେଲେ ଏବେ ଜଣେ ମାତ୍ର ଶିକ୍ଷକ ଅଛନ୍ତି। ଜଣେ ପରେ ଜଣେ ଶିକ୍ଷକ ଅବସର ଗ୍ରହଣ କରିବାରୁ ସେମାନଙ୍କ ସ୍ଥାନରେ ନୂଆ ଶିକ୍ଷକଙ୍କୁ ନିଯୁକ୍ତ କରାଯାଇନାହିଁ। ଶିକ୍ଷକ ପଦବୀ ଖାଲି ସହ ପିଲା ନ ଥିବାରୁ ଉକ୍ତ ସ୍କୁଲଟି ଏବେ ଏକପ୍ରକାର ବନ୍ଦ ହୋଇପଡ଼ିଛି।
ବିଦ୍ୟାଳୟରେ ଏବେ ଜଣେ ମାତ୍ର ଶିକ୍ଷକ ବୀରେନ୍ଦ୍ର କୁମାର ଧରୁଆ ଭାରପ୍ରାପ୍ତ ହେଡ୍ ପଣ୍ଡିତ ଭାବେ କାର୍ଯ୍ୟ କରୁଛନ୍ତି। ଧରୁଆଙ୍କ କହିବାନୁସାରେ, ଶିକ୍ଷକ ନ ଥିବାରୁ ପାଠପଢ଼ା ହେବନାହିଁ ଭାବି ଚଳିତବର୍ଷ ଜଣେ ବି ଛାତ୍ର ନାମ ଲେଖାଇ ନାହାନ୍ତି। ସ୍କୁଲର ୫ଟି ଶ୍ରେଣୀ କୋଠରି ଏବଂ ଅଫିସରେ ଝାଡୁ ମାରିବାକୁ ବି ଜଣେ ସହଯୋଗୀ ନାହାନ୍ତି। ସ୍କୁଲକୁ ପ୍ରତିଦିନ ଆସିବା ପରେ ନିଜକୁ ହିଁ ଝାଡୁ ମାରିବାକୁ ପଡ଼ୁଛି। ସ୍କୁଲର କୌଣସି ସରକାରୀ କାର୍ଯ୍ୟ ବା ଚିଠିପତ୍ର ନେବା ଆଣିବା ପାଇଁ ସହକାରୀ ଶିକ୍ଷକ କି ପିଅନ ନ ଥିବାରୁ ସେ ନିଜେ ଜିଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟକୁ ଚିଠି ନେବା ଆଣିବା କରୁଛନ୍ତି। ପାଠ ପଢ଼ିବାକୁ ଛାତ୍ରୀଛାତ୍ର ନ ଥିବାରୁ ସ୍କୁଲ ଶ୍ରେଣୀ କୋଠରି ଖଁା ଖଁା ଲାଗୁଛି ବୋଲି ଧରୁଆ କହିଛନ୍ତି। ଅନ୍ୟପକ୍ଷେ ପୂର୍ବରୁ ଏଠାରେ ପଢ଼ୁଥିବା ଜଣେ ଛାତ୍ରଙ୍କ ଅଭିଭାବକ କହିଛନ୍ତି, ହେଡ୍ ପଣ୍ଡିତଙ୍କୁ ପ୍ରୌଢ଼ଶିକ୍ଷା ଏବଂ ଅନ୍ୟାନ୍ୟ କାର୍ଯ୍ୟରେ ନିୟୋଜନ କରାଯାଉଛି। ଏହି ସ୍କୁଲରେ ପୂର୍ବ ବର୍ଷଗୁଡ଼ିକରେ ଛାତ୍ରୀଛାତ୍ର ପାଠ ପଢ଼ୁଥିଲେ। ମାତ୍ର ଧୀରେ ଧୀରେ ଶିକ୍ଷକ ପଦବୀ ଖାଲି ହେବା ଏବଂ ନୂତନ ଶିକ୍ଷକ ଅବସ୍ଥାପିତ ନ ହେବାରୁ ଛାତ୍ରୀଛାତ୍ରମାନେ ନାମ ଲେଖାଇବାକୁ ଅନିଚ୍ଛା ପ୍ରକାଶ କରିଛନ୍ତି। ଏପରି କି ଶିକ୍ଷକ ନ ଥିବା କାରଣରୁ ଉକ୍ତ ସ୍କୁଲର ଛାତ୍ରୀଛାତ୍ରମାନେ ମଧ୍ୟ ଅନ୍ୟ ସ୍କୁଲକୁ ସ୍ଥାନାନ୍ତର କରିଛନ୍ତି। ଏବେ ସ୍କୁଲର ଭବିଷ୍ୟତ କ’ଣ ହେବ ତାକୁ ନେଇ ସନ୍ଦେହ ଲାଗିରହିଛି ବୋଲି ସମ୍ପୃକ୍ତ ଅଭିଭାବକ କହିଛନ୍ତି।
୧୯୧୨ ମସିହାରେ ବଲାଙ୍ଗୀରରେ ଜର୍ଜ ସଂସ୍କୃତ ଟୋଲ୍ ପ୍ରତିଷ୍ଠା ହୋଇଥିଲା। ସେତେବେଳେ ସଂସ୍କୃତ ସାହିତ୍ୟ, ବ୍ୟାକରଣ, କର୍ମକାଣ୍ଡ, ଆୟୁର୍ବେଦ ଆଦି ବିଷୟରେ ଶିକ୍ଷା ଦିଆଯାଉଥିଲା। ଗଡ଼ଜାତ ମିଶ୍ରଣ ପରେ ୧୯୪୯ ମସିହାରେ ଏଠାରେ ବିଦ୍ୟାଭୂଷଣ ସଂସ୍କୃତ ମହାବିଦ୍ୟାଳୟ ପ୍ରତିଷ୍ଠା ହେଲା। ସେହିଦିନରୁ ଓଡ଼ିଶା ସରକାରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ସ୍କୁଲ ଓ ମହାବିଦ୍ୟାଳୟ ଚାଲିଛି। ଏଠାରେ ପ୍ରଥମା-ମଧ୍ୟମା ବିଭାଗରେ ୬ଷ୍ଠରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି। ଏହା ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ଅଧୀନରେ ରହିଛି। ଚଳିତବର୍ଷ ଜଣେ ବି ଛାତ୍ର ନାମ ଲେଖାଇ ନ ଥିବାରୁ ଆଉ ମଧ୍ୟମା (ମାଟ୍ରିକ୍) ପରୀକ୍ଷା ହୋଇପାରିବନାହିଁ। ସ୍କୁଲ କୋଠା ଅଛି, ମାତ୍ର ଶିକ୍ଷକ ନାହାନ୍ତି କି ଛାତ୍ର ନାହାନ୍ତି। ସରକାରଙ୍କ ଚରମ ଅବହେଳା ଏବଂ ଅବ୍ୟବସ୍ଥା ଯୋଗୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିତ୍ବା ଶିକ୍ଷାପ୍ରେମୀମାନେ କହିଛନ୍ତି। ଏନେଇ ବ୍ଲକ ଶିକ୍ଷା ଅଧିକାରୀ ଦିଲ୍ଲୀପ କୁମାର ଯୋଶୀ କହିଛନ୍ତି, ସଂସ୍କୃତ ସ୍କୁଲରେ କ’ଣ ସ୍ଥିତି ରହିଛି, ସେ ସମ୍ପର୍କରେ ତଦନ୍ତ କରାଯାଇ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ତେବେ ବିଇଓଙ୍କ ଅଧୀନରେ ଏହି ବିଦ୍ୟାଳୟ ଆସୁଥିବାବେଳେ ସେଠାରେ ଜଣେ ହେଲେ ବି ପିଲା ନାମ ନ ଲେଖାଇବା ଘଟଣା କିପରି ସେ ଜାଣିପାରି ନାହାନ୍ତି, ତାକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି। ସେହିପରି ଜିଲା ଶିକ୍ଷାଧିକାରୀ ସୁଧାଂଶୁ ଶେଖର ମିଶ୍ରଙ୍କ କହିବା ହେଲା କେଉଁ କାରଣରୁ ଚଳିତବର୍ଷ ଏହି ସ୍କୁଲରେ ନାମ ଲେଖା ହୋଇପାରିନାହିଁ ଏବଂ କିଛି ବର୍ଷ ହେଲା ସ୍କୁଲ୍ରେ ନାମ ଲେଖା କମି କମି ଆସୁଥିଲା, ସେନେଇ ତଦନ୍ତ କରାଯିବ। ରିପୋର୍ଟ ଆସିବା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।