ବିପଦ ସଂକେତ ଟପିଲା କାଂଶବାଂଶ: ନଦୀ ଉପକୂଳବର୍ତ୍ତୀ ଅଞ୍ଚଳ ଜଳମଗ୍ନ
ସିମୁଳିଆ,୨୬।୯(ସନ୍ତୋଷ ନାୟକ): ବାଲେଶ୍ୱର ଜିଲା ସିମୁଳିଆ-ଖଇରା ଏବଂ ସୋର ବ୍ଲକ ମଧ୍ୟରେ ପ୍ରବାହିତ କାଂଶବାଂଶ ନଦୀର ଜଳ ପତ୍ତନ ଶନିବାର ହଠାତ୍ ବଢ଼ିବାରେ ଲାଗିଛି। ଫଳରେ ଚତୁର୍ଥ ବନ୍ୟାଜଳ ଜନସାଧାରଣଙ୍କୁ ପ୍ରଭାବିତ କରିଛି। ସିମୁଳିଆ ବ୍ଲକ ଜାମୁଝାଡି ନିକଟସ୍ଥ ଶଙ୍ଖପୋଲ ବାରୁଣୀ ନିକଟରେ ଥିବା କାଂଶବାଂଶର ଜଳପତ୍ତନ ବିପଦ ସଂକେତ ୭.୫୦ ମିଟର ରହିଥିବା ବେଳେ ଶୁକ୍ରବାର ଏହା ୭.୨୮ମି.ରେ ପ୍ରବାହିତ ହେଉଥିଲା। ଶନିବାର ବୃଦ୍ଧ ପାଇ ୭.୬୫ମି. ଅର୍ଥାତ ବିପଦ ସଂକେତ ଊର୍ଦ୍ଧ୍ୱରେ ପ୍ରବାହିତ ହେଉଛି।
ଏନେଇ ନଦୀ ଉପକୂଳବର୍ତ୍ତୀ ବାଉରିପଦା ପଞ୍ଚାୟତର ବାଉରିପଦା, ସଇଗାଁ, ପଣ୍ଡୁ, ନିଶ୍ଚନ୍ତା, କୁରୁକୁରୁଆ, ଆନନ୍ଦପୁର ପଞ୍ଚାୟତର ଆନନ୍ଦପୁର, ମହମ୍ମଦପୁର, ଅଜିପୁର, ଜାମୁଝାଡି ପଞ୍ଚାୟତର ପାଟୁଳୀ, ଗୋପାଳପୁର, ନହରପଦା, ଦୀପ, ବାଟୀ ପଞ୍ଚାୟତର ଆଙ୍କୁଲା, କବୀରପୁର, ହରସିଂହପୁର, ଚାଲୁଣୀଗାଁ ପଞ୍ଚାୟତର କହ୍ନେଇବାଙ୍କ, ବାଇଁଶୀବାଟୀ, ମଙ୍ଗରାଜପୁର, କ୍ଷୀରକୋଣା ପଞ୍ଚାୟତର ନରଣପୁର, ମଳିକସାହି, ରାମପୁର ଆଦି ପଞ୍ଚାୟତ ପାଣି ଘେରରେ ରହିଛି ।
ପଣ୍ଡୁ ଅଞ୍ଚଳର କିଶୋର ଚନ୍ଦ୍ର ମହାକୁଡ କହନ୍ତି, ଗତ ରାତି ପ୍ରାୟ ୨ଟାରେ ହଠାତ୍ ଗାଁରେ ପାଣି ପଶିବା ଆରମ୍ଭ ହୋଇଥିଲା ା ସକାଳେ ଗାଁ ରାସ୍ତାରେ ୩ଫୁଟ ପାଣି ବଢ଼ିଯିବା ଯୋଗୁ ଲୋକଙ୍କ ଘରେ ପାଣି ପଶିଛି। ଫଳରେ ଲୋକ ଗାଁ ସ୍କୁଲରେ ଆଶ୍ରୟ ନେଇଛନ୍ତି। ପ୍ରଶାସନ ପକ୍ଷରୁ ଚୁଡା ବଣ୍ଟନ କରାଯାଇଛି। ବାଉରିପଦା ଗାଁ ମଧ୍ୟରେ ପାଣିସୁଅ ଚାଲିବା ଯୋଗୁ ବିଦ୍ୟୁତ୍ ଟ୍ରାନ୍ସଫର୍ମର ପାଣିରେ ବୁଡିଯାଇଛି। ଫଳରେ ବିଦ୍ୟୁତ ସରବରାହ ବନ୍ଧ ରହିଥିବା ସମିତିସଭ୍ୟ ଗଜେନ୍ଦ୍ର ସେଠି ସୂଚନା ଦେଇଛନ୍ତି।
ଜଳସ୍ତର ବୃଦ୍ଧି ଯୋଗୁ ସିମୁଳିଆ ବ୍ଲକର ବିଭିନ୍ନ ଅଙ୍ଗନୱାଡି ସମେତ ସାଇଦୁଃଖି ସଙ୍ଖାଳୀ ହାଇସ୍କୁଲ, ବରିହା ୟୁଜିଏମଇ, ଆଶାମଣୀ ହାଇସ୍କୁଲ, ବରବାଙ୍କ ପ୍ରାଥମିକ, ମାହେଶ୍ୱରୀ ସଂସ୍କୃତ ବିଦ୍ୟାଳୟ, ପାଟୁଳୀ ହାଇସ୍କୁଲ ଶନିବାର ବନ୍ଧ ରହିଥିଲା।
ନଦୀ ପତ୍ତନଠାରୁ ପ୍ରାୟ ୫ଫୁଟ ଉଚ୍ଚରେ ଥିବା ସାଇଦୁଃଖି ସଙ୍ଖାଳୀ ହାଇସ୍କୁଲରେ ଶୁକ୍ରବାର ରାତ୍ରୀରେ ପାଣି ପଶିବା ଆରମ୍ଭ ହୋଇଥିଲା। ଖବରପାଇ ଶିକ୍ଷକମାନେ ପହଞ୍ଚି ମଧ୍ୟାହ୍ନ ଚାଉଳ ସ୍ଥାନାନ୍ତର ପାଇଁ ଉଦ୍ୟମ କରିଥିଲେ। ହେଲେ ଏହା ସମ୍ଭବ ନ ହେବାରୁ ଚାଉଳ ପାଣିରେ ବୁଡି ନଷ୍ଟ ହୋଇଯାଇଥିବା ବିଦ୍ୟାଳୟ ବିଜ୍ଞାନ ଶିକ୍ଷକ ଦିଲୀପ କୁମାର ରଥ ସୂଚନା ଦେଇଛନ୍ତି। ବିଧାୟକ ପଦ୍ମଲୋଚନ ପଣ୍ଡା ଶନିବାର ବନ୍ୟା ପ୍ରଭାବିତ ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଥିବା ସୂଚନା ମିଳିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।