ବିପନ୍ନଙ୍କ ନିକଟରେ ପହଞ୍ଚିନି ପ୍ରଶାସନ, ଭୋକ ଉପାସରେ ଛଟପଟ ହୋଇ ରାଜରାସ୍ତାକୁ ଓହ୍ଲାଇଲେ ଲୋକେ
ପୁରୁଷୋତ୍ତମପୁର,୩୦ା୧୦(ସବିତା ମିଶ୍ର): ବାତ୍ୟା ଅର୍ଣ୍ଣବର ପ୍ରଭାବରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ଋଷିକୂଲ୍ୟା ନଦୀରେ ଭୟଙ୍କର ବନ୍ୟାରେ କୂଳ ଲଂଘି ଗାଁଠୁ ସହର ସବୁଠି ପଶିଛି ବନ୍ୟାଜଳ। ଭାଙ୍ଗିଛି ଘରଦ୍ୱାର, ଉଜାଡ଼ିଛି ଜୀବନଜୀବିକା। ହେଲେ ବନ୍ୟା ବିପନ୍ନଙ୍କ ଦୁର୍ଦ୍ଦଶା ଏବେ ଦ୍ୱିଗୁଣିତ ହୋଇଛି। ନଦୀର ଜଳସ୍ତର କମିଥିଲେ ମଧ୍ୟ ଅନେକ ଅଞ୍ଚଳରୁ ବନ୍ୟାଜଳ ହଟିନାହିଁ। ଫଳରେ ଲୋକେ ଏବେ ବି ଜଳବନ୍ଦୀ ଜୀବନ କାଟୁଛନ୍ତି। ଘରେ ପାଣି ପଶି ରନ୍ଧାବଢ଼ା ସାମଗ୍ରୀ ନଷ୍ଟ ହୋଇଯାଇଥିବାରୁ ଅନେକ ପରିବାର ଖାଇବାକୁ ନ ପାଇ ଭୋକରେ ଛଟପଟ ହେଉଛନ୍ତି। ବିପନ୍ନଙ୍କ ନିକଟରେ ରନ୍ଧାଖାଦ୍ୟ, ପାନୀୟ ଜଳ କିମ୍ବା ଉଦ୍ଧାର ସହାୟତା ପହଞ୍ଚି ନ ଥିବା ଅଭିଯୋଗ ହୋଇଛି। ଏପରିକି ବିପତ୍ତି ସମୟରେ ଜନପ୍ରତିନିଧିଙ୍କ ଦେଖା ନ ମିଳିବା ଘଟଣା ଲୋକଙ୍କ ଅସନ୍ତୋଷକୁ ଆହୁରି ତୀବ୍ର କରିଛି। ପ୍ରଶାସନର ଏହି ଅବହେଳା ଅଭିଯୋଗକୁ ନେଇ ଜନଅସନ୍ତୋଷ ଏବେ ରାସ୍ତାକୁ ଆସିଛି। କୁମାରୀ ଗ୍ରାମବାସୀ ଉତ୍ତ୍ୟକ୍ତ ହୋଇ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ହୋ-ହଲ୍ଲା କରିବା ସହ ଧାରଣା ଦେଇଛନ୍ତି। ସେହିପରି ଗଡ଼ସାହି ଛକ ଓ ପାଣିଟାଙ୍କି ଛକରେ ରାସ୍ତା ଅବରୋଧ କରି ଆନ୍ଦୋଳନ ଚଳାଇଛନ୍ତି ବିପନ୍ନ। ବନ୍ୟାରେ ସର୍ବସ୍ବ ହରାଇଥିବା ଲୋକଙ୍କ ପାଇଁ ତୁରନ୍ତ ରିଲିଫ, ରନ୍ଧାଖାଦ୍ୟ ଓ ଉଦ୍ଧାର ବ୍ୟବସ୍ଥା ନ ହେଲେ ଅସନ୍ତୋଷ ଆହୁରି ତୀବ୍ର ହେବା ଆଶଙ୍କା ଦେଖାଦେଇଛି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।