ଫିଲିପ୍ସଙ୍କ ଚମତ୍କାର ଶତକ: ଭାରତ ଆଗରେ ବିଶାଳ ଟାର୍ଗେଟ୍‌

Oct 30, 2026 - 15:12
ଫିଲିପ୍ସଙ୍କ ଚମତ୍କାର ଶତକ:  ଭାରତ ଆଗରେ ବିଶାଳ ଟାର୍ଗେଟ୍‌

ଅକଲାଣ୍ଡ,୩୦।୧୦: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ୍‌ର ଚତୁର୍ଥ ମୁକାବିଲା ଆଜି ଅକଲାଣ୍ଡର ଇଡେନ ପାର୍କରେ ଖେଳାଯାଉଛି। ଏହି ମ୍ୟାଚ୍‌ର ଭାରତୀୟ ଅଧିନାୟକ ଶ୍ରେୟସ ଆୟର ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଜବାବରେ ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ୨୦ ଓଭରରେ ୭ ଉଇକେଟ ହରାଇ ୨୫୯ ରନ ସଂଗ୍ରହ କରିଛି। ଫଳରେ ଭାରତକୁ ମ୍ୟାଚ ଜିତିବା ପାଇଁ ୨୬୦ ରନ୍‌ର ବିଶାଳ ଟାର୍ଗେଟ ମିଳିଛି। ନ୍ୟୁଜିଲାଣ୍ଡ ପକ୍ଷରୁ ଗ୍ଲେନ ଫିଲିପ୍ସ ଚମତ୍କାର ବ୍ୟାଟିଂ କରି ମାତ୍ର ୪୯ଟି ବଲ୍‌ରେ ୧୦୭ ରନ୍‌ର ଶତକୀୟ ଇନିଂସ ଖେଳିଛନ୍ତି। ତାଙ୍କ ଇନିଂସ୍‌ରେ ୬ଟି ଚୌକା ଓ ୧୦ଟି ଛକା ସାମିଲ ଥିଲା।

ଅନ୍ୟପଟେ ମାଇକେଲ ବ୍ରେସୱେଲ ମଧ୍ୟ ଭାରତୀୟ ବୋଲରଙ୍କୁ ନିର୍ଧୂମ ଛେଚିଛନ୍ତି। ସେ ମାତ୍ର ୨୫ଟି ବଲ୍‌ର ୬୫ ରନ ସଂଗ୍ରହ କରିଥିଲେ। ତାଙ୍କ ଇନିଂସ୍‌ରେ ୪ଟି ଚୌକା ଓ ୬ଟି ଛକା ରହିଥିଲା। ଇନିଂସ୍‌ର ଶେଷ ଭାଗରେ ନାଥନ ସ୍ମିଥ ୬ ରନ ଓ ଆଡାମ ମିଲ୍ନେ ୧ ରନ କରି ଅପରାଜିତ ରହିଥିଲେ। ଏହା ପୂର୍ବରୁ ଫିନ ଆଲେନ, ଟିମ ସିଫର୍ଟ ଓ ମାର୍କ ଚାପମ୍ୟାନ ଶୀଘ୍ର ଆଉଟ ହୋଇଥିଲେ। ତେବେ ଫିଲିପ୍ସ ଓ ବ୍ରେସୱେଲଙ୍କ ଆକ୍ରମଣାତ୍ମକ ବ୍ୟାଟିଂ ଯୋଗୁ ନ୍ୟୁଜିଲାଣ୍ଡ ବଡ଼ ସ୍କୋର କରିବାରେ ସଫଳ ହୋଇଛି। ଭାରତ ପକ୍ଷରୁ ମୟଙ୍କ ଯାଦବ ସର୍ବାଧିକ ୩ଟି ଉଇକେଟ ନେଇଛନ୍ତି।

ଏହି ମ୍ୟାଚ ପୂର୍ବରୁ ଭାରତ ପ୍ରଥମ ତିନୋଟି ମୁକାବିଲା ଜିତି ସିରିଜକୁ ନିଜ ନାମରେ କରିସାରିଛି। ତେଣୁ ଏହି ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ଦଳ ସମ୍ମାନ ରକ୍ଷା କରିବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇଛି। ଭାରତ ପ୍ରଥମ ତିନୋଟି ମ୍ୟାଚ୍‌ରେ ଟାର୍ଗେଟ୍‌ର ପିଛା କରି ବିଜୟ ହାସଲ କରିଥିଲା।

ଚତୁର୍ଥ ମ୍ୟାଚ ପାଇଁ ଭାରତୀୟ ଦଳର ଚୂଡ଼ାନ୍ତ ଏକାଦଶରେ ଦୁଇଟି ପରିବର୍ତ୍ତନ କରାଯାଇଛି। ଭୁବନେଶ୍ୱର କୁମାର ଓ ବୈଭବ ସୂର୍ଯ୍ୟବଂଶୀ ଏହି ମ୍ୟାଚ ଖେଳୁନାହାନ୍ତି। ସେମାନଙ୍କ ସ୍ଥାନରେ ମୟଙ୍କ ଯାଦବ ଓ ଈଶାନ କିଶନଙ୍କୁ ସୁଯୋଗ ମିଳିଛି।

 

Dharitri – Odisha’s No.1 Odia Daily

 


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।