ବୈଦିକ ଭୂମିରେ ହିନ୍ଦୁଧର୍ମ
ସିନ୍ଧୁ ନଦୀର ଶାଖାନଦୀଗୁଡ଼ିକ ଦ୍ୱାରା ପ୍ଳାବିତ ପଞ୍ଜାବ ମୂଳ ବୈଦିକ ଭୂମି ଥିଲା। ହେଲେ ଏବେ ଯମୁନା-ଗଙ୍ଗା ଧୋୟାଞ୍ଚଳ ସହିତ ବେଦକୁ ଅଧିକ ଜଡ଼ିତ କରାଯାଉଥିବାବେଳେ ଅନ୍ୟପକ୍ଷରେ ପଞ୍ଜାବକୁ ଶିଖ୍ ଧର୍ମର ମୂଳ ଉତ୍ସ ବୋଲି କୁହାଯାଉଛି। ମୂଳ ପଞ୍ଜାବର ପଶ୍ଚିମ ଭାଗ ଏବେ ପାକିସ୍ତାନରେ ଅଛି ଏବଂ ସେଠାକାର ଅଧିକାଂଶ ଲୋକ ମୁସଲମାନ। ଏହାର ପୂର୍ବ ଭାଗ ଭାରତରେ ଅଛି ଏବଂ ସେଠାରେ ଉଭୟ ଶିଖ୍ ଏବଂ ହିନ୍ଦୁମାନେ ରହୁଛନ୍ତି। ପଞ୍ଜାବର ସାମାଜିକ ବ୍ୟବସ୍ଥାକୁ ନିୟନ୍ତ୍ରଣ କରିବା ଲାଗି ବ୍ରାହ୍ମଣମାନେ କେବେହେଲେ ପ୍ରମୁଖ ଭୂମିକା ଗ୍ରହଣ କରିନାହାନ୍ତି। ଶିଖ ଧର୍ମ ଓ ଇସ୍ଲାମ ଉଭୟ ଜାତିଗତ ସମାନତା ଉପରେ ମତ ଦେଉଥିଲେ ମଧ୍ୟ ଏହି ରାଜ୍ୟରେ ଭାରତର ସବୁଠାରୁ ଅଧିକ ଅନୁପାତରେ (ପ୍ରାୟ ୩୦%) ଦଳିତ ରହିଛନ୍ତି। ପଞ୍ଜାବର ଇତିହାସକୁ ଅନୁଧ୍ୟାନ କଲେ ଜଣାପଡ଼େ ଯେ, ଏଠାରେ ହିନ୍ଦୁଧର୍ମ ଉପମହାଦ୍ୱୀପର ଅନ୍ୟାନ୍ୟ ଅଞ୍ଚଳ ତୁଳନାରେ ସମ୍ପୂର୍ଣ୍ଣ ଭିନ୍ନ ମାର୍ଗରେ ବିକଶିତ ହୋଇଥିଲା।
ହରପ୍ପା ସଭ୍ୟତାର ଏକ ପ୍ରମୁଖ କେନ୍ଦ୍ର ଥିଲା ପଞ୍ଜାବ। ହରପ୍ପା ସହର ରାବି (ଇରାବତୀ) ନଦୀ କୂଳରେ ଅବସ୍ଥିତ। ଏହି ଅଞ୍ଚଳ ସିନ୍ଧୁ ଏବଂ ସୁତଲେଜ (ଶତଦ୍ରୁ) ନଦୀ ମଧ୍ୟରେ ଅବସ୍ଥିତ, ଯାହାର ଉତ୍ତର ପାହାଡ଼ିଆ ଅଞ୍ଚଳ ସ୍ବାତ ଉପତ୍ୟକା ଆଡ଼କୁ ବ୍ୟାପିଛି। ଏଠାରେ ପରେ ବୌଦ୍ଧ ଗାନ୍ଧାର ସଭ୍ୟତା ବିକଶିତ ହୋଇଥିଲା। ଏହି ଉପତ୍ୟକା ଜମ୍ମୁ, କଶ୍ମୀର ତଥା ପାର୍ବତ୍ୟ ରାଜ୍ୟଗୁଡ଼ିକ ଆଡ଼କୁ ମଧ୍ୟ ବିସ୍ତାରିତ ହୋଇଛି ଏବଂ ଏଠାରୁ ୫ଟି ନଦୀ ବାହାରି ପ୍ରବାହିତ ହୋଇଛନ୍ତିି। ଉତ୍ତରର ପାହାଡ଼ିଆ ଏବଂ ଦକ୍ଷିଣର ସମତଳ ଭୂମି ଏକାଠି ମିଶି ପଞ୍ଜାବକୁ ସମୃଦ୍ଧ କରିଛନ୍ତି। ସାଢ଼େ ଚାରି ହଜାର ବର୍ଷରୁ ଅଧିକ ସମୟ ପୂର୍ବେ ହରପ୍ପା ସଭ୍ୟତା ସହିତ ସିନ୍ଧ, ଗୁଜରାଟ, ହରିୟାଣା ଏବଂ ରାଜସ୍ଥାନର ସହରଗୁଡ଼ିକର ବାଣିଜି୍ୟକ ସମ୍ପର୍କ ଥିଲା। ପ୍ରାୟ ୩,୫୦୦ ବର୍ଷ ପୂର୍ବେ ଆର୍ଯ୍ୟମାନେ ଏହି ଅଞ୍ଚଳ ଦେଇ ଭାରତରେ ପ୍ରବେଶ କରିଥିଲେ ଏବଂ ସେମାନେ ଘୋଡ଼ା ଆଣିଥିଲେ। ପଞ୍ଜାବର ପୂର୍ବ ସୀମାରେ, ସୁତଲେଜ ଏବଂ ଗଙ୍ଗା ମଧ୍ୟବର୍ତ୍ତୀ ଅଞ୍ଚଳରେ ପୂର୍ବରୁ ଆସିଥିବା ଆର୍ଯ୍ୟମାନଙ୍କ ସହିତ ପରେ ଆସିଥିବା ଆର୍ଯ୍ୟମାନଙ୍କର ସଂଘର୍ଷ ହୋଇଥିଲା ଏବଂ ଏହିଠାରେ ହିଁ ଋଗବେଦ ରଚନା କରାଯାଇଥିଲା। ତଥାପି ଯେତେବେଳେ ବୈାଦ୍ଧିକ ସଭ୍ୟତା ବିକଶିତ ହେଲା, ସେତେବେଳେ ପଞ୍ଜାବକୁ ଏକ ସୀମାନ୍ତ ଅଞ୍ଚଳ ଭାବରେ ବିବେଚନା କରାଗଲା, ଯେଉଁଠାରୁ ଘୋଡ଼ା ଆସୁଥିଲେ। ଏହି କାରଣରୁ ରାମାୟଣର କେକେୟ ରାଜ୍ୟ ଘୋଡ଼ାର ପ୍ରଭୁ ଅଶ୍ୱପତିଙ୍କ ଦ୍ୱାରା ଶାସିତ ହେଉଥିଲା ଏବଂ ମହାଭାରତର ମଦ୍ର ଦେଶ ମଧ୍ୟ ଘୋଡ଼ାର ଭୂମି ଭାବେ ପରିଚିତ ଥିଲା।
ପରବର୍ତ୍ତୀ ସମୟରେ ପଞ୍ଜାବର ପୂର୍ବାଞ୍ଚଳ ପାର୍ସୀ (ପର୍ସିଆନ) ଗ୍ରୀକ୍ମାନଙ୍କ ଅଧୀନକୁ ଚାଲିଯାଇଥିଲା। ସେମାନଙ୍କୁ ପଞ୍ଜାବର ରାଜା ପୁରୁରବା ପ୍ରତିରୋଧ କରିଥିଲେ। ପ୍ରାୟ ୨,୩୦୦ ବର୍ଷ ପୂର୍ବେ ମୌର୍ଯ୍ୟମାନେ ଏହି ଅଞ୍ଚଳ ଦେଇ ବାଣିଜ୍ୟ ପଥ ଖୋଲିଥିଲେ ଏବଂ ଏହି ପଥ ଦେଇ ବୌଦ୍ଧଧର୍ମ ପଞ୍ଜାବରେ ପହଞ୍ଚିଥିଲା। ମୌର୍ଯ୍ୟ ଏବଂ କୁଷାଣଙ୍କ ଶାସନ କାଳରେ ବାଣିଜ୍ୟ ଅଧିକ ସମୃଦ୍ଧ ହୋଇଥିଲା, ଯେଉଁମାନେ ପାର୍ସୀ ଏବଂ ମଧ୍ୟ-ଏସିଆକୁ ସଂଯୋଗ କରୁଥିବା ହିନ୍ଦୁକୁଶର ଗିରିପଥଗୁଡ଼ିକୁ ନିଜ ନିୟନ୍ତ୍ରଣରେ ରଖିଥିଲେ। ଯୌଧେୟ ଜନଜାତିର ଲୋକମାନେ ଏପରି ମୁଦ୍ରା ପ୍ରଚଳନ କରିଥିଲେ, ଯେଉଁଥିରେ କାର୍ତ୍ତିକେୟଙ୍କ ଛବି ଥିଲା ଏବଂ ସେତେବେଳେ ତାଙ୍କୁ ଶିବଙ୍କ ପରିବର୍ତ୍ତେ ଅଗ୍ନିଙ୍କ ପୁତ୍ର ଭାବରେ ବିବେଚନା କରାଯାଉଥିଲା। ପ୍ରାୟ ୧,୫୦୦ ବର୍ଷ ପୂର୍ବେ ହୁନମାନେ ଗାନ୍ଧାରକୁ ଧ୍ୱଂସ କରିବା ପୂର୍ବରୁ ଏହା ଏକ ପ୍ରମୁଖ ବୌଦ୍ଧ କେନ୍ଦ୍ର ଥିଲା। ତା’ପରେ ବୌଦ୍ଧ ଧର୍ମର ପତନ ଘଟି ଶୈବ ଧର୍ମ ବିକଶିତ ହେଲା। ସାରା ଦେଶରେ ଶିବଲିଙ୍ଗ ଭୂମିରୁ ପ୍ରକଟ ହେଉଥିବା କୁହାଗଲା । ପାର୍ବତ୍ୟ ଅଞ୍ଚଳରେ ଦେବୀ ଆରାଧନା ମଧ୍ୟ ବ୍ୟାପକ ହେଲା। ଆଜି ଆମେ ହିମାଚଳ ଏବଂ ଜମ୍ମୁକୁ ପଞ୍ଜାବଠାରୁ ପୃଥକ୍ ବୋଲି ମାନୁଛୁ, କିନ୍ତୁ ପାରମ୍ପରିକ ଭାବରେ ଏହି ପାର୍ବତ୍ୟ ରାଜ୍ୟଗୁଡ଼ିକ ଏହାର ହିଁ ବିସ୍ତାରିତ ଅଂଶ ଥିଲେ। ଅଷ୍ଟମ ଶତାବ୍ଦୀ ଆଡ଼କୁ ମୁଖ୍ୟତଃ ଭଗବାନ ଶିବଙ୍କୁ ସମ୍ମାନ ଜଣାଇବା ପାଇଁ ମସରୁର, ଭରମୌର ଏବଂ ଚମ୍ବା ଭଳି ମନ୍ଦିରଗୁଡ଼ିକ ନିର୍ମିିତ ହୋଇଥିଲା। ଏହି ସମୟରେ ହିନ୍ଦୁ ଧର୍ମର ଆବିର୍ଭାବ ହୋଇଥିଲା। ଏହି ମନ୍ଦିରଗୁଡ଼ିକର ପରିଚାଳନା ପାଇଁ ବ୍ରାହ୍ମଣଙ୍କୁ ଆମନ୍ତ୍ରଣ କରାଯାଇଥିଲା ଏବଂ ସେମାନଙ୍କୁ ଜମି ପ୍ରଦାନ କରାଯାଇଥିଲା। କିନ୍ତୁ ଏହି ବ୍ୟବସ୍ଥା ମୁଖ୍ୟତଃ ପାର୍ବତ୍ୟ ଅଞ୍ଚଳରେ ସୀମିତ ଥିଲା। କଶ୍ମୀରରେ ବରାହ ଏବଂ ସିଂହ ମୁଣ୍ଡ ଥିବା ବିଷ୍ଣୁ ବୈକୁଣ୍ଠଙ୍କ ମୂର୍ତ୍ତି ଦେଖାଯାଇଥିଲା, କିନ୍ତୁ ୧,୦୦୦ ବର୍ଷ ପୂର୍ବେ ଏହାର ସ୍ଥାନ ନେଇଥିଲା ଶୈବ ଧର୍ମ।
ସମତଳ ନଦୀ ଉପତ୍ୟକାଗୁଡ଼ିକରେ ମନ୍ଦିର କିମ୍ବା ବ୍ରାହ୍ମଣ ନ ଥିଲେ। ସେହି ଅଞ୍ଚଳଗୁଡ଼ିକ ଥିଲା ଗୋରଖନାଥ, ଜଲନ୍ଧର ନାଥ ଓ ଚୌରଙ୍ଗୀ ନାଥଙ୍କ ଭଳି ବିଭିନ୍ନ ଡେରା ଓ ଗଦ୍ଦି ସମ୍ପ୍ରଦାୟ ଯୋଗୀଙ୍କ ସ୍ଥାନ। ସେମାନେ ଥିଲେ ଅଲୌକିକ ଶକ୍ତି ସମ୍ପନ୍ନ ଏବଂ ଭ୍ରମଣକାରୀ ସାଧୁ। ପଞ୍ଜାବରେ ଚାଷ ଉପଯୋଗୀ ଜମି କେବଳ ଉତ୍ତର ଭାଗରେ ଥିବାରୁ ସେଠାରେ କୌଣସି ବଡ଼ ସାମ୍ରାଜ୍ୟ ନ ଥିଲା। ଅର୍ଥ ବ୍ୟବସ୍ଥା ବାଣିଜ୍ୟ ଉପରେ ନିର୍ଭର କରୁଥିଲା ଏବଂ ଅଧିକାଂଶ ଲୋକ ପଶୁପାଳକ ଥିଲେ। ସେମାନଙ୍କର ମୁଖ୍ୟ ସମ୍ପତ୍ତି ଥିଲା ଗୋରୁଗାଈ ଏବଂ ସେମାନେ ପ୍ରାୟତଃ ସୈନ୍ୟ ଭାବେ କାମ କରୁଥିଲେ। ସୁଫିମାନଙ୍କ ଆଗମନ ଯୋଗୁ ଏହି ପରିବେଶରେ ରହସ୍ୟବାଦୀ ଇସଲାମର ପ୍ରବେଶ ହେଲା। ସୁଫି ଏବଂ ନାଥ ପନ୍ଥୀମାନଙ୍କ ଚିନ୍ତାଧାରର ଆଦାନପ୍ରଦାନ ଘଟିଲା। ମୂର୍ତ୍ତି ପୂଜା ପ୍ରତି ଉଭୟଙ୍କର କୌଣସି ଆଗ୍ରହ ନ ଥିଲା। ନାଥ ଯୋଗୀମାନେ ନିରାକାର ଭଗବାନ ‘ଅଲେଖ ନିରଞ୍ଜନ’ଙ୍କୁ ପୂଜା କରୁଥିଲେ। ସୁଫିମାନେ କେନ୍ଦ୍ର ଏସିଆର ଇସଲାମୀୟ ଚିନ୍ତାଧାରା ଆଧାରରେ ନିରାକାର ଈଶ୍ୱରଙ୍କ ଉପରେ ବିଶ୍ୱାସ କରୁଥିଲେ। ଏହି ପରିବେଶ ନିର୍ଗୁଣ ଭକ୍ତି ସାହିତ୍ୟର ସନ୍ଥ-କବିମାନଙ୍କୁ ଆକର୍ଷିତ କରିଥିଲା ଏବଂ ସେମାନେ ମଧ୍ୟ ନିରାକାର ଭଗବାନଙ୍କ ମହିମାଗାନ କରୁଥିଲେ।
ପଞ୍ଜାବରେ ବିଶେଷ କରି ଖତ୍ରୀ ବ୍ୟବସାୟୀ ସମ୍ପ୍ରଦାୟ ମଧ୍ୟରେ ଶିଖ୍ ଧର୍ମର ଅଭ୍ୟୁଦୟ ଘଟିଥିଲା। ଏହି ସମ୍ପ୍ରଦାୟରେ ଗୁରୁ ନାନକ ଜନ୍ମଗ୍ରହଣ କରିଥିଲେ। ସେ ଜାତି ପ୍ରଥାକୁ ମାନୁ ନ ଥିଲେ, ଈଶ୍ୱରଙ୍କୁ ନିରାକାର ରୂପେ ଦେଖିଥିଲେ ଏବଂ ବିଶ୍ୱାସ କରୁଥିଲେ ଯେ ସମସ୍ତଙ୍କର ଭଗବାନଙ୍କ ନିକଟକୁ ଯିବାର ସମାନ ଅଧିକାର ଅଛି। ପରେ ଦିଲ୍ଲୀ ସୁଲତାନ ଏବଂ ମୋଗଲ ଯୁଗରେ ଦଶ ଜଣ ଗୁରୁ ଆସିଥିଲେ। ପାରସ୍ୟ ଶାସକମାନେ କେନାଲ ଏବଂ ଜଳଚକ୍ର ନିର୍ମାଣ କରିଥିବାରୁ ପୂର୍ବ ଭାଗରେ ଜାଟ ପଶୁପାଳକମାନେ ସ୍ଥାୟୀ ଭାବେ ଚାଷ କାର୍ଯ୍ୟ ଆରମ୍ଭ କଲେ। ଏହା ଫଳରେ ସେଠାରେ ମୁସଲମାନବହୁଳ ଅଞ୍ଚଳ ହୋଇଗଲା, ଯାହା ପରବର୍ତ୍ତୀ ସମୟରେ ପାକିସ୍ତାନ ହେଲା।
ହିନ୍ଦୁ ଏବଂ ଶିଖ୍ମାନେ ପ୍ରାରମ୍ଭରେ ପୃଥକ୍ ନ ଥିଲେ। ଉଭୟ ଭକ୍ତି ମାର୍ଗ ଅନୁସରଣ କରୁଥିଲେ। ବଂଶାନୁକ୍ରମିକ ଡେରା ଏବଂ ଗଦ୍ଦି ଧାରାକୁ ଭାଙ୍ଗିବା ପାଇଁ ଶିଖ୍ମାନେ ଅନେକ ଭାଷାର ଭକ୍ତିପୂର୍ଣ୍ଣ କବିତାର ଏକ ପୁସ୍ତକ ‘ଗ୍ରନ୍ଥ ସାହିବ’କୁ ସର୍ବୋଚ୍ଚ ଗୁରୁ ଭାବେ ଅଭିଷିକ୍ତ କଲେ। ଗ୍ରନ୍ଥ ସାହିବ ହେଉଛି ବିଭିନ୍ନ ଭାଷାର ଭକ୍ତିମୂଳକ କବିତାର ଏକ ସଂଗ୍ରହ, ଯେଉଁଥିରେ ନାମଦେବ, ରାମାନନ୍ଦ, ରବିଦାସ ଏବଂ ସୁଫି ବାବା ଫରିଦଙ୍କ ରଚନା ମଧ୍ୟ ରହିଛି। ମୋଗଲମାନଙ୍କ ସହ ବିବାଦ ଯୋଗୁ ଶିଖ୍ ଧର୍ମକୁ ଅସ୍ତ୍ରଶସ୍ତ୍ର ଧାରଣ କରିବା ପାଇଁ ପଡ଼ିଲା। ଜାଟମାନେ ବହୁ ସଂଖ୍ୟାରେ ଏଥିରେ ଯୋଗ ଦେଲେ ଏବଂ ଖାଲସାର ଆବିର୍ଭାବ ହେଲା। ଏହା ମୋଗଲ ସାମ୍ରାଜ୍ୟକୁ ପ୍ରତିରୋଧ କରି ନିଜସ୍ବ ରାଜ୍ୟ ପ୍ରତିଷ୍ଠା କଲା।
-devduttofficial@gmail.com
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।