ସ୍ବାମୀଙ୍କୁ ପିଟିଦେଲା ବାଇକ୍, ରକ୍ତାକ୍ତ ଅବସ୍ଥାରେ ରାସ୍ତା ଉପରେ ପଡ଼ିଥିବା ଖବର ଶୁଣି ସ୍ତ୍ରୀଙ୍କୁ ହେଲା…
କଲ୍ୟାଣସିଂହପୁର,୧୭ା୯(ଦୀପକ କୁମାର ପରିଡ଼ା): ଦ୍ରୁତଗତିରେ ଆସୁଥିବା ଏକ ବାଇକ୍ ଧକ୍କାରେ ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ଗୁରୁତର ଜଣକ ହେଲେ ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ବୁଡ଼ାଗୁଡ଼ା ପଞ୍ଚାୟତ ଅନ୍ତର୍ଗତ କୁମାରଗୁଡ଼ା ଗ୍ରାମର ଉଦୟନାଥ ଅନ୍ତରସିଂ।
ସୂଚନା ଅନୁସାରେ, ବୁଧବାର ରାତିରେ ଉଦୟନାଥ ଶୌଚ ସାରି ଘରକୁ ଫେରୁଥିଲେ। ଏହି ସମୟରେ ଏକ ଦ୍ରୁତଗାମୀ ବାଇକ୍ ତାଙ୍କୁ ଡାହାଣ ପଟୁ ଜୋରଦାର ଧକ୍କା ଦେଇଥିଲା। ଧକ୍କା ଏତେ ଜୋରଦାର ଥିଲା ଯେ ସେ ରାସ୍ତା ଉପରେ ରକ୍ତାକ୍ତ ଅବସ୍ଥାରେ ଛିଟିକି ପଡ଼ିଥିଲେ। ପରିବାର ଲୋକେ ତୁରନ୍ତ ତାଙ୍କୁ ଉଦ୍ଧାର କରି କଲ୍ୟାଣସିଂହପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ।
ସେଠାରେ ଡାକ୍ତର ପବନ କୁମାର ବଚ୍ଛା ପ୍ରାଥମିକ ଚିକିତ୍ସା କରିବା ପରେ ଉଦୟନାଥଙ୍କ ଗୋଡ଼ ଭାଙ୍ଗିଯାଇଥିବା ଜଣାପଡ଼ିଥିଲା। ତେବେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବାରୁ ଅଧିକ ଚିକିତ୍ସା ପାଇଁ ତାଙ୍କୁ ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।
ଅନ୍ୟପଟେ, ସ୍ବାମୀଙ୍କ ଦୁର୍ଘଟଣା ଖବର ଶୁଣି ଉଦୟନାଥଙ୍କ ସ୍ତ୍ରୀଙ୍କ ରକ୍ତଚାପ (ବ୍ଲଡ ପ୍ରେସର) ହଠାତ୍ ବୃଦ୍ଧି ପାଇବାରୁ ସେ ମଧ୍ୟ ଅସୁସ୍ଥ ହୋଇପଡ଼ିଛନ୍ତି। ଅଞ୍ଚଳରେ ଦିନକୁ ଦିନ ବେପରୁଆ ଓ ଦ୍ରୁତ ଗାଡ଼ି ଚାଳନା ବୃଦ୍ଧି ପାଉଥିବାରୁ ଏହାକୁ ନେଇ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।