ବୋଲେରୋରେ ଚାଲିଥିଲା ଗଞ୍ଜେଇ ଚାଲାଣ: ୩ ଜଣଙ୍କୁ ମାଡ଼ିବସିଲା ପୋଲିସ

Oct 19, 2026 - 22:49
ବୋଲେରୋରେ ଚାଲିଥିଲା ଗଞ୍ଜେଇ ଚାଲାଣ: ୩ ଜଣଙ୍କୁ ମାଡ଼ିବସିଲା ପୋଲିସ

ଦିଗପହଣ୍ଡି,୧୯।୧୦(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ପାଟପୁର ପୋଲିସ ସୋମବାର ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ଗଜପତି ଜିଲା ଅଡବା ଥାନା ଭାଲିଆଗୁଡା ଗ୍ରାମର ଦିଲ୍ଲୀପ ରଇତ, ମୋହନା ଥାନା ଖଜୁରିଆପଦା ଗ୍ରାମର ଦୁତିୟା ମଣ୍ଡଳ ଏବଂ ପିଟର ଶବରଙ୍କୁ ବ୍ରହ୍ମପୁର ଜିଲା ଦୌରା ଜଜ କୋର୍ଟଚାଲାଣ କରିଛନ୍ତି। ଥାନା ମାମଲା ନଂ.୩୪୦/୨୬ ଅନୁଯାୟୀ ଜାମିନ ଆବେଦନ ନାମଞ୍ଜୁର ହେବାରୁ ୩ ଅଭିଯୁକ୍ତଙ୍କୁ ବ୍ରହ୍ମପୁର ଜେଲ ହାଜତକୁ ପଠାଇ ଦିଆଯାଇଛି।
ସୋମବାର ଭୋରରୁ ପାଟପୁର ଥାନା ଏସ.ଆଇ ଏସ.କେ. ଇମାଦାର ତରଫଦାର, ପୋଡ଼ାମାରି ଫାଣ୍ଡି ଅଧିକାରୀ ପ୍ରଭାତ କୁମାର ବାଲିକାନା ଏବଂ ଏଏସଆଇ ଅଜିତ ବେହେରା ସଦଳବଳେ ତପ୍ତପାଣି, ଟି.ଗୋବିନ୍ଦପୁର, ପୋଡ଼ାମାରି ଇଲାକାରେ ପାଟ୍ରୋଲିଂ କରୁଥିବା ବେଳେ ସକାଳ ପ୍ରାୟ ସାଢ଼େ ୬ ଟାରେ ଗଜପତି ଜିଲା ମୋହନାରୁ ବ୍ରହ୍ମପୁର ଅଭିମୁଖେ ଦ୍ରୁତ ଗତିରେ ଆସୁଥିବା ଏକ ବୋଲେରୋ ଗାଡ଼ି ପୋଡ଼ାମାରି ପୋଲିସ ଫାଣ୍ଡି ନିକଟରେ ଅଟକାଇ ଖାନ ତଲାସି କରିଥିଲେ। ଗାଡିରେ ୫ ଟି ଜରି ବସ୍ତାରେ ଗଞ୍ଜେଇ ଥିବା ଜଣାପଡିବା ପରେ ପୋଲିସ ଗାଡ଼ି ଜବତ କରି ୩ ଅଭିଯୁକ୍ତଙ୍କୁ ଅଟକ ରଖିଥିଲେ। ପରେ ସାନଖେମୁଣ୍ଡି ଅତିରିକ୍ତ ତହସିଲଦାର ଦିଲ୍ଲୀପ ଜେନା, ରାଜସ୍ବ ନୀରିକ୍ଷୀକା ବନିତା ପ୍ରଧାନ ଏବଂ ସ୍ଥାନୀୟ ସାକ୍ଷ୍ୟ ମାନଙ୍କ ଉପସ୍ଥିତିରେ ଗଞ୍ଜେଇକୁ ଓଜନ କରାଯିବା ରେ ୧୭୦ କେଜି ହୋଇଥିଲା। ବୋଲେରୋ ଗାଡ଼ି ସହ ୩ ଅଭିଯୁକ୍ତଙ୍କୁ ଥାନାକୁ ଅଣାଯାଇଥିଲା।
ଏନେଇ ଥାନା ଏସଆଇ ଏସ.କେ. ଇମାଦାର ତରଫଦାର ଏତଲା ଦେବା ପରେ ଆଇଆଇସି ଦୀପ୍ତି ରଞ୍ଜନ ବେହେରା ଅଭିଯୁକ୍ତମାନଙ୍କ ବିରୋଧରେ ମକଦ୍ଦମା ରୁଜୁ କରିଥିଲେ। ତଦନ୍ତକାରୀ ଅଧିକାରୀ ଆଇଆଇସିଙ୍କ ସୂଚନା ପ୍ରକାରେ ରୀତିମତ ଗଜପତି ଜିଲାର ବିଭିନ୍ନ ଗ୍ରାମାଞ୍ଚଳ ମାନଙ୍କରୁ ଗଞ୍ଜେଇ ବ୍ରହ୍ମପୁର ଅଭିମୁଖେ ଚାଲାଣ ହେଉଛି। ପାଟପୁର ଥାନା ପକ୍ଷରୁ ଏକ ସ୍ବତନ୍ତ୍ର ଟାସ୍କ ଫୋର୍ସ ଗଠନ କରାଯାଇ ଗଞ୍ଜେଇ, ମଦ ଚୋରା ଚାଲାଣ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିବା କହିଛନ୍ତି।

 

Dharitri – Odisha’s No.1 Odia Daily

 


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।