ଭାରତ-ମଧ୍ୟପ୍ରାଚ୍ୟ-ୟୁରୋପ କରିଡରକୁ ଟ୍ରମ୍ପ୍‌ଙ୍କ ସମର୍ଥନ

Sep 24, 2026 - 08:15
ଭାରତ-ମଧ୍ୟପ୍ରାଚ୍ୟ-ୟୁରୋପ କରିଡରକୁ ଟ୍ରମ୍ପ୍‌ଙ୍କ ସମର୍ଥନ

ଓ୍ବାଶିଂଟନ,୨୪ା୯: ଭାରତ-ମଧ୍ୟପ୍ରାଚ୍ୟ-ୟୁରୋପ ଅର୍ଥନୈତିକ କରିଡର (ଆଇଏମ୍‌ଇସି)କୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଦୃଢ଼ ସମର୍ଥନ କରିଛନ୍ତି। ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଲାଗିରହିଥିବାବେଳେ ପଶ୍ଚିମ ଏସିଆରେ କ୍ରମାଗତ ଆକ୍ରମଣ ଜାରି ରହିଛି। ଏଭଳି ସମୟରେ ଇରାନର ଚେକ୍‌ ପଏଣ୍ଟଗୁଡ଼ିକଠାରୁ ମଧ୍ୟପ୍ରାଚ୍ୟର ଶକ୍ତି ଭିତ୍ତିଭୂମିକୁ ସ୍ଥାନାନ୍ତର କରାଯିବାର ଆବଶ୍ୟକତା ଉପରେ ଟ୍ରମ୍ପ୍‌ ଗୁରୁତ୍ୱାରୋପ କରିଛନ୍ତି। ଯୁଦ୍ଧକୁ ନେଇ ଉକ୍ତ ଅଞ୍ଚଳ କ୍ରମାଗତ ଭାବେ ବାଧାର ସମ୍ମୁଖୀନ ହେଉଥିବାରୁ ଭାରତ-ମଧ୍ୟପ୍ରାଚ୍ୟ-ୟୁରୋପ ଅର୍ଥନୈତିିକ କରିଡର ଶକ୍ତି ଓ ବାଣିଜ୍ୟ ପାଇଁ ଏକ ବିକଳ୍ପ ପଥ ସୃଷ୍ଟି କରିବାରେ ସହାୟକ ହୋଇପାରିବ ବୋଲି ଟ୍ରମ୍ପ୍‌ କହିଛନ୍ତି।
ଜାତିସଂଘ ସାଧାରଣ ସଭାର ବାର୍ଷିକ ଅଧିବେଶନ ଅବସରରେ ମଙ୍ଗଳବାର ଜିସିସି ଏବଂ ଆରବ ନେତାମାନଙ୍କ ବୈଠକରେ ଉଦ୍‌ବୋଧନ ଦେଇ ଆମେରିକା ରାଷ୍ଟ୍ରପତି ଏହା କହିଛନ୍ତି। ମଧ୍ୟପ୍ରାଚ୍ୟର ପଡୋଶୀ ଦେଶଗୁଡ଼ିକର ବ୍ୟବସାୟିକ ଜାହାଜଗୁଡ଼ିକ ଆକ୍ରମଣର ସମ୍ମୁଖୀନ ହେଉଥିବାରୁ ଉକ୍ତ ବିପଦପୂର୍ଣ୍ଣ ରୁଟ୍‌ରୁ ଅଞ୍ଚଳର ଶକ୍ତି ଭିତ୍ତିଭୂମି ଅନ୍ୟତ୍ର ସ୍ଥାନାନ୍ତର କରାଯିବା ଜରୁରୀ ହୋଇପଡ଼ିଛି। ଏହାକୁ ଇରାନୀୟ ଚେକ୍‌ପଏଣ୍ଟଗୁଡ଼ିକଠାରୁ ଦୂରେଇ ନେବାକୁ ହେବ। ସେଥିପାଇଁ ତୈଳ ବାହାରକୁ ପଠାଇବା ପାଇଁ ତାଙ୍କ ପ୍ରଶାସନ ଭାରତ-ମଧ୍ୟପ୍ରାଚ୍ୟ-ୟୁରୋପ କରିଡର ଓ ଅନ୍ୟ ମାଧ୍ୟମଗୁଡ଼ିକୁ ଦୃଢ଼ ସମର୍ଥନ କରୁଛି, ତାହା ପାଇପ୍‌ଲାଇନ ହେଉ ବା ଅନ୍ୟ କିଛି। ଏକାଠି ହୋଇ ଆମେ ଉକ୍ତ ସମସ୍ୟାଗୁଡ଼ିକୁ ଦୂର କରିବୁ, ଯାହା ବହୁ ଦଶନ୍ଧି ଧରି ଉକ୍ତ ଅଞ୍ଚଳକୁ ଅସୁବିଧାରେ ପକାଇଥିଲା ବୋଲି ଟ୍ରମ୍ପ୍‌ କହିଛନ୍ତି।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।