ସମସ୍ୟ ନେଇ ଏନଏସି କାର୍ଯ୍ୟାଳୟ ଯାଇଥିଲେ ଯୁବଗୋଷ୍ଠୀ: କନିଷ୍ଠ ଯନ୍ତ୍ରୀଙ୍କ ଦୁର୍ବ୍ୟବହାର ଅଭିଯୋଗ
ଗଞ୍ଜାମ, ୨୪।୯ (ବିଦ୍ୟାଧର ସାହୁ):ଗଞ୍ଜାମ ଏନଏସିରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ମାନସ ଜେନା ସ୍ଥାନୀୟ ଲୋକଙ୍କ ସହ ଦୁର୍ବ୍ୟବହାର କରିଥିବା ନେଇ ଅଭିଯୋଗ ହୋଇଛି। ବାତ୍ୟା ପ୍ରଭାବରେ ଗତ ଦୁଇ ଦିନ ଧରି ଲଗାଣ ବର୍ଷା ହେଉଥିବାରୁ ସହରର ବିଭିନ୍ନ ସ୍ଥାନରେ ବର୍ଷାଜଳ ନିଷ୍କାସିତ ହୋଇନପାରି ଜମି ରହିଛି।
ଏହି ସମସ୍ୟାର ସମାଧାନ ନିମନ୍ତେ ଗଞ୍ଜାମ ଏନଏସି ଅନ୍ତର୍ଗତ ଓଡ଼ିଆ ଢମଣା ସାହିର ଏକ ଯୁବଗୋଷ୍ଠୀ ଏନଏସି କାର୍ଯ୍ୟାଳୟକୁ ଯାଇଥିଲେ। ସାହିରେ ଜମି ରହିଥିବା ବର୍ଷାଜଳ ନିଷ୍କାସନ କରିବା ପାଇଁ ସେମାନେ ଅନୁରୋଧ କରିଥିବା ବେଳେ ଏହାକୁ ନେଇ କନିଷ୍ଠ ଯନ୍ତ୍ରୀ ଉତକ୍ଷିପ୍ତ ହୋଇ ଅଶାଳୀନ ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଘଟଣା ସମୟର ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଥିବା ଦେଖାଯାଇଛି। ଭିଡିଓରେ ଯନ୍ତ୍ରୀ ଜଣକ ଉତ୍ତେଜିତ ହୋଇ କିଛି କଥା କହୁଥିବା ଦେଖାଯାଉଛି। ତେବେ ଭିଡିଓର ସତ୍ୟତା ଯାଞ୍ଚ ହୋଇ ନ ଥିବା ଜଣାପଡ଼ିଛି।
ଏହି ଘଟଣାକୁ ନେଇ ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଏନଏସି କାର୍ଯ୍ୟାଳୟର କର୍ମଚାରୀମାନେ ଜନସାଧାରଣଙ୍କ ବିଭିନ୍ନ ସୁବିଧା ଓ ଅସୁବିଧା ବୁଝିବା ସହ ସମସ୍ୟାର ସମାଧାନ ପାଇଁ ଦାୟିତ୍ୱବାନ ହେବା ଆବଶ୍ୟକ ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ଏଥିସହ ଅଭିଯୋଗର ତଦନ୍ତ କରି କନିଷ୍ଠ ଯନ୍ତ୍ରୀଙ୍କ ବିରୋଧରେ ଆବଶ୍ୟକ ଆଇନଗତ ଓ ବିଭାଗୀୟ ପଦକ୍ଷେପ ନେବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି। ଏ ସମ୍ପର୍କରେ ଏନଏସି ଇଓ ଅପର୍ଣ୍ଣା ଡାଙ୍ଗୁଆଙ୍କୁ ପଚାରିବାରୁ, ଘଟଣାର ତଦନ୍ତ କରାଯାଇ ତଥ୍ୟ ଆଧାରରେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।