ଭ୍ରମରପୁର ସ୍କୁଲରେ ଶିକ୍ଷକ ବଦଳି ବାତିଲ ଦାବିରେ ଜେନ୍ ଆଲଫାଙ୍କ ଆନ୍ଦୋଳନ, ସ୍କୁଲ ସମ୍ମୁଖରେ ଉତ୍ତେଜନା            

Sep 08, 2026 - 17:44
ଭ୍ରମରପୁର ସ୍କୁଲରେ ଶିକ୍ଷକ ବଦଳି ବାତିଲ ଦାବିରେ ଜେନ୍ ଆଲଫାଙ୍କ ଆନ୍ଦୋଳନ, ସ୍କୁଲ ସମ୍ମୁଖରେ ଉତ୍ତେଜନା            

ଦିଗପହଣ୍ଡି,୮|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭ୍ରମରପୁର ଗ୍ରାମ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ଭାଗବତ ପ୍ରସାଦ ନାୟକଙ୍କୁ ଚୌଧୁରୀ ଟିକରପଡ଼ା ଗ୍ରାମ ବିଦ୍ୟାଳୟକୁ ବଦଳି କରାଯାଇଥିବା ପ୍ରତିବାଦରେ ମଙ୍ଗଳବାର ଜେନ୍ ଆଲଫା ଛାତ୍ରୀଛାତ୍ର,ପୂର୍ବତନ ସରପଞ୍ଚ କୈଳାସ ଷଡଙ୍ଗୀ,ସରପଞ୍ଚ ସୀତାରାମ ସେଠୀ,ସମିତି ସଭ୍ୟ ବାସୁଦେବ ସେଠୀ, ସୁନୀତା ସାହୁ, ଆପନା ପ୍ରଧାନ,ସ୍କୁଲ ପରିଚାଳନା କମିଟି ସଭାପତି ମୀନକେତନ ସାହୁ,ପୂର୍ବତନ ସଭାପତି ସୁଶାନ୍ତ କୁମାର ଷଡଙ୍ଗୀଙ୍କ ନେତୃତ୍ୱରେ  ବହୁ ସଂଖ୍ୟକ ଅଭିଭାବକ ସ୍କୁଲ ମୁଖ୍ୟ ଫାଟକ ରେ ତାଲା ପକାଇ ଆନ୍ଦୋଳନ କରିଥିଲେ। ଉକ୍ତ ସ୍କୁଲରେ ଆବଶ୍ୟକ ଶିକ୍ଷକ ପଦବୀ ଖାଲି ପଡ଼ିଥିବା ବେଳେ ଶିକ୍ଷକ ଭାଗବତ ପ୍ରସାଦ ନାୟକଙ୍କୁ କେଉଁ କାରଣରୁ ବଦଳି କରାଗଲା ଅଭିଭାବକ ବୃନ୍ଦ ପ୍ରଧାନଶିକ୍ଷୟତ୍ରୀ ରଶ୍ମିତା ଶବରଙ୍କୁ  ପ୍ରଶ୍ନ କରିଥିଲେ। କେ.ନୂଆଗାଁ ଥାନା ଏଏସଆଇ ସୁବାସ ଚନ୍ଦ୍ର ବାୟକ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି  ଉତ୍ତେଜିତ ଅଭିଭାବକ ମାନଙ୍କୁ ବୁଝାଶୁଝା କରୁଥିବା ବେଳେ ବହୁ ସଂଖ୍ୟକ ଛାତ୍ରୀ ଛାତ୍ର ସେଠାରେ ପହଞ୍ଚି ହୋ ହଲ୍ଲା କରିଥିଲେ। ପ୍ରଧାନଶିକ୍ଷୟିତ୍ରୀଙ୍କୁ ଏନେଇ ପଚାରିବାରୁ ସ୍କୁଲ ରେ ୧ମ ଶ୍ରେଣୀ ରେ ୨୯ ଛାତ୍ରୀ ଛାତ୍ର ପାଠ ପଢୁଛନ୍ତି। ସେହିପରି ୨ ୟ ଶ୍ରେଣୀ ରେ ୧୬,୩ ୟ ଶ୍ରେଣୀ ରେ ୩୨,୪ର୍ଥ ରେ ୩୪,୫ମ ରେ ୨୯, ୬ଷ୍ଠ ରେ ୫୩,୭ମ ରେ ୬୧ ଏବଂ ୮ମ ଶ୍ରେଣୀରେ ୫୦ ସମୁଦାୟ ୩୨୦ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। ପୂର୍ବରୁ ସ୍କୁଲ ରେ ୯ ଶିକ୍ଷୟତ୍ରୀ ଶିକ୍ଷକ ନିଯୁକ୍ତ ଥିବା ବେଳେ ୨ ଜଣ ଶିକ୍ଷୟତ୍ରୀ ଶିକ୍ଷକଙ୍କୁ ଅନ୍ୟ ସ୍କୁଲକୁ ଡେପୁଟେଶନ ରେ ବଦଳି କରାଯାଇଥିବା ବେଳେ ପୁଣି ଥରେ ଶିକ୍ଷକ ଭାଗବତ ପ୍ରସାଦ ନାୟକ ଙ୍କୁ ବଦଳି କରାଯାଇଥିବା ନେଇ ସେ ବ୍ଲକ କାର୍ଯ୍ୟାଳୟ ପକ୍ଷରୁ ଚିଠି ପାଇଥିବା କହିଛନ୍ତି। ସୋମବାର ସ୍କୁଲ ରେ ରୋଷେୟା ନିଯୁକ୍ତ ପାଇଁ ଆଲୋଚନା ସଭା କରାଯାଇଥିଲା

ସ୍କୁଲ ପରିଚାଳନା କମିଟି ପକ୍ଷରୁ ଆୟୋଜିତ ସଭାରେ ସେ ଉପସ୍ଥିତ ଥିବା ବେଳେ ସହକାରୀ ଶିକ୍ଷକଙ୍କୁ ବଦଳି କରାଯାଇଥିବା ଜାଣିବାକୁ ପାଇଥିଲେ।ତାଙ୍କ ଅଜାଣତରେ ଶିକ୍ଷକ ବଦଳି କରାଯାଇଥିବାରୁ ସଭାରେ ଉପସ୍ଥିତ ଏସଏମସି ସଭାପତି ଓ ସଭ୍ୟା ସଭ୍ୟ କ୍ଷୋଭ ପ୍ରକାଶ କରିବା ସହ ସଭା ଅଧାରୁ ସମସ୍ତେ ଉଠି ଚାଲିଯାଇଥିଲେ। ଏନେଇ ସ୍କୁଲ କମିଟି ସଭାପତି ମୀନକେତନ ସାହୁଙ୍କୁ ପଚାରିବାରୁ ସେ ଏବଂ କମିଟି ସଦସ୍ୟ ବୃନ୍ଦ ସୋମବାର ଦିଗପହଣ୍ଡି ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ ଭୋପନ ମହାନ୍ତଙ୍କୁ ସାକ୍ଷାତ କରି ଶିକ୍ଷକଙ୍କ ବଦଳି ବାତିଲ କରିବାକୁ ଅନୁରୋଧ କରିଥିଲେ। କିନ୍ତୁ ସେ ଏନେଇ କୌଣସି ପ୍ରତିଶ୍ରୁତି ନଦେବା କାରଣରୁ ଆନ୍ଦୋଳନ କରାଯାଇଥିବା କହିଛନ୍ତି। ଏନେଇ ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀଙ୍କୁ ପଚାରିବାରୁ ସ୍କୁଲ ରେ ୯ ଜଣ ଶିକ୍ଷକ ଥିଲେ। ନିକଟସ୍ଥ ଚୌଧୁରୀ ଟିକରପଡ଼ା ଗ୍ରାମ ଅର୍ଦ୍ଦୁ.ପାତ୍ର ଏମ. ଇ ସ୍କୁଲ ରେ ଜଣେ ମାତ୍ର ଶିକ୍ଷକ ନିଯୁକ୍ତ ଅଛନ୍ତି। ଶତାଧିକ ଛାତ୍ରୀଛାତ୍ର ପଡୁଥିବାରୁ ଉକ୍ତ ସ୍କୁଲକୁ ଶିକ୍ଷକ ଭାଗବତ ପ୍ରସାଦ ନାୟକ ଙ୍କୁ ଅସ୍ଥାୟୀ ଭାବେ ଡେପୁଟେସନ୍ ରେ ବଦଳି କରାଯାଇଛି। ବ୍ଲକର ପ୍ରାୟ ସମସ୍ତ ସ୍କୁଲ ରେ ଆବଶ୍ୟକତା ତୁଳନାରେ କମ୍ ଶିକ୍ଷୟତ୍ରୀ ଶିକ୍ଷକ ନିଯୁକ୍ତ ଅଛନ୍ତି। ତେଣୁ ଛାତ୍ରୀଛାତ୍ରଙ୍କୁ ଅଭିଭାବକ ବୃନ୍ଦ ମତାଇ ସ୍କୁଲ ରେ ଆନ୍ଦୋଳନ କରିବା ଶୋଭନୀୟ ନୁହେଁ ବୋଲି କହିଛନ୍ତି। ଅପରାହ୍ନରେ ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ବାଳା ମାଝୀ,ବିଶ୍ରବା ପାଇକ ପହଞ୍ଚି ପୋଲିସ ଉପସ୍ଥିତିରେ ସ୍କୁଲ କମିଟି ଓ ଆନ୍ଦୋଳନକାରୀ ଅଭିଭାବକ ମାନଙ୍କ ସହ ସବିଶେଷ ଆଲୋଚନା କରି ଅତି ଶୀଘ୍ର ଦାବୀ ପୁରଣ ପାଇଁ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନକୁ ସାମୟିକ ଭାବେ ପ୍ରତ୍ୟାହୃତ କରାଯାଇଥିବା କହିଛନ୍ତି

ସୂଚନା ଯୋଗ୍ୟ, ଗତ ଅଗଷ୍ଟ ୨୫ ତାରିଖରେ ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ପଞ୍ଚାୟତ ଫାଶୀବନ୍ଧ ଗ୍ରାମ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଶିବାଶିଷ ଦାସଙ୍କୁ କନିଆ ସାହି ପ୍ରାଥମିକ ବିଦ୍ୟାଳୟକୁ ବଦଳି କରାଯାଇଥିବା ପ୍ରତିବାଦରେ ଜେନ୍ ଆଲଫା ଛାତ୍ରୀ ଛାତ୍ର ବୃନ୍ଦ ଅଭିଭାବକ ମାନଙ୍କ ସହାୟତାରେ ସ୍କୁଲ ଫାଟକ ରେ ତାଲା ପକାଇ ଆନ୍ଦୋଳନ କରିବା ପରେ ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ବାଳା ମାଝୀ ପହଞ୍ଚି ଶିକ୍ଷକ ଙ୍କ ବଦଳି ବାତିଲ ପାଇଁ ଲିଖିତ ପ୍ରତିଶ୍ରୁତି ଦେବା ପରେ ଛାତ୍ରୀଛାତ୍ର ବୃନ୍ଦ ଆନ୍ଦୋଳନ ରୁ  ହଟିଥିଲେ। ପରବର୍ତ୍ତୀ ସମୟରେ ଶିକ୍ଷକଙ୍କ ବଦଳି ଆଦେଶ ବାତିଲ କରାଯାଇଥିଲା।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।