ମାତ୍ର ୩୦ ବର୍ଷ ବୟସରେ କ୍ରିକେଟ୍କୁ ଅଲବିଦା କହିଲେ ଏହି କ୍ରିକେଟର୍: ପଛରେ ଅଛି…
ନୂଆଦିଲ୍ଲୀ,୧୭।୧୦: କ୍ରିକେଟ ଜଗତରୁ ଆସିଛି ଏକ ବଡ଼ ଖବର। ମାତ୍ର ୩୦ ବର୍ଷ ବୟସରେ ପେସାଦାର କ୍ରିକେଟ୍ରୁ ସନ୍ନ୍ୟାସ ଘୋଷଣା କରିଛନ୍ତି ସ୍କଟଲାଣ୍ଡର ଦ୍ରୁତ ବୋଲର ବ୍ରାଡ ହ୍ବିଲ। ୪ଟି ଟି-୨୦ ବିଶ୍ୱକପ୍୍ରେ ସ୍କଟଲାଣ୍ଡ ଦଳର ପ୍ରତିନିଧିତ୍ୱ କରିଥିବା ଏହି ବୋଲର କ୍ରିକେଟ୍ରୁ ଅବସର ନେଇଛନ୍ତି। ବାରମ୍ବାର ଆଘାତ ସମସ୍ୟା ଯୋଗୁ ସେ ଏହି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।
ଦକ୍ଷିଣ ଆଫ୍ରିକାରେ ଜନ୍ମଗ୍ରହଣ କରିଥିବା ବ୍ରାଡ ହ୍ବିଲ ୨୦୧୬ ମସିହାରେ ହଂକଂ ବିପକ୍ଷରେ ଖେଳି ସ୍କଟଲାଣ୍ଡ ପକ୍ଷରୁ ଅନ୍ତର୍ଜାତୀୟ କ୍ରିକେଟ୍ରେ ପଦାର୍ପଣ କରିଥିଲେ। ସେ ଦିନିକିଆ ଓ ଟି-୨୦ ଉଭୟ ଫର୍ମାଟ୍ରେ ସ୍କଟଲାଣ୍ଡ ପାଇଁ ଖେଳିଛନ୍ତି। ୨୦୨୬ ଟି-୨୦ ବିଶ୍ୱକପ୍ରେ ମଧ୍ୟ ସେ ସ୍କଟଲାଣ୍ଡ ଦଳର ସଦସ୍ୟ ଥିଲେ।
କିନ୍ତୁ ଲଗାତାର ଆଘାତ ସମସ୍ୟା ତାଙ୍କ କ୍ରିକେଟ କ୍ୟାରିୟରରେ ବାଧା ସୃଷ୍ଟି କରିଥିଲା। ତାଙ୍କ ପିଠିରେ ଚାରିଥର ଷ୍ଟ୍ରେସ ଫ୍ରାକ୍ଚର୍ ହୋଇଥିବା ବେଳେ ନିକଟରେ ଆଣ୍ଠୁ ଅସ୍ତ୍ରୋପଚାର ମଧ୍ୟ ହୋଇଥିଲା। ଏହି ସମସ୍ୟା ଯୋଗୁ ଦ୍ରୁତ ବୋଲିଂ ଜାରି ରଖିବା ତାଙ୍କ ପାଇଁ କଷ୍ଟକର ହୋଇପଡ଼ିଥିଲା। ନିଜ ଅବସର ସମ୍ପର୍କରେ ବ୍ରାଡ କହିଛନ୍ତି, ହାମ୍ପଶାୟର ପାଇଁ ଖେଳିବା ଏବଂ ପେସାଦାର କ୍ରିକେଟର୍ ଭାବେ ସ୍କଟଲାଣ୍ଡର ପ୍ରତିନିଧିତ୍ୱ କରିବା ତାଙ୍କ ପାଇଁ ଏକ ସ୍ମରଣୀୟ ଅନୁଭୂତି ଥିଲା।
ବାରମ୍ବାର ଆଘାତ ଲାଗିବା କାରଣରୁ ତାଙ୍କୁ ଏହି କଠିନ ନିଷ୍ପତ୍ତି ନେବାକୁ ପଡ଼ିଥିବା ସେ କହିଛନ୍ତି। ତାଙ୍କ ମତରେ, ଦ୍ରୁତ ବୋଲିଂର ଶାରୀରିକ ଚାପକୁ ତାଙ୍କ ଶରୀର ଆଉ ସହ୍ୟ କରିପାରୁନାହିଁ। ସ୍କଟଲାଣ୍ଡ ପାଇଁ ଖେଳି ବ୍ରାଡ ହ୍ବିଲ ନିଜର ବୋଲିଂ ଦକ୍ଷତାର ପରିଚୟ ଦେଇଥିଲେ। ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟରର ପରିସଂଖ୍ୟାନ ଉପରେ ନଜର ପକାନ୍ତୁ।
ଦିନିକିଆ କ୍ରିକେଟ
– ମ୍ୟାଚ: ୧୮
– ଉଇକେଟ: ୨୭
– ବୋଲିଂ ହାରାହାରି: ୨୩.୦୭
– ଶ୍ରେଷ୍ଠ ବୋଲିଂ: ୩/୩୪
ଅନ୍ତର୍ଜାତୀୟ ଟି-୨୦
– ମ୍ୟାଚ: ୨୬
– ଉଇକେଟ: ୨୪
– ଶ୍ରେଷ୍ଠ ବୋଲିଂ: ୩/୨୦
– ଇକୋନୋମି ରେଟ: ୮.୬୦
ବ୍ରାଡ ହ୍ବିଲ ସ୍କଟଲାଣ୍ଡର ଜଣେ ଅଭିଜ୍ଞ ଦ୍ରୁତ ବୋଲର ଥିଲେ। ଚାରିଟି ଟି-୨୦ ବିଶ୍ୱକପ୍ରେ ଖେଳିବା ସହ ଦେଶ ପାଇଁ ଦିନିକିଆ ଓ ଟି-୨୦ ଫର୍ମାଟ୍ରେ ଅବଦାନ ଦେଇଛନ୍ତି। ମାତ୍ର ୩୦ ବର୍ଷ ବୟସରେ ତାଙ୍କ ଅବସର ଘୋଷଣା କ୍ରିକେଟ ପ୍ରେମୀଙ୍କୁ ନିରାଶ କରିଛି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।