ମାନବ ଅଧିକାର ଶାନ୍ତିଦୂତ
ହନ ଦାସ କରମଚାନ୍ଦ ଗାନ୍ଧୀ ମହାତ୍ମା ଗାନ୍ଧୀରେ ପରିଣତ ହେବା ପାଇଁ ଯେଉଁ କର୍ମଭୂମି ତାଙ୍କୁ ଆଦ୍ୟ ସୁଯୋଗ ଦେଇଥିଲା, ତାହା ଥିଲା ଦକ୍ଷିଣ ଆଫ୍ରିକା। ଜଣେ ଭାରତୀୟ ଓକିଲ ଭାବେ ସେଠାକୁ ସେ ଏକ ମାମଲା ଲଢ଼ିବାକୁ ଯାଇଥିଲେ। କିନ୍ତୁ ସେଠାକାର ବର୍ଣ୍ଣବୈଷମ୍ୟ ଓ କଳା ଲୋକଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ବିରୋଧ କରି ନ୍ୟାୟ ପ୍ରତିଷ୍ଠା ଦିଗରେ ଆଣିଥିବା ପରିବର୍ତ୍ତନ ତାଙ୍କୁ ମେଶିହା କରିଦେଇଥିଲା। ସେଠାରୁ ଭାରତକୁ ଫେରିବା ପରେ ଦକ୍ଷିଣ ଆଫ୍ରିକାର ଅଭିଜ୍ଞତାକୁ ଏଠାରେ ପ୍ରୟୋଗ କରି ସତ୍ୟ ଓ ଅହିଂସାର ପୂଜାରୀ ପାଲଟିଥିଲେ। ଏବେ ଭାରତୀୟ ବଂଶୋଦ୍ଭବ ଦକ୍ଷିଣ ଆଫ୍ରିକୀୟ ଜଣେ ମହିଳା ମହାତ୍ମା ଗାନ୍ଧୀଙ୍କ ଭଳି ଆଇନ ପାଠ ପଢ଼ି ମାନବ ଅଧିକାର ସୁରକ୍ଷା ଦିଗରେ କରିଥିବା ଅବିଶ୍ୱସନୀୟ କାର୍ଯ୍ୟ ପାଇଁ ବିଶ୍ୱରେ ଚର୍ଚ୍ଚିତ ହୋଇଛନ୍ତି। ସେ ହେଲେ ଦକ୍ଷିଣ ଆଫ୍ରିକା ଆଇନଜୀବୀ ତଥା ଜାତିସଂଘ ମାନବ ଅଧିକାରର ପୂର୍ବତନ ମୁଖ୍ୟ ନଭନେଥମ୍ ‘ନାଭି’ ପିଲ୍ଲେ। ୨୦୨୬ ମସିହାର ନୋବେଲ ଶାନ୍ତି ପାଇବାକୁ ସେ ଯୋଗ୍ୟ ବିବେଚିତ ହେବା ପରେ ତାଙ୍କ ବ୍ୟକ୍ତିତ୍ୱ ଦିଗ୍ବିଦିଗ୍ ହୋଇଛି। ‘ଯେଉଁଠି ନ୍ୟାୟ ନାହିଁ, ସେଠି ଶାନ୍ତି ଅସମ୍ଭବ’ ଭଳି ଉକ୍ତିକୁ ନିଜ ଜୀବନର ମୂଳମନ୍ତ୍ର କରି ପିଲ୍ଲେ ଅନ୍ତର୍ଜାତୀୟ ସ୍ତରରେ ମାନବ ଅଧିକାରର ସୁରକ୍ଷା କରିଆସିଛନ୍ତି। ନରଓ୍ବେ ନୋବେଲ କମିଟି ଅଧ୍ୟକ୍ଷ ଜୋର୍ଗେନ୍ ଓ୍ବାଟ୍ନେ ଫ୍ରାଇଡ୍ନେସ ଆଇନଜୀବୀ ପିଲ୍ଲେଙ୍କ ନୈତିକ ପରାକାଷ୍ଠା ହିଁ ବିଶ୍ୱସମାଜରେ ଶାନ୍ତି ଓ ମୈତ୍ରୀ ପ୍ରତିଷ୍ଠା ଦିଗରେ ବହୁ ଗୁରୁତ୍ୱ ବହନ କରିଆସିଥିବାରୁ ତାଙ୍କୁ ଏଭଳି ସର୍ବଶ୍ରେଷ୍ଠ ସମ୍ମାନ ମିଳିଲା ବୋଲି କହିଛନ୍ତି। ଚାଇନାର ୨୭ ବର୍ଷୀୟା ଯୁବ ମନୋବିଜ୍ଞାନୀ ଜୋ ଓ୍ବାଙ୍ଗ୍ କହିଛନ୍ତି, ବିଶ୍ୱଶାନ୍ତି ଦିଗରେ ପିଲ୍ଲେଙ୍କ ମୁଖ୍ୟତଃ ୩ଟି ଅବଦାନ ରହିଛି। ଅନ୍ତର୍ଜାତୀୟ ସ୍ତରରେ ମାନବ ଅଧିକାର ସୁରକ୍ଷାକୁ ଆଗକୁ ବଢ଼ାଇବା, ଯୌନ ହିଂସା ଓ ନରସଂହାର ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଆଇନଗତ ନଜିର ସ୍ଥାପନ କରିବା ଏବଂ ବିଶେଷକରି ମହିଳା ଅଧିକାର ଓ ପୀଡ଼ିତମାନଙ୍କ ପାଇଁ ନ୍ୟାୟକୁ ପ୍ରୋତ୍ସାହନ ଦେବାରେ ସେ ଅଗ୍ରଦୂତ ବୋଲି କୁହାଯାଏ। ‘ମହିଳାଙ୍କ ସକାଶେ ସମାନ ନ୍ୟାୟ: ଏକ ବ୍ୟକ୍ତିଗତ ଯାତ୍ରା’ ସନ୍ଧର୍ଭ ଲେଖିବାରେ ତାଙ୍କ ଗବେଷଣା ଫଳପ୍ରସୂ ହୋଇଛି ବୋଲି ଓ୍ବାଙ୍ଗ୍ କହିଛନ୍ତି। ପିଲ୍ଲେଙ୍କ ସଂଘର୍ଷମୟ ଓ ସଫଳତାର ଯାତ୍ରା ଉଭୟ ଦକ୍ଷିଣ ଆଫ୍ରିକା ଓ ଭାରତୀୟଙ୍କୁ ଗର୍ବିତ କରିବା ସ୍ବାଭାବିକ।
ନୋବେଲ ପୁରସ୍କାର ଘୋଷଣା ହେବା ପରେ ପିଲ୍ଲେ ଜର୍ମାନୀର ନୁରେମ୍ବର୍ଗରେ ଏକ ଫୋରମରେ ଯୋଗଦେଇଥିବା ସମୟରେ ଏହି ଖୁସି ଖବର ପାଇଥିଲେ, ଯେଉଁଠାରେ ନାଜି ଯୁଦ୍ଧ ଅପରାଧୀଙ୍କ ବିଚାର ଅନ୍ତର୍ଜାତୀୟ ଆଇନର ମୂଳଦୁଆ ସ୍ଥାପନ କରିଥିଲା। ତେବେ ବର୍ଣ୍ଣବୈଷମ୍ୟତାର ଅନ୍ତୁଡ଼ିଶାଳ ଭାବେ ପରିଚିତ ଦକ୍ଷିଣ ଆଫ୍ରିକାର ନାଟାଲ ପ୍ରଦେଶର ଡର୍ବାନରେ ଏକ ଭାରତୀୟ ତାମିଲ ବଂଶୋଦ୍ଭବ ପରିବାରରେ ୨୩ ସେପ୍ଟେମ୍ବର ୧୯୪୧ରେ ପିଲ୍ଲେ ଜନ୍ମଗ୍ରହଣ କରିଥିଲେ। ଇତିହାସ ଦେଖିଲେ ୧୮୯୦ ଦଶକରେ ନାଟାଲରେ ଦକ୍ଷିଣ ଆଫ୍ରିକାର ଆଖୁ ଚାଷ ଜମିରେ କାମ କରିବା ପାଇଁ ତାଙ୍କ ଜେଜେମା ଜେଜେବାପା ଶ୍ରମିକ ଭାବରେ ଭାରତରୁ ଯାଇଥିଲେ। ପିତା ନାରାୟଣସାମୀ ନାଇଡୁ ଏବଂ ମାତା ଶାନ୍ତାମା ନାଇଡୁଙ୍କ କୋଳମଣ୍ଡଳ କଲା ବେଳେ ନାଭି ପିଲ୍ଲେ ଥିଲେ ନବନୀତମ ନାଇଡୁ। ପରିବାରର ଆଠଟି ସନ୍ତାନ ମଧ୍ୟରେ ପିଲ୍ଲେ ଥିଲେ ପଞ୍ଚମ। ନାରାୟଣସାମୀ ପେସାରେ ଜଣେ ବସ୍ ଡ୍ରାଇଭର ଥିଲେ ଏବଂ ପରିବାରର ଆୟ ବୃଦ୍ଧି ପାଇଁ ମାଛ ଧରିବା ଭଳି ଅନ୍ୟାନ୍ୟ କାର୍ଯ୍ୟ ମଧ୍ୟ କରୁଥିଲେ। ଶାନ୍ତାମା ଜଣେ ଗୃହିଣୀ ଥିଲେ। ଦୁହେଁ ନିଜ ପରିବାରକୁ ହିନ୍ଦୁ ସଂସ୍କାର ସହିତ ବଢ଼ାଇଥିଲେ, ଯେଉଁଥିରେ ପରିବାରର ପୁରୁଷ ଓ ମହିଳାଙ୍କ ମଧ୍ୟରେ ସମାନତା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଅତି ଅଭାବୀ ପରିବାରରେ ଜନ୍ମଗ୍ରହଣ କରିଥିଲେ ମଧ୍ୟ ପିଲ୍ଲେ ପରିବାରରୁ ଶିଖିଥିଲେ ସଣ୍ଠଣା ଓ ସମାନତାର ଗୁଣ। ସ୍ଥାନୀୟ ଲୋକଙ୍କ ଆର୍ଥିକ ସହାୟତାରେ ସେ ପାଠ ପଢ଼ିଥିଲେ। ୧୯୬୩ରେ କଳାରେ ସ୍ନାତକ ଓ ୧୯୬୫ରେ ଆଇନରେ ସ୍ନାତକ ଡିଗ୍ରୀ ଅର୍ଜନ କରିଥିଲେ। ୧୯୬୨ ମସିହାରେ ଭାରତୀୟ ବଂଶୋଦ୍ଭବ ଓକିଲ ପରଞ୍ଜୋତି ‘ଗାବି’ ଆନ୍ଥୋନୀ ପିଲ୍ଲେଙ୍କୁ ଭେଟିଥିଲେ। ଦୁହେଁ ଜାନୁଆରୀ ୧୯୬୫ରେ ବିବାହ କରିଥିଲେ ଏବଂ ସେମାନଙ୍କର ଦୁଇଟି କନ୍ୟା ସନ୍ତାନ ଅଛନ୍ତି। ୧୯୬୭ ମସିହାରେ ପିଲ୍ଲେ ଦକ୍ଷିଣ ଆଫ୍ରିକାର ନାଟାଲ ପ୍ରଦେଶରେ ନିଜର ଆଇନ ବ୍ୟବସାୟ ଆରମ୍ଭ କରିଥିବା ପ୍ରଥମ ଅଣଶ୍ୱେତାଙ୍ଗ ମହିଳା ହେବାର ଗୌରବ ଅର୍ଜନ କରିଥିଲେ। ସେହି ସମୟରେ ସେ ବର୍ଣ୍ଣବୈଷମ୍ୟ ବିରୋଧୀ ଆନ୍ଦୋଳନକାରୀ ଏବଂ ଦକ୍ଷିଣ ଆଫ୍ରିକାର ପ୍ରବାଦ ପୁରୁଷ ନେଲସନ ମଣ୍ଡେଲାଙ୍କ ସହଯୋଗୀମାନଙ୍କ ମାମଲା ମଧ୍ୟ ଲଢ଼ିଥିଲେ। ତେବେ ସ୍କଲାରଶିପ୍ ପାଇବା ପରେ ନାଭି ପିଲ୍ଲେ ହାର୍ଭାର୍ଡ ଲ’ ସ୍କୁଲରେ ଅଧ୍ୟୟନ କରିଥିଲେ ଏବଂ ୧୯୮୨ରେ ଏଲ୍ଏଲ୍ଏମ୍ ଏବଂ ୧୯୮୮ରେ ନିଜର ସନ୍ଦର୍ଭ ସମାପ୍ତ କରିବା ପରେ ‘ଡକ୍ଟର ଅଫ୍ ଜୁରିଡିକାଲ ସାଇନ୍ସ’ ଡିଗ୍ରୀ ହାସଲ କରିଥିଲେ। ହାର୍ଭାର୍ଡ ଲ’ ସ୍କୁଲରୁ ଆଇନରେ ଡକ୍ଟରେଟ ହାସଲ କରିବାରେ ପିଲ୍ଲେ ପ୍ରଥମ ଦକ୍ଷିଣ ଆଫ୍ରିକୀୟ ଥିଲେ। ୧୯୯୫ ମସିହାରେ ଦକ୍ଷିଣ ଆଫ୍ରିକାରେ ଗଣତନ୍ତ୍ର ପ୍ରତିଷ୍ଠା ପରେ ରାଷ୍ଟ୍ରପତି ନେଲସନ ମଣ୍ଡେଲା ତାଙ୍କୁ ଦକ୍ଷିଣ ଆଫ୍ରିକା ହାଇକୋର୍ଟର ପ୍ରଥମ ଅଣଶ୍ୱେତାଙ୍ଗ ମହିଳା ବିଚାରପତି ଭାବରେ ନିଯୁକ୍ତ କରିଥିଲେ। ୨୦୦୮ ରୁ ୨୦୧୪ ପର୍ଯ୍ୟନ୍ତ ସେ ଜାତିସଂଘର ମାନବାଧିକାର ହାଇକମିଶନର ଭାବେ କାର୍ଯ୍ୟ କରି ମହିଳା, ସଂଖ୍ୟାଲଘୁ ଏବଂ ଏଲ୍ଜିବିଟିକ୍ୟୁ ସମୁଦାୟର ସୁରକ୍ଷା ପାଇଁ ଦୃଢ଼ ସ୍ବର ଉତ୍ତୋଳନ କରିଥିଲେ। ୨୦୧୬ ମସିହାରେ ‘ଡିପ୍ଲୋମାଟିକ୍ କୁରିୟର’କୁ ଦେଇଥିବା ଏକ ସାକ୍ଷାତକାରରେ ପିଲ୍ଲେ କହିଥିଲେ ଯେ ତାଙ୍କର ପ୍ରାରମ୍ଭିକ ମାନବ ଅଧିକାର କାର୍ଯ୍ୟ ବର୍ଣ୍ଣବୈଷମ୍ୟ ସମୟରେ ସେ ନିଜେ ଅନୁଭବ କରିଥିବା ପରିସ୍ଥିତି ଦ୍ୱାରା ପ୍ରଭାବିତ ହୋଇଥିଲା।
୮୫ ବର୍ଷୀୟା ପିଲ୍ଲେ ଏବେ ଅନ୍ତର୍ଜାତୀୟ ନ୍ୟାୟାଳୟ (ଆଇସିଜେ)ର ଜଣେ ବିଚାରପତି ଅଛନ୍ତି, ଯେଉଁଠାରେ ମ୍ୟାନ୍ମାର ଉପରେ ଗଣସଂହାର ଅଭିଯୋଗ ରହିଛି। ସେହିପରି ର୍ବାଣ୍ଡାରେ ଗଣହତ୍ୟା ସହିତ ମାମଲାର ବିଚାର କରି ଐତିହାସିକ ନିଷ୍ପତ୍ତି ନେଇଥିଲେ। ସେ ଅଧିକୃତ ପାଲେଷ୍ଟାଇନ ଅଞ୍ଚଳ ଉପରେ ଗଠିତ ମିଳିତ ଜାତିସଂଘର ଅନୁସନ୍ଧାନ କମିଶନର ଅଧ୍ୟକ୍ଷ ରହିଥିଲାବେଳେ ଗତ ବର୍ଷ ଦେଇଥିବା ରିପୋର୍ଟରେ ଇସ୍ରାଏଲ ଗାଜାରେ ଗଣସଂହାର କରିଛି ବୋଲି ପ୍ରକାଶ ପାଇଥିଲା। ଏହା ପ୍ରକାଶ ପାଇବା ପରେ ଇସ୍ରାଏଲ ତାହାକୁ ଲଜ୍ଜାଜନକ ଏବଂ ନକଲି କହି ପ୍ରତ୍ୟାଖ୍ୟାନ କରିଥିଲା। ଏବେ ପିଲ୍ଲେ ନୋବେଲ ଶାନ୍ତି ପୁରସ୍କାର ପାଇଁ ମନୋନୀତ ହେବା ପରେ ଇସ୍ରାଏଲ ବହିର୍ବ୍ୟାପାର ମନ୍ତ୍ରଣାଳୟ ତାଙ୍କୁ ସମାଲୋଚନା କରିଛି।
ହେଲେ ନୋବେଲ କମିଟି ତାଙ୍କୁ ସମକାଳୀନ ଅନ୍ତର୍ଜାତୀୟ ଆଇନଗତ ନୀତିର ଜଣେ ମହାନ୍ ରକ୍ଷକ ଭାବରେ ବର୍ଣ୍ଣନା କରିବା ତାଙ୍କ ବ୍ୟକ୍ତିତ୍ୱର ବିରାଟ ପରିଚୟ ଦେଉଛି। ଅତଏବ କୁହାଯାଇପାରେ, ଆଇନଗତ ପଦକ୍ଷେପ ଯୁଦ୍ଧ ଓ ହିଂସାକୁ ଯେ ରୋକିବାରେ ସାହାଯ୍ୟ କରିପାରେ, ଏକଥା ପିଲ୍ଲେ ଅନେକ ଐତିହାସିକ ଅନ୍ତର୍ଜାତୀୟ ଅଦାଲତ ମାମଲାଗୁଡ଼ିକରେ ସ୍ପଷ୍ଟ କରିପାରିଛନ୍ତି। ଆଇନକୁ ଆଧାର କରି ଶାନ୍ତି ପ୍ରତିଷ୍ଠା କରିବାରେ ତାଙ୍କ ଯୋଗଦାନ ସବୁ ସମୟ ପାଇଁ ଅନସ୍ବୀକାର୍ଯ୍ୟ ହୋଇ ରହିବ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।