ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….
ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଭିଡିଓରେ ଜଣେ ମହିଳା ତାଙ୍କ ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବସାଇ ହସ୍ପିଟାଲର ୱାର୍ଡକୁ ନେଉଥିବା ଦେଖାଯାଉଛି । ଘଟଣାଟି ରାଘୋଗଡ଼ ଅଞ୍ଚଳର ବୋରଖେଡ଼ି ଗାଁର ବୋଲି ଜଣାପଡ଼ିଛି । ଏଠାକାର ବାସିନ୍ଦା କୃଷ୍ଣାବାଇ ତାଙ୍କ ଭାଇ ଜଗଦୀଶଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲକୁ ନେଇଥିଲେ । ଜଗଦୀଶ ଦୀର୍ଘଦିନ ଧରି ଅସୁସ୍ଥ ଥିବା ସହ ଦିବ୍ୟାଙ୍ଗ ହୋଇଥିବାରୁ ଚାଲିବାରେ ସମସ୍ୟା ରହିଛି ।
କୃଷ୍ଣାବାଇଙ୍କ ଦାବି ଅନୁସାରେ, ହସ୍ପିଟାଲରେ ପହଞ୍ଚିବା ପରେ ରୋଗୀଙ୍କୁ ୱାର୍ଡ ଭିତରକୁ ନେବା ପାଇଁ ତାଙ୍କୁ ଷ୍ଟ୍ରେଚର ମିଳିନଥିଲା। ଏପରିକି ହ୍ୱିଲଚେୟାର ମଧ୍ୟ ମିଳିନଥିବା ଏବଂ କୌଣସି ୱାର୍ଡ ବୟଙ୍କ ସହାୟତା ମିଳିନଥିବା ସେ ଅଭିଯୋଗ କରିଛନ୍ତି । ସହାୟତା ନମିଳିବାରୁ ବାଧ୍ୟ ହୋଇ ସେ ନିଜ ଭାଇଙ୍କୁ ପିଠିରେ ବସାଇ ୱାର୍ଡ ପର୍ଯ୍ୟନ୍ତ ନେଇଥିବା କହିଛନ୍ତି । ଏହାର ଭିଡିଓ ସାମ୍ନାକୁ ଆସିବା ପରେ ହସ୍ପିଟାଲର ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି।
ତେବେ ହସ୍ପିଟାଲ ପକ୍ଷରୁ ଷ୍ଟ୍ରେଚର ଅଭାବ ଥିବା ଅଭିଯୋଗକୁ ଖଣ୍ଡନ କରାଯାଇଛି । ପ୍ରଭାରୀ ସିଭିଲ ସର୍ଜନ ଡାକ୍ତର ରାଜକୁମାର ଋଷିଶ୍ୱର କହିଛନ୍ତି ଯେ, ହସ୍ପିଟାଲରେ ପର୍ଯ୍ୟାପ୍ତ ସଂଖ୍ୟକ ଷ୍ଟ୍ରେଚର ଉପଲବ୍ଧ ରହିଛି । କ୍ରିଟିକାଲ କେୟାର ବ୍ଲକ୍ ଏବଂ ପୁରୁଣା ହସ୍ପିଟାଲ ନିକଟରେ ମଧ୍ୟ ଷ୍ଟ୍ରେଚର ରହିଥାଏ ବୋଲି ସେ କହିଛନ୍ତି । ରୋଗୀଙ୍କୁ ୱାର୍ଡକୁ ନେବା ପାଇଁ ୱାର୍ଡ ବୟ ଏବଂ ମଲ୍ଟି-ୟୁଟିଲିଟି କର୍ମଚାରୀଙ୍କ ଡ୍ୟୁଟି ମଧ୍ୟ ଲଗାଯାଇଛି ବୋଲି ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି ।
ଡାକ୍ତର ଋଷିଶ୍ୱରଙ୍କ କହିବା ଅନୁସାରେ, ଅନେକ ସମୟରେ ରୋଗୀଙ୍କ ପରିବାର ଲୋକେ ତରବରିଆ ହୋଇ ନିଜେ ରୋଗୀଙ୍କୁ ଉଠାଇ ୱାର୍ଡକୁ ନେଇଯାଆନ୍ତି। ଆବଶ୍ୟକ ହେଲେ ହସ୍ପିଟାଲ କର୍ମଚାରୀଙ୍କୁ ଜଣାଇ ସହାୟତା ନିଆଯାଇପାରିବ ବୋଲି ସେ କହିଛନ୍ତି। ଏହି ଘଟଣାର ଭିଡିଓ ସାମ୍ନାକୁ ଆସିବା ପରେ ହସ୍ପିଟାଲରେ ଉପଲବ୍ଧ ସୁବିଧା ଓ ତାହାର ବ୍ୟବହାରକୁ ନେଇ ଆଲୋଚନା ଆରମ୍ଭ ହୋଇଛି ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।