ମୁଖ୍ୟାଳୟ ଛାଡ଼ିପାରିବେନି ଅଧିକାରୀ: ଏସ୍‌ଆର୍‌ସିଙ୍କୁ ବାତ୍ୟା ଚିନ୍ତା

Oct 24, 2026 - 08:16
ମୁଖ୍ୟାଳୟ ଛାଡ଼ିପାରିବେନି ଅଧିକାରୀ: ଏସ୍‌ଆର୍‌ସିଙ୍କୁ ବାତ୍ୟା ଚିନ୍ତା

ଭୁବନେଶ୍ୱର,୨୪ା୧୦(ରବିନାରାୟଣ ଜେନା):ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି)ର ପୂର୍ବାନୁମାନ ଆଧାରରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ସମ୍ଭାବ୍ୟ ବାତ୍ୟାର ରୂପ ନେଉଥିବାରୁ ସ୍ବତନ୍ତ୍ର ରିଲିଫ୍‌ କମିଶନର (ଏସ୍‌ଆର୍‌ସି)ଙ୍କ ଚିନ୍ତା ବଢ଼ି ଯାଇଛି। ଏହି ସମ୍ଭାବ୍ୟ ବାତ୍ୟାର ମୁକାବିଲା ଲାଗି ଶୁକ୍ରବାର ପୃଥକ ଭାବେ ୨ଟି ନିର୍ଦ୍ଦେଶନାମା ଏସ୍‌ଆର୍‌ସି ରାଜେଶ ପ୍ରଭାକର ପାଟିଲ ଜାରି କରିଛନ୍ତି। ଗୋଟିଏରେ ଆସନ୍ତା ଶନିବାର ଓ ରବିବାର ରାଜ୍ୟ ମୁଖ୍ୟାଳୟ ଛାଡ଼ିି କୌଣସି ଅଧିକାରୀ ନ ଯିବାକୁ ନିର୍ଦ୍ଦେଶନାମା ଜାରି କରାଯାଇଥିବାବେଳେ ଅନ୍ୟଟିରେ ଜରୁରିକାଳୀନ ପଦକ୍ଷେପ କ’ଣ ସବୁ ନେଇଛ ତାହା ଜଣାଇବାକୁ ସମ୍ପୃକ୍ତ ବିଭାଗକୁ ଅବଗତ କରାଇଛନ୍ତି।
ପାଟିଲ କହିଛନ୍ତି, ଆସନ୍ତାକାଲିଠାରୁ ରାଜ୍ୟ ଜରୁରିକାଳୀନ ମୁକାବିଲା କେନ୍ଦ୍ର ଏସ୍‌ଆର୍‌ସି କାର୍ଯ୍ୟାଳୟରେ ଖୋଲିବ। ଏହି ସମୟରେ ସମ୍ପୃକ୍ତ ବିଭାଗର କୌଣସି ଅଧିକାରୀ ରାଜ୍ୟ ମୁଖ୍ୟାଳୟ ଛାଡ଼ି ଯାଇପାରିବେ ନାହିଁ, ସମସ୍ତଙ୍କୁ ଉପସ୍ଥିତ ରହିବାକୁ ପଡ଼ିବ। ସେହିପରି ରାଜ୍ୟର ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବ ଓ ଶାସନ ସଚିବମାନଙ୍କୁ ଏନେଇ ଜରୁରୀ ପଦକ୍ଷେପ ନେବାକୁ ଏସ୍‌ଆର୍‌ସି ଅବଗତ କରିିଛନ୍ତି। ସେ ଦର୍ଶାଇଛନ୍ତି, ବଙ୍ଗୋପସାଗରରେ ଘନୀଭୂତ ହୋଇଥିବା ବାତ୍ୟାର ନିର୍ଦ୍ଦିଷ୍ଟ ଗତିପଥ, ତୀବ୍ରତା ଓ ସ୍ଥଳଭାଗ ଛୁଇଁବାର ସ୍ଥାନ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ମାତ୍ର ୨୬ ଅକ୍ଟୋବରରୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା, ଜୋର୍‌ ପବନ ଏବଂ ଯୋଗାଯୋଗ ଓ ଜନଜୀବନରେ ବାଧା ସୃଷ୍ଟି ହେବାର ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ଜଳଯୋଗାଣ ଓ ଜରୁରୀ ସେବା ସ୍ବାଭାବିକ ରଖିବାକୁ ହେବ। ସେହିପରି ତଳିଆ ସହରାଞ୍ଚଳରେ ଉଚ୍ଚ କ୍ଷମତାସମ୍ପନ୍ନ ପମ୍ପ ମହଜୁଦ ରଖିବା ସହ ଜଳବନ୍ଦୀ ହେବାର ଆଶଙ୍କା ଥିବା ଅଞ୍ଚଳରୁ ଜଳ ନିଷ୍କାସନ ପାଇଁ ପ୍ରସ୍ତୁତି କରିବା, ଭୁବନେଶ୍ୱର ମହାନଗର ନିଗମ ଓ କଟକ ମହାନଗର ନିଗମ ସମେତ ସମ୍ପୃକ୍ତ ସଂସ୍ଥାଗୁଡ଼ିକୁ ଏ ଦିଗରେ ପ୍ରସ୍ତୁତ ରହିବାକୁ ଏସ୍‌ଆର୍‌ସି କହିଛନ୍ତି। ବିଦ୍ୟୁତ୍‌ ଓ ରାସ୍ତା ମରାମତି ବିଭାଗକୁ ଜରୁରିକାଳୀନ ମରାମତି ଦଳ, ଭାରି ଯନ୍ତ୍ରପାତି ଏବଂ ଆବଶ୍ୟକ ସାମଗ୍ରୀକୁ ପ୍ରମୁଖ ସ୍ଥାନରେ ମହଜୁଦ ରଖିବାକୁ ନିର୍ଦ୍ଦେଶ ରହିଛି। ଅତ୍ୟାବଶ୍ୟକ ଔଷଧ, ଓଆର୍‌ଏସ୍‌, ହାଲୋଜିନ୍‌ ବଟିକା, ସାପ କାମୁଡ଼ା ପ୍ରତିରୋଧକ ଔଷଧ, ବ୍ଲିଚିଂ ପାଉଡର ଓ ଶୁଖିଲା ଖାଦ୍ୟ ସାମଗ୍ରୀ ଆବଶ୍ୟକ ପରିମାଣରେ ମହଜୁଦ ରଖିବାକୁ ସ୍ବାସ୍ଥ୍ୟ ବିଭାଗକୁ କୁହାଯାଇଛି। ଏହାସହିତ ଜଳସମ୍ପଦ,ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ, ବାଣିଜ୍ୟ ଓ ପରିବହନ, କୃଷି, ମତ୍ସ୍ୟ ଓ ପଶୁ ସମ୍ପଦ ଏବଂ ପଞ୍ଚାୟତିରାଜ ବିଭାଗକୁ ପ୍ରସ୍ତୁତ ରହିବାକୁ ଏସ୍‌ଆର୍‌ସି କହିଛନ୍ତି। ସମସ୍ତ ସମ୍ପୃକ୍ତ ବିଭାଗ ନିଜ ନିଜ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ସ୍ବତନ୍ତ୍ର ରିଲିଫ୍‌ କମିଶନରଙ୍କୁ ନିୟମିତ ଭାବେ ଅବଗତ କରାଇବାକୁ ପତ୍ରରେ ଏସ୍‌ଆର୍‌ସି ଅବଗତ କରାଇଛନ୍ତି।

 

Dharitri – Odisha’s No.1 Odia Daily

 


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।