ରେଳଧାରଣାରେ ଯିବାବେଳେ ୪ ଜଣଙ୍କୁ ଚାପିଦେଲା ରାଜାରାଣୀ ଏକ୍ସପ୍ରେସ
ଗଜପତି,୨୩।୯(ଗିରିଧାରୀ ପରିଛା): ଭୁବନେଶ୍ୱରରୁ ପାରଳାଖେମୁଣ୍ଡି ଆସୁଥିବା ରାଜାରାଣୀ ଏକ୍ସପ୍ରେସ ଧକ୍କାରେ ୪ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ଆନ୍ଧ୍ରପ୍ରଦେଶର ଟେକେଲି ଗ୍ରାମ ନିକଟସ୍ଥ ରାୟୱାଲସା ଲେଭଲ କ୍ରସିଂ ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି।
ପ୍ରାଥମିକ ସୂଚନା ଅନୁଯାୟୀ, ୫ ଜଣ ବ୍ୟକ୍ତି ରେଳଧାରଣା ଉପରେ ଚାଲିଚାଲି ଯାଉଥିବା ସମୟରେ ହଠାତ୍ ରାଜାରାଣୀ ଏକ୍ସପ୍ରେସ ଆସିଯାଇଥିଲା। ଟ୍ରେନ ଧକ୍କାରେ ଘଟଣାସ୍ଥଳରେ ହିଁ ୪ ଜଣଙ୍କ ପ୍ରାଣବାୟୁ ଉଡ଼ିଯାଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ଗୁରୁତରଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଟେକେଲି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଦୁର୍ଘଟଣା ସମୟରେ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ବର୍ଷା ହେଉଥିଲା। ବର୍ଷା ଯୋଗୁ ଦୃଶ୍ୟମାନତା କମିଯାଇଥିବାରୁ ଟ୍ରେନ ଆସିବା କଥା ସେମାନେ ଜାଣିପାରି ନ ଥିବା ଅନୁମାନ କରାଯାଉଛି। ତେବେ ମୃତ ଓ ଆହତମାନେ ରାୟୱାଲସା ଗ୍ରାମର ବୋଲି ସୂଚନା ମିଳିଥିଲେ ହେଁ ସେମାନଙ୍କ ସମ୍ପୂର୍ଣ୍ଣ ପରିଚୟ ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି।
ଖବର ପାଇ ଆର୍ପିଏଫ (RPF) ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହଗୁଡ଼ିକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। ତଦନ୍ତ ପରେ ଦୁର୍ଘଟଣାର ସଠିକ କାରଣ ଓ ମୃତକଙ୍କ ପରିଚୟ ସ୍ପଷ୍ଟ ହେବ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।