ରୋହିତ ଯୋଗୁ ଏହି ଧୁରନ୍ଧରଙ୍କ କଟିବ ପତ୍ତା! ୨୭ରେ ପ୍ରଥମ ODI ପାଇଁ ଜାଣନ୍ତୁ ସମ୍ଭାବ୍ୟ ପ୍ଲେଇଂ-୧୧

Sep 25, 2026 - 13:57
ରୋହିତ ଯୋଗୁ ଏହି ଧୁରନ୍ଧରଙ୍କ କଟିବ ପତ୍ତା! ୨୭ରେ ପ୍ରଥମ ODI ପାଇଁ ଜାଣନ୍ତୁ ସମ୍ଭାବ୍ୟ ପ୍ଲେଇଂ-୧୧

ନୂଆଦିଲ୍ଲୀ,୨୫।୯: ଶ୍ରେୟସ ଅୟର ବର୍ତ୍ତମାନ ଜାପାନରେ ଏସିଆନ ଗେମ୍ସ ଦଳ ସହ ରହିଛନ୍ତି। ତେଣୁ ଭାରତୀୟ ଦଳରେ ନମ୍ବର-୪ ସ୍ଥାନ ଖାଲି ରହିଛି। ଏହି ସ୍ଥାନରେ ମ୍ୟାନେଜମେଣ୍ଟ ଋତୁରାଜ ଗାଏକୱାଡଙ୍କୁ ସୁଯୋଗ ଦେବ ନା ନମନ ଧୀରଙ୍କୁ ଅନ୍ତର୍ଜାତୀୟ ଡେବ୍ୟୁ କରାଇବ, ତାହା ଦେଖିବାକୁ ରହିଲା।

ଅନ୍ୟପଟେ ରୋହିତ ଶର୍ମା ଓ ଶୁଭମନ ଗିଲଙ୍କୁ ନିୟମିତ ଓପନିଂ ଯୋଡ଼ି ଦଳକୁ ଓହ୍ଲାଇପାରେ। ନମ୍ବର-୩ରେ ବିରାଟ କୋହଲିଙ୍କ ସ୍ଥାନ ମଧ୍ୟ ନିଶ୍ଚିତ ଧରାଯାଉଛି। ଏଭଳି ସ୍ଥିତିରେ ଟପ ଅର୍ଡରରେ ୟଶସ୍ବୀ ଜୟସ୍ବାଲଙ୍କ ପାଇଁ ସ୍ଥାନ ଖାଲି ରହୁନାହିଁ।

ଜୟସ୍ବାଲ ଏପର୍ଯ୍ୟନ୍ତ ୬ଟି ଦିନିକିଆ ମ୍ୟାଚରେ ୨ଟି ଶତକ ସହ ୨୮୫ ରନ କରିଛନ୍ତି। ତାଙ୍କ ଦିନିକିଆ ବ୍ୟାଟିଂ ଆଭେରେଜ ୭୧.୨୫ ରହିଛି। ଏହା ସତ୍ତ୍ୱେ ଟପ ଅର୍ଡରରେ ସ୍ଥାନ ନଥିବାରୁ ତାଙ୍କୁ ପ୍ରଥମ ମ୍ୟାଚରେ ବାହାରେ ବସିବାକୁ ପଡ଼ିପାରେ।

ଋତୁରାଜ ଗାଏକୱାଡଙ୍କ ଭାରତୀୟ ଦଳକୁ ଆସିବା-ଯିବା ଜାରି ରହିଛି। ଶ୍ରେୟସ ଆୟର ନଥିବାରୁ ନମ୍ବର-୪ରେ ଗାଏକୱାଡଙ୍କୁ ଖେଳାଯାଇପାରେ। ସେ ଏପର୍ଯ୍ୟନ୍ତ ୯ଟି ଦିନିକିଆରେ ଗୋଟିଏ ଶତକ ଓ ଗୋଟିଏ ଅର୍ଦ୍ଧଶତକ ସହ ୨୨୮ ରନ କରିଛନ୍ତି।

ନମ୍ବର-୫ରେ କେଏଲ ରାହୁଲ ଖେଳିବା ସହ ଉଇକେଟ୍‌କିପର ଭାବେ ମଧ୍ୟ ପ୍ରଥମ ପସନ୍ଦ ରହିପାରନ୍ତି। ତାଙ୍କ ପରେ ନୀତୀଶ କୁମାର ରେଡ୍ଡୀ ଫାଷ୍ଟ ବୋଲିଂ ଅଲରାଉଣ୍ଡର ଏବଂ ରବୀନ୍ଦ୍ର ଜାଡେଜା ସ୍ପିନ ବୋଲିଂ ଅଲରାଉଣ୍ଡର ଭୂମିକାରେ ରହିପାରନ୍ତି।

ଆକିବ ନବୀଙ୍କୁ ଶ୍ରୀଲଙ୍କା ଟେଷ୍ଟ ସିରିଜ୍ରେ ଜସପ୍ରୀତ ବୁମରାଙ୍କ ବଦଳ ଖେଳାଳି ଭାବେ ଭାରତୀୟ ସ୍କୱାଡରେ ସାମିଲ କରାଯାଇଥିଲା। ତେବେ ସେହି ସିରିଜରେ ତାଙ୍କୁ ଗୋଟିଏ ମ୍ୟାଚରେ ମଧ୍ୟ ପ୍ଲେଇଂ-୧୧ରେ ସୁଯୋଗ ମିଳିନଥିଲା।

ଏବେ ତାଙ୍କୁ ଦିନିକିଆ ଦଳରେ ସାମିଲ କରାଯାଇଛି। ତେଣୁ ଏହି ସିରିଜରେ ତାଙ୍କ ଅନ୍ତର୍ଜାତୀୟ ଡେବ୍ୟୁ ହୋଇପାରେ। ତେବେ ପ୍ରଥମ ଦିନିକିଆରେ ତାଙ୍କୁ ସୁଯୋଗ ମିଳିବାର ସମ୍ଭାବନା ଅପେକ୍ଷାକୃତ କମ ବୋଲି ଧରାଯାଉଛି।

ଭାରତୀୟ ଦଳ ପ୍ରଥମ ଦିନିକିଆରେ ଦୁଇ ସ୍ପିନର ରବୀନ୍ଦ୍ର ଜାଡେଜା ଓ କୁଲଦୀପ ଯାଦବଙ୍କ ସହ ଓହ୍ଲାଇପାରେ। ଫାଷ୍ଟ ବୋଲିଂ ବିଭାଗରେ ମହମ୍ମଦ ସିରାଜ, ପ୍ରସିଦ୍ଧ କୃଷ୍ଣା ଓ ଗୁରନୂର ବରାଡ଼ଙ୍କୁ ସୁଯୋଗ ମିଳିପାରେ। ଗୁରନୂର ନିଜର ପ୍ରଭାବଶାଳୀ ବୋଲିଂ ଦ୍ୱାରା ନଜର କାଡ଼ିଛନ୍ତି।

ଭାରତର ସମ୍ଭାବ୍ୟ ପ୍ଲେଇଂ-୧୧
ରୋହିତ ଶର୍ମା, ଶୁଭମନ ଗିଲ, ବିରାଟ କୋହଲି, ଋତୁରାଜ ଗାଏକୱାଡ, କେଏଲ ରାହୁଲ, ନୀତୀଶ କୁମାର ରେଡ୍ଡୀ, ରବୀନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ମହମ୍ମଦ ସିରାଜ, ପ୍ରସିଦ୍ଧ କୃଷ୍ଣା, ଗୁରନୂର ବରାଡ଼।

 

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।