ବର୍ଷାରେ ଭାଙ୍ଗିଲା ଘର: ତାର୍ପୋଲିନ ଯୋଗାଇଦେଲେ ତହସିଲଦାର
କେସିଙ୍ଗା, ୨୫।୯(ତୁମେଶ୍ୱର ସାହୁ): ଲଘୁଚାପଜନିତ ଲଗାଣ ବର୍ଷା ଓ ପବନ ଯୋଗୁ କେସିଙ୍ଗା ବ୍ଲକର ବିଭିନ୍ନ ଅଞ୍ଚଳରେ ଘର ଭାଙ୍ଗିବା ସହ ଚାଷଜମିରେ ମଧ୍ୟ କ୍ଷୟକ୍ଷତି ହେଉଥିବା ଜଣାପଡ଼ିଛି। ଏଭଳି ସ୍ଥିତିରେ ପ୍ରଶାସନ ପକ୍ଷରୁ ତ୍ୱରିତ ପଦକ୍ଷେପ ନିଆଯାଇ ଘର ଭାଙ୍ଗିଥିବା ପରିବାରକୁ ତାର୍ପୋଲିନ ଯୋଗାଇ ଦିଆଯାଇଛି।
ଗତକାଲି ପ୍ରବଳ ବର୍ଷା ଓ ପବନ ଯୋଗୁ କେସିଙ୍ଗା ବ୍ଲକ ସିର୍ଜାପାଲି ଗ୍ରାମ ପଞ୍ଚାୟତ ଅଧୀନ ବାଡ଼ିପଦା ଗ୍ରାମର ଖୁଜାନ୍ତି ସାହୁଙ୍କ ଘର ଉପରେ ଏକ ଗଛ ଭାଙ୍ଗି ପଡ଼ିଥିଲା। ଏଥିରେ ଘରଟି କ୍ଷତିଗ୍ରସ୍ତ ହୋଇଥିଲା। ଖବର ପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଗଛଟିକୁ କାଟି ସଫା କରିଥିଲା।
ଘଟଣା ସମ୍ପର୍କରେ ଜାଣିବା ପରେ କେସିଙ୍ଗା ତହସିଲଦାର ପ୍ରଶାନ୍ତି ପ୍ରଧାନଙ୍କ ନିର୍ଦ୍ଦେଶରେ ରାଜସୱ ନିରୀକ୍ଷକ ତୁଳସୀରାମ ନିଆଲ, ସିର୍ଜାପାଲି ପିଇଓ ପ୍ରହ୍ଲାଦ ସୁନା ଏବଂ ବେଲଖଣ୍ଡି ସରପଞ୍ଚ ସୁଶାନ୍ତ ବାଗଙ୍କ ଉପସ୍ଥିତିରେ ପ୍ରଭାବିତ ପରିବାରକୁ ତାର୍ପୋଲିନ ଯୋଗାଇ ଦିଆଯାଇଥିଲା। ସେହିପରି ନୁନମାଠ ଗ୍ରାମ ପଞ୍ଚାୟତ ଅଞ୍ଚଳରେ ଘର ଭାଙ୍ଗିଥିବା ହିତାଧିକାରୀଙ୍କୁ ପିଇଓ ଝାସକେତନ ଭୋଇଙ୍କ ପକ୍ଷରୁ ତାର୍ପୋଲିନ ଯୋଗାଇ ଦିଆଯାଇଛି। ବେଲଖଣ୍ଡି ଗ୍ରାମ ପଞ୍ଚାୟତ ଅଧୀନ କର୍ଲା ଗ୍ରାମର ଦୀନବନ୍ଧୁ ହେର୍ଣ୍ଣାଙ୍କ ଘର ମଧ୍ୟ ବର୍ଷା ଯୋଗୁ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି।
ଲଗାତାର ବର୍ଷା ଲାଗି ରହିଥିବାରୁ କେସିଙ୍ଗା ଅଞ୍ଚଳରେ ଅନେକ ଚାଷୀଙ୍କ କପା ଓ ଧାନ ଫସଲ ନଷ୍ଟ ହେବା ଆଶଙ୍କା ଦେଖାଦେଇଛି। ଲଗାଣ ବର୍ଷା ଯୋଗୁ ଲୋକଙ୍କ ସାଧାରଣ ଜୀବନ ମଧ୍ୟ ପ୍ରଭାବିତ ହୋଇଛି। ଏନେଇ କେସିଙ୍ଗା ତହସିଲଦାର ପ୍ରଶାନ୍ତି ପ୍ରଧାନ କହିଛନ୍ତି ଯେ, ବର୍ତ୍ତମାନ ସୁଦ୍ଧା କେସିଙ୍ଗା ବ୍ଲକରେ ବଡ଼ଧରଣର କ୍ଷୟକ୍ଷତି ସମ୍ପର୍କରେ ସୂଚନା ମିଳିନାହିଁ। ବର୍ଷା କମିବା ପରେ ବ୍ଲକର ୨୬ଟି ଗ୍ରାମରୁ କ୍ଷୟକ୍ଷତି ସମ୍ପର୍କିତ ସମ୍ପୂର୍ଣ୍ଣ ରିପୋର୍ଟ ମିଳିପାରିବ ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।