ଲୁଟେରାଙ୍କଠାରୁ ନଗଦ ଟଙ୍କା-ବାଇକ୍ ସହ ଛୁରି ଜବତ, ପୁଣି ଜଣେ ଯୁବକ ଧରାପଡ଼ି…
ଝରିଗାଁ,୧୨ା୯(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ପୋଲିସକୁ ମିଳିଛି ବଡ଼ ସଫଳତା। ଝରିଗାଁ ଥାନା ଅଞ୍ଚଳରେ ଗତ ଜୁନ୍ ମାସରେ ଲକ୍ଷାଧିକ ଟଙ୍କା ସହ ସୁନା ଗହଣା ଚୋରି ହୋଇ ଥିବା ନେଇ ଅଭିଯୋଗ ହେବା ପରେ ଝରିଗାଁ ପୋଲିସ ଚଳିତ ମାସ ୪ ତାରିଖରେ ଦୁଇ ଜଣ ଡକାୟତଙ୍କୁ ଧରି କୋର୍ଟ ଚାଲାଣ କରାଯାଇଥିବା ବେଳେ ଶନିବାର ପୁଣି ଆଉ ଜଣେ ଯୁବକଙ୍କୁ ଉକ୍ତ ଚୋରି ଘଟଣାରେ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ସୂଚନା ପ୍ରକାରେ ଝରିଗାଁ ବ୍ଲକ ବାଣୁଆଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ଗାଉଁଟିଆଗୁଡ଼ା ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ଲଛମନ ଠାକୁରଙ୍କ ଘରୁ ଲକ୍ଷାଧିକ ଟଙ୍କା ସହ ସୁନା ଗହଣା ଚୋରି ହୋଇଥିଲା। ଘଟଣା ନେଇ ଠାକୁର ଝରିଗାଁ ଥାନାରେ ଲିଖିତ ଅଭିଯୋଗ କରିବା ପରେ ଝରିଗାଁ ଥାନା ଅଧିକାରୀ ରଚିତା ମାଡକାମୀଙ୍କ ନେତୃତ୍ୱରେ ଏକ କମିଟି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ପୂର୍ବରୁ ଦୁଇ ଜଣ ଝରିଗାଁ ବ୍ଲକ ଧନପୁର ଗ୍ରାମର ଉମାକାନ୍ତ ହରିଜନ(୨୨) ଏବଂ ଉମରକୋଟ ବ୍ଲକ ସେମଳା ଗ୍ରାମର ଦଳସାୟୀ ମହରା(୨୭)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଶନିବାର ଉକ୍ତ ଚୋରି ଘଟଣାରେ ସମୃକ୍ତ ଥିବା ଅଭିଯୋଗରେ ଦେଉଳକଣା ଗ୍ରାମର ମାନସିଂହ ହରିଜନ (୨୫)ଙ୍କୁ ଗିରଫ କରି ତାଙ୍କଠାରୁ ନଗଦ ୫୫ ହଜାର ଟଙ୍କା, ଗୋଟିଏ ମୋଟରସାଇକେଲ ସହ ଏକ ଛୁରି ଜବତ ହୋଇଛି। ଏନେଇ ଝରିଗାଁ ଥାନା ଅଧିକାରୀଙ୍କ ସମେତ ଡକାୟତମାନଙ୍କୁ କାବୁ କରିଥିବା ପୋଲିସ କର୍ମଚାରୀମାନଙ୍କୁ ଅଞ୍ଚଳବାସୀ ପ୍ରଶଂସା କରିଛନ୍ତି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।