ଲେଖି ରଖନ୍ତୁ ଯଦି…ରୋହିତ-କୋହଲିଙ୍କୁ ନେଇ ଏମିତି କଥା କହିଦେଲେ ସୁରେଶ ରାଇନା, କ୍ରିକେଟ୍‌ ଜଗତରେ ପଡ଼ିଲା ଚହଳ

Oct 26, 2026 - 22:26
ଲେଖି ରଖନ୍ତୁ ଯଦି…ରୋହିତ-କୋହଲିଙ୍କୁ ନେଇ ଏମିତି କଥା କହିଦେଲେ ସୁରେଶ ରାଇନା, କ୍ରିକେଟ୍‌ ଜଗତରେ ପଡ଼ିଲା ଚହଳ

ନୂଆଦିଲ୍ଲୀ,୨୬।୧୦:ଭାରତୀୟ କ୍ରିକେଟ୍‌ର ଦୁଇ ମହାନ ଖେଳାଳି ବିରାଟ କୋହଲି ଓ ରୋହିତ ଶର୍ମାଙ୍କୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ସୁରେଶ ରୈନା। ‘ମିଷ୍ଟର ଆଇପିଏଲ’ ଭାବେ ପରିଚିତ ରୈନାଙ୍କ କହିବା ଅନୁସାରେ, ଯଦି ରୋହିତ ଓ ବିରାଟ ୨୦୨୭ ମସିହାରେ ହେବାକୁ ଥିବା ଦିନିକିଆ ବିଶ୍ୱକପ୍‌ରେ ଖେଳନ୍ତି, ତେବେ ଭାରତ ବିଶ୍ୱକପ ଟ୍ରଫି ଜିତିପାରିବ। ଏବେ ଲେଖି ରଖନ୍ତୁ, ରୋହିତ ଓ ବିରାଟ ହିଁ ଭାରତକୁ ବିଶ୍ୱକପ ଜିତାଇବେ। ତାଙ୍କର ଏହି ବୟାନ କ୍ରିକେଟ ପ୍ରଶଂସକଙ୍କ ମଧ୍ୟରେ ଚର୍ଚ୍ଚା ସୃଷ୍ଟି କରିଛି।

ଦୀର୍ଘଦିନ ଧରି କ୍ରିକେଟ ମହଲରେ ଏହି ପ୍ରଶ୍ନ ଉଠୁଛି ଯେ, ରୋହିତ ଶର୍ମା ଓ ବିରାଟ କୋହଲି ୨୦୨୭ ଦିନିକିଆ ବିଶ୍ୱକପ ଖେଳିବେ କି ନାହିଁ। ଉଭୟ ଖେଳାଳି ଟେଷ୍ଟ ଓ ଅନ୍ତର୍ଜାତୀୟ ଟି-୨୦ କ୍ରିକେଟଙ୍କୁ ଅବସର ନେଇସାରିଛନ୍ତି। ବର୍ତ୍ତମାନ ସେମାନଙ୍କ ଧ୍ୟାନ ଦିନିକିଆ କ୍ରିକେଟ ଉପରେ ରହିଛି। ରୋହିତ ଓ ବିରାଟଙ୍କ ୨୦୨୭ ବିଶ୍ୱକପ୍‌ରେ ଖେଳିବା ସମ୍ଭାବନାକୁ ନେଇ ବିସିସିଆଇ ଅଧ୍ୟକ୍ଷ ମିଥୁନ ମାନହାସ ମଧ୍ୟ ନିଜ ମତ ରଖିଥିଲେ।

ଏକ ସାକ୍ଷାତକାରରେ ସେ କହିଥିଲେ, ଯଦି କୌଣସି ଖେଳାଳି ଫିଟ ଅଛନ୍ତି, ଭଲ ପ୍ରଦର୍ଶନ କରୁଛନ୍ତି ଏବଂ ଦେଶ ପାଇଁ ମ୍ୟାଚ ଜିତିବାରେ ସହାୟତା କରୁଛନ୍ତି, ତେବେ ତାଙ୍କ ବୟସକୁ ଚୟନରେ ବାଧା ଭାବେ ଦେଖିବା ଉଚିତ ନୁହେଁ। ଦଳରେ ସ୍ଥାନ ପାଇବା ପାଇଁ ଫିଟ୍‌ନେସ ଓ ପ୍ରଦର୍ଶନ ହିଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ୨୦୨୭ ବିଶ୍ୱକପ୍‌ରେ ଖେଳିବା ପାଇଁ ରୋହିତ ଶର୍ମା ଓ ବିରାଟ କୋହଲିଙ୍କୁ ନିଜ ଫିଟ୍‌ନେସ ବଜାୟ ରଖିବା ସହ ନିୟମିତ ଭାବେ ଭଲ ପ୍ରଦର୍ଶନ କରିବାକୁ ପଡ଼ିବ।

୨୦୨୭ ଏପ୍ରିଲ୍‌ରେ ରୋହିତ ଶର୍ମା ୪୦ ବର୍ଷ ବୟସରେ ପଦାର୍ପଣ କରିବେ। ଅନ୍ୟପକ୍ଷରେ, ବିଶ୍ୱକପ ସମୟରେ ବିରାଟ କୋହଲିଙ୍କ ବୟସ ୩୮ ବର୍ଷ ହୋଇଥିବ। ତେଣୁ ଆଗାମୀ ବିଶ୍ୱକପ ପର୍ଯ୍ୟନ୍ତ ଉଭୟଙ୍କ ଫିଟ୍‌ନେସ୍‌ ଓ ପ୍ରଦର୍ଶନ ଉପରେ ଚୟନକର୍ତ୍ତାଙ୍କ ନଜର ରହିବ।

ରୋହିତ ଶର୍ମା ଓ ବିରାଟ କୋହଲି ୨୦୨୩ ଦିନିକିଆ ବିଶ୍ୱକପ୍‌ରେ ଭାରତୀୟ ଦଳର ଅଂଶ ଥିଲେ। ସେହି ଟୁର୍ନାମେଣ୍ଟରେ ଭାରତ ଚମତ୍କାର ପ୍ରଦର୍ଶନ କରି ଫାଇନାଲ୍‌ରେ ପହଞ୍ଚିଥିଲା। କିନ୍ତୁ ଫାଇନାଲ୍‌ରେ ଅଷ୍ଟ୍ରେଲିଆଠାରୁ ପରାସ୍ତ ହୋଇ ଟ୍ରଫି ଜିତିବାରୁ ବଞ୍ଚିତ ହୋଇଥିଲା। ଏବେ ୨୦୨୭ ବିଶ୍ୱକପକୁ ନେଇ ଉଭୟ ଖେଳାଳିଙ୍କ ଯୋଜନା ଏବଂ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିଛି।

 

Dharitri – Odisha’s No.1 Odia Daily

 


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।