ଶିକ୍ଷକ ଅଭାବ, ଅଫିସ କୋଠରିରେ ପାଠପଢ଼ା

Oct 16, 2026 - 07:52
ଶିକ୍ଷକ ଅଭାବ, ଅଫିସ କୋଠରିରେ ପାଠପଢ଼ା

ଲୋଇସିଂହା,୧୬।୧୦(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଝାରମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ଲୁଚକିବାହାଲ ଗ୍ରାମ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିଶୁ ବାଟିକାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଦାନ ବ୍ୟବସ୍ଥା ରହିଛି ା କିନ୍ତୁ ବିଦ୍ୟାଳୟରେ ଭିତ୍ତିଭୂମି ସାଙ୍ଗକୁ ଶିକ୍ଷକ ଅଭାବ ଯୋଗୁ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଛି। ଏହି କାରଣରୁ ଦିନକୁ ଦିନ ବିଦ୍ୟାଳୟରୁ ଛାତ୍ରୀଛାତ୍ରଙ୍କ ନାମଲେଖା କମୁଥିବା ଅଭିଯୋଗ ହେଉଛି। କିଛି ବର୍ଷ ତଳେ ଏହି ବିଦ୍ୟାଳୟରେ ୮୦ରୁ ଊର୍ଦ୍ଧ୍ୱ ପିଲା ପାଠ ପଢ଼ୁଥିବାବେଳେ ଶିକ୍ଷକ ଅଭାବରୁ ଏବେ ପିଲାଙ୍କ ସଂଖ୍ୟା ୫୩ରେ ପହଞ୍ଚତ୍ଛି।
୧୯୫୮ରେ ସ୍ଥାପିତ ଏହି ଶିକ୍ଷାନୁଷ୍ଠାନରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢା ଆରମ୍ଭ ହୋଇଥିଲା। ତେବେ ୨୦୧୧ରେ ରାଜ୍ୟ ସରକାର ଏହି ବିଦ୍ୟାଳୟକୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ(ପ୍ରଥମରୁ ଅଷ୍ଟମ)କୁ ଉନ୍ନୀତ କରିଥିଲେ। ଗତ ବର୍ଷଠାରୁ ଏଠାରେ ଶିଶୁବାଟିକାରୁ ଅଷ୍ଟମ ପର୍ଯ୍ୟନ୍ତ ଶିକ୍ଷାଦାନ ଚାଲିଛି। ଉକ୍ତ ବିଦ୍ୟାଳୟରେ ପୂର୍ବରୁ ୨ ଜଣ ଶିକ୍ଷକ ପ୍ରଥମରୁ ଅଷ୍ଟମ ଶ୍ରେଣୀର ଛାତ୍ରୀଛାତ୍ରଙ୍କୁ ପାଠ ପଢାଉଥିଲେ। ୨୦୧୮ରେ ଆଉ ୨ଜଣ ଶିକ୍ଷା ସହାୟକ ବିଦ୍ୟାଳୟରେ ନିଯୁକ୍ତ ହୋଇଥିଲେ। ଫଳରେ ଶିକ୍ଷାଦାନରେ କିଛିଟା ସୁଧାର ଆସିଥିଲା। ୨୦୨୩ରେ ବିଦ୍ୟାଳୟର ଜଣେ ଶିକ୍ଷକ ପଦୋନ୍ନତି ପାଇବାରୁ ତାଙ୍କର ଅନ୍ୟତ୍ର ବଦଳି ହୋଇଥିଲା ା ଏପରି କି ୨୦୨୬ ଅଗଷ୍ଟ ୯ ତାରିଖରୁ ଜଣେ ଶିକ୍ଷୟିତ୍ରୀ ପ୍ରସୂତିକାଳୀନ ଛୁଟିରେ ରହିଛନ୍ତି ା ବର୍ତ୍ତମାନ ବିଦ୍ୟାଳୟରେ ୨ଜଣ ଶିକ୍ଷକ ପାଠପଢ଼ାଉଛନ୍ତି। ଶିଶୁ ବାଟିକାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲା ପଢ଼ୁଥିବାବେଳେ ମାତ୍ର ୨ଟି ଶ୍ରେଣୀଗୃହ ରହିଛି ା ଏହି ୨ ଶ୍ରେଣୀଗୃହରେ ଭାଗ କରି ଛାତ୍ରୀଛାତ୍ରଙ୍କୁ ବସାଇ ପାଠପଢ଼ା ଯାଉଛି। ଅଫିସ କୋଠରିରେ ପ୍ରାଥମିକ ଶ୍ରେଣୀର ପିଲା ବସି ପାଠ ପଢୁଛନ୍ତି। ଗଣଶିକ୍ଷା ବିଭାଗ ତରଫରୁ ୨ଟି ଅତିରିକ୍ତ ଶ୍ରେଣୀ ଗୃହ ନିର୍ମାଣ ପାଇଁ ୧୭ଲକ୍ଷ ଟଙ୍କା ଗତ ବର୍ଷ ମିଳିଥିଲା। ସେହି ଅର୍ଥରେ କୋଠା ନିର୍ମାଣ ହୋଇଛି। ହେଲେ ଠିକାଦାରଙ୍କ ଅବହେଳାରୁ ଇଲେକ୍ଟ୍ରିଫିକେଶନ କାମ ବାକି ରହିଥିବାରୁ ନବନିର୍ମିତ କୋଠା ବିଦ୍ୟାଳୟକୁ ହସ୍ତାନ୍ତର ହୋଇପାରି ନାହିଁ। ସେପ୍ଟେମ୍ବର୧୫ ତାରିଖଠାରୁ ବିଦ୍ୟାଳୟର ବିଦ୍ୟୁତ୍‌ ବିଚ୍ଛିନ୍ନ କରି ଦିଆଯାଇଥିଲା। ଫଳରେ ସ୍ମାର୍ଟ ବୋର୍ଡରେ କ୍ଲାସ ହୋଇ ପାରୁ ନ ଥିବାବେଳେ ପଙ୍ଖା ନ ଚାଲିବାରୁ ପିଲାମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ। ହେଲେ ଏନେଇ ଧରିତ୍ରୀ ତରଫରୁ ଶିକ୍ଷା ବିଭାଗକୁ ପଚରାଯିବାରେ, ତ୍ୱରିତ ପଦକ୍ଷେପ ସ୍ବରୂପ ଏବେ ବିଦ୍ୟୁତ୍‌ ସଂଯୋଗ ହୋଇଛି ା ବିଦ୍ୟାଳୟରେ ଶୌଚାଳୟ ଏବଂ ପାନୀୟ ଜଳ ସୁବିଧା ଥିଲେ ସୁଦ୍ଧା ଗୋଟିଏ କୋଠରିରେ ବହୁ ସଂଖ୍ୟକ ଛାତ୍ରୀଛାତ୍ର ବସି ପାଠପଢୁଥିବାରୁ ଅସ୍ବାଭାବିକ ପରିସ୍ଥିତି ସୃଷ୍ଟି ହେଉଛି ବୋଲି ପ୍ରଧାନଶିକ୍ଷକ ରାଜକିଶୋର ବେହେରା କହିଛନ୍ତି। ଏନେଇ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ପ୍ରମୋଦିନୀ ଘିବେଲା କହିଛନ୍ତି, ସ୍କୁଲରେ ଆବଶ୍ୟକ ସଂଖ୍ୟକ ଶିକ୍ଷକ ଏବଂ ଶ୍ରେଣୀଗୃହ ଯୋଗାଇଦେଲେ ଛାତ୍ରୀଛାତ୍ରମାନେ ଉପକୃତ ହୋଇପାରିବେ। ଏପରି କି ପିଲାଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବ ବୋଲି ଘିବେଲା କହିଚନ୍ତି। ଏସମ୍ପର୍କରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ରୁଦ୍ରପ୍ରସାଦ ଷଡ଼ଙ୍ଗୀ କହିଛନ୍ତି, ନୂତନ ନିଯୁକ୍ତି ନ ଥିବାରୁ ସବୁଠି ଶିକ୍ଷକ ସମସ୍ୟା ଲାଗି ରହିଛି। ଅତିରିକ୍ତ ଶ୍ରେଶୀଗୃହ କିପରି ଶୀଘ୍ର ହସ୍ତାନ୍ତର ହେବ ସେ ଦିଗରେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି ା

 

Dharitri – Odisha’s No.1 Odia Daily

 


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।