ଶୁବମନ ଗିଲଙ୍କ କପାଳରେ ଲାଗିଛି ଅଜବ ଡିଭାଇସ: ଜାଣିଲେ ହେବେ ଆଶ୍ଚର୍ଯ୍ୟ
ଅକଲାଣ୍ଡ,୩୦।୧୦: କ୍ରିକେଟ ପଡ଼ିଆରେ ନିଜ ବ୍ୟାଟିଂକୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା ଶୁବମନ ଗିଲ ଏବେ ଏକ ଭିନ୍ନ କାରଣ ପାଇଁ ଚର୍ଚ୍ଚାକୁ ଆସିଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜ ପୂର୍ବରୁ ଅକଲାଣ୍ଡରେ ଭାରତୀୟ ଦଳର ଅଭ୍ୟାସ ସମୟରେ ଗିଲଙ୍କ କପାଳରେ ଏକ ଛୋଟ ଡିଭାଇସ ଦେଖିବାକୁ ମିଳିଥିଲା। ଏହି ଡିଭାଇସ୍ ନାଁ ହେଉଛି ‘ଟେମ୍ପଲ’। ଏହା ସାଧାରଣ ଫିଟନେସ ଟ୍ରାକର୍ ନୁହେଁ, ବରଂ ମସ୍ତିଷ୍କ ସହ ଜଡ଼ିତ କିଛି ଶାରୀରିକ ସଙ୍କେତ ଉପରେ ନଜର ରଖିବାକୁ ଡିଜାଇନ କରାଯାଇଛି। ଗିଲ ଏହାକୁ କାହିଁକି ବ୍ୟବହାର କରୁଛନ୍ତି, ସେନେଇ କିଛି ସ୍ପଷ୍ଟ କରିନାହାନ୍ତି। ତେବେ ଭାରତର ଦୁଇ ଜଣ ଷ୍ଟାର୍ ଆଥଲେଟଙ୍କ ନିକଟରେ ଏହି ଡିଭାଇସ ଦେଖାଯିବା ପରେ ଏହାକୁ ନେଇ ଚର୍ଚ୍ଚା ବଢ଼ିଛି।
‘ଟେମ୍ପଲ’ ଡିଭାଇସ ଜୋମାଟୋର ସହ-ପ୍ରତିଷ୍ଠାତା ଦୀପିନ୍ଦର ଗୋୟଲଙ୍କ ସହ ଜଡ଼ିତ ଏକ ଟିମ ଦ୍ୱାରା ବିକଶିତ କରାଯାଇଛି। ଏହାକୁ ମୁଣ୍ଡର କପାଳ ପାଖରେ, କାନର ଉପରିଭାଗ ନିକଟରେ ଲଗାଯାଏ। ଏହାର ମୁଖ୍ୟ କାମ ହେଉଛି ମସ୍ତିଷ୍କକୁ ରକ୍ତ ପ୍ରବାହ (Cerebral Blood Flow) ଏବଂ ମସ୍ତିଷ୍କର କାର୍ଯ୍ୟ ସହ ଜଡ଼ିତ କିଛି ଶାରୀରିକ ସଙ୍କେତ ଉପରେ ନଜର ରଖିବା।
ସାଧାରଣ ସ୍ମାର୍ଟୱାଚ ଓ ଫିଟନେସ ବ୍ୟାଣ୍ଡ ମୁଖ୍ୟତଃ ହୃଦ୍ସ୍ପନ୍ଦନ, ଶାରୀରିକ ଗତିବିଧି ଓ ନିଦ ଉପରେ ନଜର ରଖିଥାଏ। କିନ୍ତୁ ଟେମ୍ପଲ ଡିଭାଇସ ମାଧ୍ୟମରେ ମାନସିକ ଚାପ, ଏକାଗ୍ରତା ଏବଂ ଶରୀରର ପ୍ରତିକ୍ରିୟା ସମ୍ପର୍କରେ ଅତିରିକ୍ତ ତଥ୍ୟ ମିଳିବାର ଲକ୍ଷ୍ୟ ରଖାଯାଇଛି।
ଏହି ଡିଭାଇସ ‘ବ୍ରେନ୍ଫ୍ଲୋ’ (Brainflow) ନାମକ ଟେକ୍ନୋଲୋଜି ବ୍ୟବହାର କରେ। ଏଥିରେ ଥିବା ଅପ୍ଟିକାଲ ସେନ୍ସର ମାଧ୍ୟମରେ ମସ୍ତିଷ୍କକୁ ରକ୍ତ ପ୍ରବାହରେ ହେଉଥିବା ପରିବର୍ତ୍ତନକୁ ଟ୍ରାକ କରାଯାଏ। ଏହା ସହ ଅମ୍ଳଜାନ ସ୍ତର ଏବଂ ମାନସିକ କାର୍ଯ୍ୟଭାର (Cognitive Load) ସହ ଜଡ଼ିତ ସଙ୍କେତ ବିଷୟରେ ମଧ୍ୟ ତଥ୍ୟ ଦେବା ଏହାର ଉଦ୍ଦେଶ୍ୟ। ଏହାର ଏଣ୍ଟ୍ରପି ସ୍କୋର ଶରୀରର ଚାପ ସମ୍ପର୍କରେ ସୂଚନା ଦିଏ। ବ୍ୟାୟାମ, ନିଦ ଏବଂ ମାନସିକ ଚାପ ଭଳି କାରଣ ଏହି ସ୍କୋରକୁ ପ୍ରଭାବିତ କରିପାରେ। ତେବେ ଏହି ଡିଭାଇସକୁ ମେଡିକାଲ ଡାଏଗ୍ନୋସିସ ବା ରୋଗ ନିରୂପଣ ପାଇଁ ନୁହେଁ, ବରଂ ୱେଲନେସ ଓ ଗବେଷଣା ଉଦ୍ଦେଶ୍ୟରେ ବିକଶିତ କରାଯାଇଛି।
କେବଳ ଗିଲ ନୁହନ୍ତି, ଭାରତର ଷ୍ଟାର୍ ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁ ମଧ୍ୟ ଏହି ଡିଭାଇସ ବ୍ୟବହାର କରିସାରିଛନ୍ତି। ଗତ ଏପ୍ରିଲ ମାସରେ ଥୋମାସ ଓ ଉବର କପ ସମୟରେ ସିନ୍ଧୁଙ୍କୁ ଏହା ପିନ୍ଧିଥିବା ଦେଖାଯାଇଥିଲା। ଏହାପରେ ବିଡବ୍ଲ୍ୟୁଏଫ ବିଶ୍ୱ ଚାମ୍ପିୟନସିପ୍ରେ ମଧ୍ୟ ତାଙ୍କୁ ଏହି ଡିଭାଇସ ସହ ଦେଖିବାକୁ ମିଳିଥିଲା। ଏହି ଡିଭାଇସ୍ର ସମ୍ଭାବ୍ୟ ବ୍ୟବହାର ଓ ଉପଯୋଗିତା ପରୀକ୍ଷା କରୁଛନ୍ତି ସିନ୍ଧୁ। ଉଚ୍ଚସ୍ତରୀୟ ଖେଳାଳିଙ୍କ ପାଇଁ ଅଭ୍ୟାସ ସହିତ ଶରୀରର ରିକଭରି ଓ ମାନସିକ ପ୍ରସ୍ତୁତି ମଧ୍ୟ ବେଶ ଗୁରୁତ୍ୱପୂର୍ଣ୍ଣ। ଏଭଳି ଡିଭାଇସ ମାନସିକ ଚାପ ଓ ଏକାଗ୍ରତା ସମ୍ପର୍କରେ ଅତିରିକ୍ତ ତଥ୍ୟ ଦେଇପାରେ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।