ସର୍ଦ୍ଦାର ପଟେଲଙ୍କ ଜୟନ୍ତୀରେ ଗୁଡ଼ାରି ପୋଲିସର ‘ରନ୍ ଫର୍ ୟୁନିଟି’: ଦେଶପ୍ରେମ-ଏକତାର ସଂକଳ୍ପ

Oct 31, 2026 - 11:09
ସର୍ଦ୍ଦାର ପଟେଲଙ୍କ ଜୟନ୍ତୀରେ ଗୁଡ଼ାରି ପୋଲିସର ‘ରନ୍ ଫର୍ ୟୁନିଟି’: ଦେଶପ୍ରେମ-ଏକତାର ସଂକଳ୍ପ

ଗୁଡ଼ାରି, ୩୧।୧୦(ପ୍ରମୋଦ କୁମାର ପତି): ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ପବିତ୍ର ଜନ୍ମଜୟନ୍ତୀ ତଥା ଜାତୀୟ ଏକତା ଦିବସ ଅବସରରେ ଗୁଡ଼ାରି ପୋଲିସ ପକ୍ଷରୁ ଏକ ‘ରନ୍ ଫର୍ ୟୁନିଟି’ (ଏକତା ପାଇଁ ଦୌଡ଼) କାର୍ଯ୍ୟକ୍ରମ ସଫଳତାର ସହ ଆୟୋଜିତ ହୋଇଯାଇଛି। ଦେଶର ଏକତା, ଅଖଣ୍ଡତା ଏବଂ ଭାଇଚାରାର ବାର୍ତ୍ତା ପ୍ରସାର ସହ ଜନସାଧାରଣଙ୍କ ମଧ୍ୟରେ ଦେଶପ୍ରେମ ଓ ସାମାଜିକ ସଦ୍‌ଭାବନା ଜାଗ୍ରତ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା।

ଏହି ଅବସରରେ ଗୁଡ଼ାରି ଥାନା ପରିସରରୁ ଏକ ମିନି ମାରାଥନ୍‌ ବାହାରି ନିର୍ମାଣଧୀନ ନୂତନ ହସ୍ପିଟାଲ ପର୍ଯ୍ୟନ୍ତ ଯାଇ ପୁନର୍ବାର ଥାନାକୁ ଫେରିଥିଲା। ଥାନା ଅଧିକାରୀ ବିଶ୍ୱ ବନ୍ଦିନୀ ବାଗଙ୍କ ସଫଳ ନେତୃତ୍ୱରେ ଅନୁଷ୍ଠିତ ଏହି ଦୌଡ଼ରେ ଥାନାର ପୋଲିସ କର୍ମଚାରୀ, ହୋମଗାର୍ଡ, ଏକ୍ସ-ଆର୍ମି, ଗଣମାଧ୍ୟମ ପ୍ରତିନିଧି, ବ୍ୟବସାୟୀ ଏବଂ ସ୍ଥାନୀୟ ସାଧାରଣ ଜନତା ଉତ୍ସାହର ସହ ଯୋଗଦେଇ ଏକତାର ବାର୍ତ୍ତା ପ୍ରଚାର କରିଥିଲେ।

କାର୍ଯ୍ୟକ୍ରମ ଶେଷରେ ଥାନା ଅଧିକାରୀ ନିଜସ୍ୱ ବକ୍ତବ୍ୟ ରଖି ସମାଜରେ ଏକତା ଓ ସଦ୍‌ଭାବନାର ମହତ୍ତ୍ୱ ସମ୍ପର୍କରେ ଆଲୋକପାତ କରିବା ସହ କାର୍ଯ୍ୟକ୍ରମର ସମାପ୍ତି ଘୋଷଣା କରିଥିଲେ।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।