ହାତୀନଦୀରେ ବଡ଼ ବନ୍ୟା, ଶହଶହ ଏକର ଚାଷ ଜମି ଜଳମଗ୍ନ
ଭବାନୀପାଟଣା,୨୫।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଗତ ୩ ଦିନ ଧରି ଲଗାଣ ବର୍ଷା ଏବଂ ଇନ୍ଦ୍ରାବତୀ ମଙ୍ଗଳପୁର ବ୍ୟାରେଜରୁ ୪ଟି ଗେଟ ଖୋଲାଯିବା ପରେ ଶୁକ୍ରବାର ସକାଳୁ ହାତୀ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ୪ ଗେଟ୍ ଦେଇ ବର୍ତ୍ତମାନ ୫୫୦ କୁମେକ୍ସ ବନ୍ୟାଜଳ ହାତୀନଦୀକୁ ପ୍ରବେଶ କରୁଛି। ହାତୀନଦୀରେ ବନ୍ୟା ଆସିବା ଯୋଗୁ ତଳମୁଣ୍ଡରେ ଥିବା ଜୁନାଗଡ଼ ଓ କଲମପୁର ବ୍ଳକର ବିଭିନ୍ନ ଗାଁର ବନ୍ୟା ଜଳ ପଶି ଶତାଧିକ ଏକର ଚାଷ ଜମି ଜଳ ମଗ୍ନ ହୋଇଯାଇଛି।
ଗତ ଅଗଷ୍ଟ ୨୪ରେ ମଧ୍ୟ ହାତୀ ନଦୀରେ ବନ୍ୟା ଆସିଥିଲା। ଏହି ସମୟରେ ନଦୀ ତଟବର୍ତ୍ତୀ ଗାଁଗୁଡିକର ଶତାଧିକ ଏକର ଚାଷ ଜମି ଜଳମଗ୍ନ ହୋଇଯାଇଥିଲ। ଫଳରେ ବ୍ୟାପକ ଭାବେ ଧାନ ଫସଲ ନଷ୍ଟ ହୋଇଥିଲା। ଚାଷୀମାନେ ଧାରକରଜ କରି ପୁଣି ଥରେ ଜମିରେ ଧାନରୋଇ ଥିବାବେଳେ ବନ୍ୟା ପାଣି ପୁଣି ଚାଷ ଜମିରେ ମାଡ଼ି ଯାଇଛି। ଯାହାକୁ ନେଇ ଚାଷୀ ଏବେ ଚିନ୍ତାରେ ପଡିଛନ୍ତି।
ବର୍ତ୍ତମାନ ମଧ୍ୟ କଳାହାଣ୍ଡି ଜିଲାରେ ପ୍ରବଳ ବର୍ଷା ଜାରି ରହିଛି। ଏଥିଯୋଗୁ ହାତୀ ନଦୀର ଜଳସ୍ତର ବୃଦ୍ଧି ପାଉଥିବାରୁ ନଦୀକୂଳିଆ ଗ୍ରାମବାସୀ ଭୟଭୀତ ହୋଇପଡିଛନ୍ତି। ଚଳିତ ବର୍ଷର ଏହା ସବୁଠୁ ବଡ଼ ବନ୍ୟା ବୋଲି ଆକଳନ କରାଯାଉଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।