ହେବକି ବାତ୍ୟା?, ଆଣ୍ଡାମାନ ସାଗରକୁ ପ୍ରବେଶ କଲା ଘୂର୍ଣ୍ଣିବଳୟ, ଏହି ସ୍ଥାନରେ ଲ୍ୟାଣ୍ଡଫଲ….
ଭୁବନେଶ୍ବର,୨୧ା୧୦: ବାତ୍ୟା ଆଶଙ୍କା ଭିତରେ ଉତ୍ତର ଆଣ୍ଡାମାନ ସାଗରକୁ ପ୍ରବେଶ କଲା ଘୂର୍ଣ୍ଣିବଳୟ । ଥାଇଲାଣ୍ଡ ଉପସାଗର ସଂଲଗ୍ନ ମିଆଁମାର ଉପରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ୨୩ ତାରିଖରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ତେବେ ଏହା ଉତ୍ତର-ପଶ୍ଚିମ ଦିଗକୁ ଗତି କରି ଅଧିକ ଘନୀଭୂତ ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ଏହା ଉତ୍ତର ପଶ୍ଚିମ ଦିଗକୁ ଗତି କରିବା ସହ ପରବର୍ତ୍ତୀ ୩ ଦିନ ମଧ୍ୟରେ ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଅକ୍ଟୋବର ୨୬ରୁ ୨୯ ମଧ୍ୟରେ ଉପକୂଳ ଓଡ଼ିଶାରେ ବର୍ଷାର ପରିମାଣ ବଢ଼ିବ।
ତେବେ ଅକ୍ଟୋବର ମାସରେ ବାତ୍ୟା ନେଇ ଆଶଙ୍କା ପ୍ରକାଶ ପାଇଥିବା ନେଇ ଲୋକଙ୍କ ମଧ୍ୟରେ ଏବେଠୁ ଛନକା ପଶିଛି । ଏହା ଆନ୍ଧ୍ରପ୍ରଦେଶ ଉପକୂଳ ମୁହାଁ ହୋଇପାରେ ବୋଲି କିଛି ବିଦେଶୀ ପାଣିପାଗ ମଡେଲ ଆକଳନ କରିଛନ୍ତି। କିନ୍ତୁ ଏନେଇ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିନାହିଁ । ୟୁରୋପିଆନ ମଡେଲ କହିଛି ସମ୍ଭାବ୍ୟ ବାତ୍ୟା ୨୭ ବେଳକୁ ଉପକୂଳ ନିକଟବର୍ତ୍ତି ହୋଇପାରେ, ୨୮ରେ ଉପକୂଳକୁ ଛୁଇଁପାରେ। ତେବେ ଏହା କେଉଁ ଅଂଚଳରେ ଏବଂ କେବେ ସ୍ଥଳଭାଗ ଅତିକ୍ରମ କରିବ ତାହା ସ୍ପଷ୍ଟ କରାଯାଇନି। ତେବେ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ପକ୍ଷରୁ ଏଯାଏଁ ବାତ୍ୟା ସମ୍ପର୍କିତ କୌଣସି ଆକଳନ କରାଯାଇନାହିଁ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।