୪ ଲକ୍ଷ ବର୍ଷ ପୁରୁଣା ଡିଏନଏରୁ ପର୍ଦ୍ଦାଫାଶ, ମିଳିଲା ବରଫ ଯୁଗୀୟ ପ୍ରାଣୀର ଜୀବାଶ୍ମ
ମସ୍କୋ/ୱାଶିଂଟନ,୨୩ା୧୦(ରଏଟର୍ସ): ରୁଷିଆର ଦକ୍ଷିଣ ସାଇବେରିଆସ୍ଥିତ ବିଶ୍ୱପ୍ରସିଦ୍ଧ ଅଲ୍ତାଇ ପାର୍ବତ୍ୟାଞ୍ଚଳର ‘ଡେନିସୋଭା ଗୁମ୍ଫା’ରୁ ବରଫ ଯୁଗର ଏକ ବିଶାଳକାୟ ସ୍ତନ୍ୟପାୟୀ ପ୍ରାଣୀର ଜୀବାଶ୍ମ ମିଳିଛି। ଡିଏନ୍ଏ ପରୀକ୍ଷାରୁ ଏହା ଆଜିର ‘ଚମରୀ ଗାଈ’ (ୟାକ୍) ର ଏକ ସମ୍ପୂର୍ଣ୍ଣ ସ୍ବତନ୍ତ୍ର ଓ ବିଲୁପ୍ତ ପ୍ରଜାତି ବୋଲି ଜଣାପଡ଼ିଛି। ବିଜ୍ଞାନ ଜଗତରେ ଏହାକୁ ସାମୟିକ ଭାବେ ‘ୟାକ୍ X’ ନାମ ଦିଆଯାଇଛି। ‘କରେଣ୍ଟ ବାୟୋଲୋଜି’ ପତ୍ରିକାରେ ପ୍ରକାଶିତ ଗବେଷଣା ଅନୁଯାୟୀ, ଗବେଷକମାନେ ଡେନିସୋଭା ଗୁମ୍ଫାରୁ ୧୪ଟି ଏବଂ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରୁ ୬ଟିକୁ ମିଶାଇ ମୋଟ ୨୦ଟି ଅସ୍ଥିଖଣ୍ଡର ପ୍ରାଚୀନ ଜିନୋମ୍ ପରୀକ୍ଷା କରିଥିଲେ। ସବୁଠାରୁ ପ୍ରାଚୀନ ନମୁନାଟି ପ୍ରାୟ ୨ ଲକ୍ଷରୁ ୨.୫ ଲକ୍ଷ ବର୍ଷ ପୁରୁଣା ହୋଇଥିବା ବେଳେ ସବୁଠାରୁ ନୂତନ ନମୁନାଟି ୨୭,୦୦୦ ବର୍ଷ ପୂର୍ବର।
ଜିନେଟିକ୍ ତଥ୍ୟରୁ ଜଣାପଡ଼ିଛି ଯେ, ଆଜିର ଚମରୀ ଗାଈର ପୂର୍ବପୁରୁଷଙ୍କଠାରୁ ‘ୟାକ୍ X’ର ବିବର୍ତ୍ତନ ଧାରା ପ୍ରାୟ ୪ ଲକ୍ଷ ବର୍ଷ ପୂର୍ବେ ପୃଥକ୍ ହୋଇଯାଇଥିଲା। ଏହି ଜୀବଗୁଡ଼ିକ ଉଲି ମାମୋଥ, ଉଲି ଗଣ୍ଡା, ଷ୍ଟେପ ବାଇସନ ଏବଂ ଗୁମ୍ଫା ହାଇନା ଭଳି ହିଂସ୍ର ପ୍ରାଣୀଙ୍କ ସହ ସାଇବେରିଆର ବୃହତ୍ ତୃଣଭୂମିରେ ବାସ କରୁଥିଲେ। ଏହାର ରୂପରେଖ ବର୍ତ୍ତମାନର ବିଶାଳକାୟ ଚମରୀ ଗାଈ ଭଳି ଲମ୍ବା ବାଳ, ଶିଙ୍ଘ ଓ କାନ୍ଧରେ କୁଜ ଥିଲା, ଯାହାର ଓଜନ ପ୍ରାୟ ୧ ଟନ (୧୦୦୦ କି.ଗ୍ରା.) ପର୍ଯ୍ୟନ୍ତ ହୋଇଥାଏ। ପ୍ରାୟ ୧.୨୦ ଲକ୍ଷ ବର୍ଷ ପୂର୍ବେ ପୃଥିବୀର ତାପମାତ୍ରା ବୃଦ୍ଧି ଯୋଗୁ ଏମାନଙ୍କ ସଂଖ୍ୟା ହ୍ରାସ ପାଇଥିଲା ଏବଂ ୨୭,୦୦୦ ବର୍ଷ ପୂର୍ବେ ଏମାନେ ସମ୍ପୂର୍ଣ୍ଣ ବିଲୁପ୍ତ ହୋଇଯାଇଥିଲେ।
୨୦୦୮ ମସିହାରେ ଏହି ଗୁମ୍ଫାରୁ ହୋମୋ ସାପିଏନ୍ସ (ମଣିଷ) ଓ ନିଆଣ୍ଡରଥାଲ୍ଙ୍କ ସମସାମୟିକ ବିଲୁପ୍ତ ମାନବ ପ୍ରଜାତି ‘ଡେନିସୋଭାନ’ଙ୍କ ଅଙ୍ଗୁଳି ଅସ୍ଥି ମିଳିଥିଲା। ଗବେଷକ ଲଭ ଡାଲେନ୍ଙ୍କ କହିବାନୁଯାୟୀ, ଶିକାରୀ ଓ ସଂଗ୍ରହ କରି ଜୀବନଯାପନ କରୁଥିବା ଡେନିସୋଭାନ ମାନବମାନେ ଏହି ବିଶାଳ ‘ୟାକ X’କୁ ଶିକାରକରି ନିଜର ଆହାର ଭାବେ ବ୍ୟବହାର କରୁଥିବାର ବଳିଷ୍ଠ ସମ୍ଭାବନା ରହିଛି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।