୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

Oct 04, 2026 - 21:55
୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ ଆଫ୍ରିକା ଚାମ୍ପିୟନ୍ସର ପ୍ରଥମ ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଏବି ଡିଭିଲିୟର୍ସ ମାତ୍ର ୩୯ ବଲ୍‌ରେ ୭୦ ରନ୍‌ କରିଛନ୍ତି । ତାଙ୍କ ଷ୍ଟ୍ରାଇକ୍‌ ରେଟ୍‌ ଥିଲା ପ୍ରାୟ ୧୮୦।

ଶାରଜାହ କ୍ରିକେଟ୍‌ ଷ୍ଟାଡିୟମ୍‌ରେ ଟସ୍‌ ଜିତି ଡିଭିଲିୟର୍ସ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ । ଫାଫ୍‌ ଡୁ ପ୍ଲେସିସ୍‌ ୧୪ ରନ୍‌ କରି ଆଉଟ୍‌ ହେବା ପରେ ରିଚାର୍ଡ ଲେଭିଙ୍କ ସହ ମିଶି ଡିଭିଲିୟର୍ସ ଦ୍ୱିତୀୟ ୱିକେଟ୍‌ ପାଇଁ ୧୦୪ ରନ୍‌ର ଶତକୀୟ ଭାଗୀଦାରି ଗଢ଼ିଥିଲେ। ରିଚାର୍ଡ ଲେଭି ମଧ୍ୟ ଧୂଆଁଧାର ବ୍ୟାଟିଂ କରି ୩୯ ବଲ୍‌ରେ ୮୭ ରନ୍‌ କରିଥିଲେ। ତାଙ୍କ ଇନିଂସ୍‌ରେ ୮ଟି ଛକା ଓ ୫ଟି ଚୌକା ସାମିଲ ଥିଲା।

ଡିଭିଲିୟର୍ସ ୩୯ ବଲ୍‌ରେ ୭୦ ରନ୍‌ କରିବା ସହ ୫ଟି ଛକା ଓ ୪ଟି ଚୌକା ମାରିଥିଲେ । ତାଙ୍କ ଏହି ଆକ୍ରମଣାତ୍ମକ ବ୍ୟାଟିଂ ଯୋଗୁଁ ଦକ୍ଷିଣ ଆଫ୍ରିକା ୱେଷ୍ଟଇଣ୍ଡିଜ୍‌ ସାମ୍ନାରେ ୨୪୩ ରନ୍‌ର ବିଜୟ ଲକ୍ଷ୍ୟ ରଖିଥିଲା। ୱେଷ୍ଟଇଣ୍ଡିଜ୍‌ ପକ୍ଷରୁ ସୁଲେମାନ ବେନ୍‌ ସବୁଠାରୁ ମହଙ୍ଗା ବୋଲର୍‌ ସାବ୍ୟସ୍ତ ହୋଇଥିଲେ। ସେ ୪ ଓଭରରେ ୫୩ ରନ୍‌ କରିଥିଲେ। ଫିଡେଲ୍‌ ଏଡୱାର୍ଡସ୍‌ ୪ ଓଭରରେ ୪୩ ରନ୍‌ ଦେଇ ଗୋଟିଏ ୱିକେଟ୍‌ ନେଇଥିବା ବେଳେ ଡ୍ୱେନ୍‌ ବ୍ରାଭୋ ୩ ଓଭରରେ ୩୦ ରନ୍‌ ଦେଇ ଗୋଟିଏ ୱିକେଟ୍‌ ନେଇଥିଲେ। ବ୍ରାଭୋ ହିଁ ଏକ ଚମତ୍କାର କ୍ୟାଚ୍‌ ଧରି ଡିଭିଲିୟର୍ସଙ୍କ ଇନିଂସ୍‌ର ଅନ୍ତ ଘଟାଇଥିଲେ।

୨୪୩ ରନ୍‌ର ବିଜୟ ଲକ୍ଷ୍ୟ ପିଛା କରି ୱେଷ୍ଟଇଣ୍ଡିଜ୍‌ର ଆରମ୍ଭ ଭଲ ହୋଇନଥିଲା। ମାତ୍ର ୫୨ ରନ୍‌ରେ ଦଳ ୩ଟି ୱିକେଟ୍‌ ହରାଇଥିଲା। ଗୋଟିଏ ପଟେ ନିୟମିତ ୱିକେଟ୍‌ ପଡ଼ୁଥିବା ବେଳେ ଅନ୍ୟପଟେ ଅଧିନାୟକ କ୍ରିସ୍‌ ଗେଲ୍‌ ଚୌକା-ଛକା ବର୍ଷା କରିଥିଲେ। ଗେଲ୍‌ ମାତ୍ର ୩୧ ବଲ୍‌ରେ ୬୦ ରନ୍‌ କରିଥିଲେ। ତାଙ୍କ ଇନିଂସ୍‌ରେ ୫ଟି ଛକା ଓ ୪ଟି ଚୌକା ଥିଲା। ତେବେ ଏରୋନ୍‌ ଫଙ୍ଗିସୋ ତାଙ୍କୁ LBW ଆଉଟ୍‌ କରିବା ପରେ ୱେଷ୍ଟଇଣ୍ଡିଜ୍‌ ୪ ୱିକେଟ୍‌ ହରାଇ ୮୧ ରନ୍‌ରେ ପହଞ୍ଚିଥିଲା।

 

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।