୮ମ ବେତନ କମିଶନକୁ ନେଇ ଆସିଲା ବଡ଼ ଖବର: ଏମାନଙ୍କୁ ମିଳିବ ୧.୫୨ ଲକ୍ଷ ଟଙ୍କା…
ନୂଆଦିଲ୍ଲୀ,୨୫।୯: ୮ମ ବେତନ କମିଶନକୁ ନେଇ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମଧ୍ୟରେ ଉତ୍ସୁକତା ବଢ଼ିଛି। ନୂଆ ବେତନ ବ୍ୟବସ୍ଥା ଲାଗୁ ହେଲେ ଦରମା କେତେ ବଢ଼ିବ, ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହାରି ମଧ୍ୟରେ ଏକ ଆକଳନ ଅନୁସାରେ, ଲେଭଲ-୮ କର୍ମଚାରୀଙ୍କ ଗ୍ରସ ସାଲାରି ମାସକୁ ପ୍ରାୟ ୧.୫୧ରୁ ୧.୫୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ହୋଇପାରେ।
ତେବେ ୧.୫୨ ଲକ୍ଷ ଟଙ୍କା ଦରମା ନିଶ୍ଚିତ ଭାବେ ହେବ ବୋଲି କୁହାଯାଇପାରିବ ନାହିଁ। କାରଣ ୮ମ ବେତନ କମିଶନ ଏପର୍ଯ୍ୟନ୍ତ ଫିଟମେଣ୍ଟ ଫ୍ୟାକ୍ଟର କିମ୍ବା ନୂଆ ଦରମା ନିର୍ଦ୍ଧାରଣର ଫର୍ମୁଲା ଚୂଡ଼ାନ୍ତ କରିନାହିଁ।
ଏକ ଆକଳନ ଅନୁସାରେ, ଯଦି ୮ମ ବେତନ କମିଶନରେ ୨.୫୭ ଫିଟମେଣ୍ଟ ଫ୍ୟାକ୍ଟର ଲାଗୁ ହୁଏ ଏବଂ ସେହି ସମୟରେ ମହଙ୍ଗା ଭତ୍ତା (DA) ପ୍ରାୟ ୬୬ ପ୍ରତିଶତରେ ପହଞ୍ଚେ, ତେବେ ଲେଭଲ-୮ କର୍ମଚାରୀଙ୍କ ଗ୍ରସ ସାଲାରି ମାସକୁ ୧.୫୧ରୁ ୧.୫୨ ଲକ୍ଷ ଟଙ୍କା ମଧ୍ୟରେ ହୋଇପାରେ।
ତେବେ ଏହା ଏକ ଅନୁମାନିତ ହିସାବ। ପ୍ରକୃତ ଦରମା ଫିଟମେଣ୍ଟ ଫ୍ୟାକ୍ଟର, DA, ହାଉସ ରେଣ୍ଟ ଆଲାଉନ୍ସ (HRA) ଏବଂ ଟ୍ରାନ୍ସପୋର୍ଟ ଆଲାଉନ୍ସ ଭଳି ବିଭିନ୍ନ ଉପାଦାନ ଉପରେ ନିର୍ଭର କରିବ।
ଫିଟମେଣ୍ଟ ଫ୍ୟାକ୍ଟର ମାଧ୍ୟମରେ ପୁରୁଣା ବେସିକ ପେ’କୁ ନୂଆ ବେସିକ ପେ’ରେ ପରିଣତ କରାଯାଏ। ୭ମ ବେତନ କମିଶନରେ ୨.୫୭ ଫିଟମେଣ୍ଟ ଫ୍ୟାକ୍ଟର ଲାଗୁ ହୋଇଥିଲା। ଏହା ଅନୁସାରେ ପୁରୁଣା ବେସିକ ସାଲାରିକୁ ୨.୫୭ ସହ ଗୁଣନ କରି ନୂଆ ବେସିକ ଦରମା ନିର୍ଦ୍ଧାରଣ କରାଯାଇଥିଲା। ତେବେ ୮ମ ବେତନ କମିଶନରେ ଫିଟମେଣ୍ଟ ଫ୍ୟାକ୍ଟର କେତେ ରହିବ, ତାହା ଏପର୍ଯ୍ୟନ୍ତ ଚୂଡ଼ାନ୍ତ ହୋଇନାହିଁ।
ଅନେକଙ୍କ ଧାରଣା ରହିଛି ଯେ ବେସିକ ସାଲାରି ୨.୫୭ ଗୁଣ ବଢ଼ିଲେ ସମ୍ପୂର୍ଣ୍ଣ ଦରମା ମଧ୍ୟ ସେହି ଅନୁପାତରେ ବଢ଼ିବ। କିନ୍ତୁ ଏହା ଠିକ ନୁହେଁ। ଗ୍ରସ ସାଲାରିରେ ବେସିକ ପେ’ ସହ DA, HRA ଏବଂ ଟ୍ରାନ୍ସପୋର୍ଟ ଆଲାଉନ୍ସ ଭଳି ଅନ୍ୟ ଭତ୍ତା ମଧ୍ୟ ସାମିଲ ହୋଇଥାଏ। ସେଥିପାଇଁ ଫିଟମେଣ୍ଟ ଫ୍ୟାକ୍ଟର ବଢ଼ିବା ଓ ଗ୍ରସ ସାଲାରି ସେହି ଅନୁପାତରେ ବଢ଼ିବା ଏକା କଥା ନୁହେଁ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।