IPL 2027 ପୂର୍ବରୁ CSKର ବଡ଼ ଘୋଷଣା: ନୂଆ ହେଡ କୋଚ ହେଲେ…
ଚେନ୍ନାଇ,୨୧।୯: ଇଣ୍ଡିଆନ ପ୍ରିମିୟର ଲିଗ (IPL) 2027 ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସ (CSK) ଏକ ବଡ଼ ଘୋଷଣା କରିଛି। ଭାରତର ପୂର୍ବତନ ତାରକା ଦ୍ରୁତ ବୋଲର୍ ଜହୀର ଖାନଙ୍କୁ ଦଳର ନୂଆ ହେଡ କୋଚ ଭାବେ ନିଯୁକ୍ତ କରିଛି CSK। ଜହୀର ଏବେ ଷ୍ଟିଫେନ ଫ୍ଲେମିଙ୍ଗଙ୍କ ସ୍ଥାନ ନେବେ।
ଷ୍ଟିଫେନ ଫ୍ଲେମିଙ୍ଗ ୨୦୦୯ରୁ ୨୦୨୬ପର୍ଯ୍ୟନ୍ତ ପ୍ରାୟ ୧୮ ବର୍ଷ ଧରି CSKର ହେଡ କୋଚ ଦାୟିତ୍ୱରେ ଥିଲେ। ତାଙ୍କ ନେତୃତ୍ୱରେ ଦଳ ଆଇପିଏଲରେ ଦୀର୍ଘ ସମୟ ଧରି ସଫଳତା ପାଇଥିଲା। ଫ୍ଲେମିଙ୍ଗ ଏବେ ଇଂଲଣ୍ଡ ପୁରୁଷ ଟେଷ୍ଟ ଦଳର ହେଡ କୋଚ ଭାବେ ନୂଆ ଦାୟିତ୍ୱ ନେଇଛନ୍ତି।
୨୦୧୭ରେ ଖେଳାଳି ଭାବେ IPLରୁ ଅବସର ନେବା ପରେ ଜହୀର ଖାନ ବିଭିନ୍ନ ଭୂମିକାରେ କ୍ରିକେଟ ସହ ଜଡ଼ିତ ରହିଛନ୍ତି। ଖେଳାଳି ଭାବେ ସେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ, ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଖେଳିଛନ୍ତି।
ପରେ ମୁମ୍ବାଇ ଇଣ୍ଡିଆନ୍ସର ଡାଇରେକ୍ଟର ଅଫ କ୍ରିକେଟ ଅପରେସନ୍ସ ଓ ଗ୍ଲୋବାଲ ହେଡ ଅଫ କ୍ରିକେଟ ଡେଭଲପମେଣ୍ଟ ଭଳି ଦାୟିତ୍ୱ ମଧ୍ୟ ସମ୍ଭାଳିଥିଲେ। ଲକ୍ଷ୍ନୌ ସୁପର ଜାଏଣ୍ଟସ ସହ ମଧ୍ୟ ସେ ମେଣ୍ଟର ଭାବେ କାମ କରିଛନ୍ତି।
ଜହୀର ଖାନଙ୍କ ନିଯୁକ୍ତି ସହ CSK ପାଇଁ ଏକ ନୂଆ ଯୁଗ ଆରମ୍ଭ ହୋଇଛି। ଆଗାମୀ IPL ସିଜିନରେ ଦଳକୁ ନେଇ ଜହୀରଙ୍କ ରଣନୀତି ଉପରେ ସମସ୍ତଙ୍କ ନଜର ରହିବ। CSK ଏପର୍ଯ୍ୟନ୍ତ ୫ ଥର IPL ଟାଇଟଲ ଜିତିଛି ଏବଂ ନୂଆ ହେଡ କୋଚଙ୍କ ନେତୃତ୍ୱରେ ଦଳର ଲକ୍ଷ୍ୟ ରହିବ ଆଉ ଏକ ଟ୍ରଫି ହାସଲ କରିବା।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।