LPG New Connection: ମିଳୁନି ନୂଆ ଗ୍ୟାସ କନେକ୍ସନ; ଆସିଲା ବଡ଼ ଅପଡେଟ୍, ଏମିତି କରିପାରିବେ ବୁକିଂ…
ନୂଆଦିଲ୍ଲୀ,୯।୧୦: ଆମେରିକା ଓ ଇରାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ୨୦୨୬ ମସିହାର ପ୍ରଥମ ତ୍ରୈମାସିକରେ ତୈଳ ବିପଣନ କମ୍ପାନୀଗୁଡ଼ିକ (OMCs) ଏକ ବଡ଼ ନିଷ୍ପତ୍ତି ନେଇ ଏଲପିଜି (LPG) ଗ୍ୟାସ ସିଲିଣ୍ଡରର ନୂଆ କନେକ୍ସନ ଉପରେ ରୋକ ଲଗାଇ ଦେଇଛନ୍ତି। ଉଭୟ ଦେଶ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବାର ପ୍ରାୟ ୭ ମାସ ବିତିଯାଇଛି, ତଥାପି ହରମୁଜ ପ୍ରଣାଳୀ (Strait of Hormuz) ଦେଇ ଶକ୍ତି ଯୋଗାଣକୁ ନେଇ ଅନିଶ୍ଚିତତା ଲାଗି ରହିଛି।
ସ୍ଥିତି ଏପରି ହୋଇଛି ଯେ, ଦେଶର ବହୁ ସଂଖ୍ୟକ ଲୋକ ଏବେ ୧୪.୨ କିଲୋଗ୍ରାମ ବିଶିଷ୍ଟ ଘରୋଇ ଗ୍ୟାସ ସିଲିଣ୍ଡର ପାଇଁ ଆବେଦନ କରିପାରୁ ନାହାନ୍ତି। ଏଭଳି ପରିସ୍ଥିତିରେ ପ୍ରଶ୍ନ ଉଠୁଛି ଯେ, ନୂଆ ଏଲପିଜି କନେକ୍ସନ ପାଇଁ ପୁଣି କେବେ ଆବେଦନ କରାଯାଇପାରିବ? ଏହି ସମୟରେ ରୋଷେଇ କରିବା ପାଇଁ ରୋଷେଇ ଘରେ ଆଉ କେଉଁ କେଉଁ ବିକଳ୍ପ ବାକି ରହିଛି?
କେବେଠାରୁ ଆରମ୍ଭ ହେବ ନୂଆ କନେକ୍ସନ?
ବର୍ତ୍ତମାନ ଲୋକମାନେ ନୂଆ ଏଲପିଜି କନେକ୍ସନ ଆରମ୍ଭ ହେବାକୁ ଉତ୍ସୁକତାର ସହିତ ଅପେକ୍ଷା କରିଛନ୍ତି। ତେବେ ଏହାକୁ ନେଇ ସରକାରଙ୍କ ତରଫରୁ ଏପର୍ଯ୍ୟନ୍ତ କୌଣସି ସରକାରୀ ସୂଚନା ଦିଆଯାଇ ନାହିଁ। କିନ୍ତୁ ଆପଣଙ୍କ ପାଖରେ ଏବେ ମଧ୍ୟ ଏପରି କିଛି ବିକଳ୍ପ ରହିଛି, ଯାହାଦ୍ୱାରା ଆପଣ ବେଶ ସହଜରେ ରୋଷେଇ କରିପାରିବେ। ଏଥିରେ ୫ କିଲୋଗ୍ରାମ ଏବଂ ୧୦ କିଲୋଗ୍ରାମର ଏଲପିଜି ସିଲିଣ୍ଡର ତଥା ପିଏନଜି (PNG) ସାମିଲ ରହିଛି।
୫ କିଲୋ ବିଶିଷ୍ଟ ‘ଛୋଟୁ’ ରୋଷେଇ ଗ୍ୟାସ ସିଲିଣ୍ଡର ବଜାରରେ ସହଜରେ ଉପଲବ୍ଧ। ଇଣ୍ଡେନ ଛୋଟୁ, ଭାରତ ଗ୍ୟାସ ମିନି କିମ୍ୱା ଏଚ୍ପି ଗ୍ୟାସ ଅପ୍ପୁ ନାମରେ ଆପଣ ଏହାକୁ ଯେକୌଣସି ଏଲପିଜି ବିତରକଙ୍କଠାରୁ କିଣିପାରିବେ। ଏଥିପାଇଁ ପରିଚୟ ପତ୍ର, ପ୍ୟାନ କାର୍ଡ଼ ବା ଜମା ରାଶି ଦେବାର ଆବଶ୍ୟକତା ପଡ଼େ ନାହିଁ। ଠିକଣା ପ୍ରମାଣପତ୍ର କିମ୍ୱା ଦୀର୍ଘ ଆବେଦନ ପ୍ରକ୍ରିୟା ପୂରଣ କରିବାର କୌଣସି ଝଞ୍ଜଟ ମଧ୍ୟ ନାହିଁ। ସବୁଠାରୁ ବଡ଼ କଥା ହେଉଛି, ୫ କିଲୋ ବିଶିଷ୍ଟ ଏହି ମୁକ୍ତ ବାଣିଜ୍ୟ ଏଲପିଜି (FTL) ସିଲିଣ୍ଡରକୁ ବର୍ଷକୁ ଯେତେ ଥର ଚାହିଁବେ ରିଫିଲ କରିହେବ ଏବଂ ରିଫିଲ କରିବାକୁ ୧୦ ମିନିଟରୁ ମଧ୍ୟ କମ ସମୟ ଲାଗିଥାଏ।
୧୦ କିଲୋର ସିଲିଣ୍ଡର
ସରକାରୀ ତୈଳ ବିପଣନ କମ୍ପାନୀଗୁଡ଼ିକ (OMCs) ସୱିଗି ଇନଷ୍ଟାମାର୍ଟ ଭଳି କ୍ୱିକ-ସର୍ଭିସ ପ୍ଲାଟଫର୍ମ ଜରିଆରେ ୧୦ କିଲୋ ବିଶିଷ୍ଟ ଗ୍ୟାସ ସିଲିଣ୍ଡରକୁ ମଧ୍ୟ ପ୍ରୋତ୍ସାହିତ କରିଛନ୍ତି। ଇଣ୍ଡିଆନ ଅଏଲ ‘Indane XTRALITE’ ଲଞ୍ଚ କରିଛି, ଯାହା ପାରମ୍ପରିକ ଲୁହା ସିଲିଣ୍ଡର ତୁଳନାରେ ୫୦% ପର୍ଯ୍ୟନ୍ତ ହାଲୁକା। ଏହାର ବଡି ସୱଚ୍ଛ (ଟ୍ରାନ୍ସପାରେଣ୍ଟ), କାରଣ ଏହା ଫାଇବରଗ୍ଲାସ କମ୍ପୋଜିଟ ସାମଗ୍ରୀ (HDPE)ରେ ତିଆରି ହୋଇଛି। ଇଣ୍ଡିଆନ ଅଏଲ୍ର ଏହି ୧୦ କିଲୋ କମ୍ପୋଜିଟ ସିଲିଣ୍ଡରର ନୂଆ କନେକ୍ସନର ପ୍ରାରମ୍ଭିକ ମୂଲ୍ୟ ୪,୮୫୩ ଟଙ୍କା ଏବଂ ରିଫିଲିଂ ପାଇଁ ୧,୬୬୭ ଟଙ୍କା ଖର୍ଚ୍ଚ ହେବ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।