ଶୌଚ ଯିବା ହେଲା କାଳ, ହାତୀ ହାବୁଡ଼ରେ ପଡ଼ି ଚାଲିଗଲା ଜୀବନ
କୁଚିଣ୍ଡା,୯।୧୦(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ବନ୍ୟପ୍ରାଣୀ ବନଖଣ୍ଡ କୁଚିଣ୍ଡା ରେଞ୍ଜ ଅଧୀନ କୁଚିଣ୍ଡା ଏନ୍ଏସି ୧୦ ନମ୍ବର ୱାର୍ଡ ସଇଡାରେ ଶୁକ୍ରବାର ଏକ ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଅଞ୍ଜଳି କୁସୁମ (୪୬)।
ସେ ଭୋର ପ୍ରାୟ ୫ଟା ସମୟରେ ନିକଟସ୍ଥ ନଦୀକୁ ଶୌଚ ପାଇଁ ଯାଇଥିଲେ। ହେଲେ ହଠାତ ସେ ୬ଟିକିଆ ହାତୀ ପଲ ସମ୍ମୁଖରେ ମୁହାଁମୁହିଁ ହୋଇଯାଇଥିଲେ।
ଏଥିରେ ହିଂସ୍ର ପରାୟଣ ହୋଇ କିଛି ହାତୀ ଅଞ୍ଜଳିଙ୍କୁ ଶୁଣ୍ଢରେ ଟେକି କଚାଡି ଦଳି ଦେଇଥିଲେ। ଫଳରେ ଘଟଣାସ୍ଥଳରେ ଅଞ୍ଜଳିଙ୍କ ମୃତ୍ୟୁ ଘଟିଥିଲା। ଖବର ପାଇ କୁଚିଣ୍ଡା ରେଞ୍ଜର ଲେଖାରାଣୀ ମହାନନ୍ଦଙ୍କ ସମେତ କୁଚିଣ୍ଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିଥିଲେ।
ପୋଲିସ ମହିଳାଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ସୂଚନାଯୋଗ୍ୟ, ହାତୀପଲ ଗୁରୁବାର ଦିନ ତମାମ କୁଚିଣ୍ଡା ସହରରେ ଥିଲେ। ରାତିରେ ସେମାନେ ପତ୍ରାପାଲି ଗ୍ରାମରେ ପଶି ୩ଟି ଘର ଭାଙ୍ଗି ପନିପରିବା ଫସଲ ନଷ୍ଟ କରି ଖଣ୍ଡୋକଟା ପଟକୁ ଯାଇଥିଲେ। ପରେ ହାତୀପଲ ହଠାତ୍ ଦିଗ ପରିବର୍ତ୍ତନ କରି ଭୋରରେ ସଇଡା ଅଞ୍ଚଳର ପଶିଥିଲେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।