ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଚିଠି

Oct 27, 2026 - 15:59
ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଚିଠି

ଭୁବନେଶ୍ୱର: କୋରାପୁଟ ଜିଲାର କୋଟିଆ ନେଇ ଦୀର୍ଘଦିନ ଧରି ଆନ୍ତଃରାଜ୍ୟ ସୀମା ବିବାଦ ଲାଗି ରହିଛି । ଏହି ପ୍ରସଙ୍ଗରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ସମ୍ବେଦନଶୀଳ ପ୍ରସଙ୍ଗର ସମାଧାନ ପାଇଁ ରାଜନୈତିକ ବୟାନବାଜି ପରିବର୍ତ୍ତେ ଗଠନମୂଳକ ଆଲୋଚନା ଓ ଆଇନଗତ ଭାବେ ଗ୍ରହଣୀୟ ପଦକ୍ଷେପ ଉପରେ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ଚିଠିରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ୧୯୩୬ ମସିହାରେ ଓଡ଼ିଶା ଗଠନ ପରଠାରୁ କୋଟିଆର ଗ୍ରାମଗୁଡ଼ିକ ରାଜ୍ୟର ଅବିଚ୍ଛେଦ୍ୟ ଅଙ୍ଗ ହୋଇ ରହିଆସିଛି । ରାଜ୍ୟ ସରକାର ଓଡ଼ିଶାର ଆଞ୍ଚଳିକ ଅଖଣ୍ଡତା ଓ ବୈଧ ସ୍ୱାର୍ଥର ସୁରକ୍ଷା ପାଇଁ ପ୍ରତିବଦ୍ଧ । ଏଥିସହ କୋଟିଆ ଓ ଏହାର ଆଖପାଖ ଅଞ୍ଚଳର ବିକାଶକୁ ସରକାର ପ୍ରାଥମିକତା ଦେଉଥିବା କହିଛନ୍ତି ମୋହନ ମାଝୀ। ଅଞ୍ଚଳବାସୀଙ୍କୁ ଉନ୍ନତ ଜୀବନଧାରଣ, ମୌଳିକ ସେବା ଯୋଗାଣ ଓ ସାମାଜିକ କଲ୍ୟାଣ ସୁନିଶ୍ଚିତ କରିବା ଲକ୍ଷ୍ୟରେ ବରିଷ୍ଠ ଅଧିକାରୀଙ୍କୁ ନେଇ ଏକ କମିଟି ଗଠନ କରାଯାଇଛି । କୋଟିଆ ଗ୍ରାମପଞ୍ଚାୟତ ଅଞ୍ଚଳର ସମନ୍ୱିତ ବିକାଶ ଉପରେ ଏହି କମିଟି ନଜର ରଖିଛି । ମନ୍ତ୍ରୀ ଓ ବରିଷ୍ଠ ଅଧିକାରୀମାନେ ମଧ୍ୟ ଅଞ୍ଚଳ ପରିଦର୍ଶନ କରି ବିକାଶମୂଳକ ଆବଶ୍ୟକତାର ସମୀକ୍ଷା କରୁଛନ୍ତି।

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ଏହା ଏକ ଦୀର୍ଘକାଳୀନ ଓ ସମ୍ବେଦନଶୀଳ ଆନ୍ତଃରାଜ୍ୟ ବିବାଦ ହୋଇଥିବାରୁ ସମସ୍ତ ପକ୍ଷ ସଂଯମ, ଦାୟିତ୍ୱବୋଧ ଓ ନ୍ୟାୟିକ ପ୍ରକ୍ରିୟା ପ୍ରତି ସମ୍ମାନ ରଖି କାର୍ଯ୍ୟ କରିବା ଆବଶ୍ୟକ। ରାଜ୍ୟର ଆଞ୍ଚଳିକ ସ୍ୱାର୍ଥର ସୁରକ୍ଷା ସହ କୋଟିଆବାସୀଙ୍କ ସାମାଜିକ ଓ ଆର୍ଥିକ ବିକାଶ ଜାରି ରହିବ ବୋଲି ସେ ଆଶ୍ୱାସନା ଦେଇଛନ୍ତି। ଏହି ଦୀର୍ଘଦିନର ସମସ୍ୟାର ସମାଧାନ ପାଇଁ ନବୀନ ପଟ୍ଟନାୟକଙ୍କଠାରୁ ଗଠନମୂଳକ ପରାମର୍ଶ ଲୋଡ଼ିବା ସହ ସରକାରଙ୍କୁ ସହଯୋଗ କରିବାକୁ ଚିଠିରେ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ। ସୂଚନା ଅନୁସାରେ, ନବୀନ ପଟ୍ଟନାୟକ ୧୯ ଅକ୍ଟୋବରରେ ମୋହନ ମାଝୀଙ୍କୁ ଚିଠି ଲେଖିଥିଲେ ଏବଂ ମୁଖ୍ୟମନ୍ତ୍ରୀ ତାହାର ପ୍ରତିକ୍ରିୟା ଦେଇଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DINALIPI ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DINALIPI ଦେଖନ୍ତୁ।